କୁମ୍ଭକର୍ଣ୍ଣ ନିଦ୍ରାରେ ପାରାଦୀପ ପୌର ପ୍ରଶାସନ ମଶାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହେଲେଣି ଲୋକ
ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ପୌରଚଂଳବାସୀ ମଶାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହେଲେଣି, ପୌରପ୍ରଶାସନ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ସଧାରଣରେ ନିନ୍ଦା କରାଗଲାଣି । କି ଦିନ କି ରାତି ବଜାର ହେଉ ବା ଘର ସବୁଠି ମଶାଙ୍କ ରାଜୁତି ଦେଖିବାକୁ ମିଳୁଛି । ନିର୍ବାଚିତ ପୌର ପରିଷଦର କାର୍ଯୃକାଳ ଗତ ଏପ୍ରିଲ୍ ମାସରୁ ଶେଷ ହେଲାଣି । ଏହା ମଧ୍ୟରେ ସହରରେ ମଶା ଧୂଆଁ ଗାଡି ବୁଲିବା ଦେଖିବାକୁ ଆଉ ମିଳୁନି । ନିର୍ବାଚିତ ପାରିଷଦ ମାନେ ତାଙ୍କ କାର୍ଯ୍ୟକାଳ ସମୟରେ ନିଜନିଜ ୱାର୍ଡରେ ବ୍ଲିଚିଂ ପାଉଡର, ମଶାତେଲ ପକାଇବା, ନାଳ ନର୍ଦ୍ଦମା ସଫା, ଡଷ୍ଟବିନ୍ ନିକଟରୁ ଅଳିଆ ଉଠା କାର୍ଯ୍ୟକୁ ତଦାରଖ କରୁଥିଲେ । ସଫେଇ କର୍ମଚାରୀମାନଙ୍କୁ ପାରିଷଦ ମାନେ ଏ ସବୁ କାର୍ଯ୍ୟ କରିବାକୁ ତାଗିଦ୍ କରୁଥିଲେ । ହେଲେ ଏବେ ଆଉ ପାରିଷଦ ମାନେ ନାହାଁନ୍ତି । ତେଣୁ ସହରସାରା ମଶାଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ବଜାରରେ କୌଣସି ସ୍ଥାନରେ ଠିଆ ହେଲେ ବା ସଉଦା କିଣିବା ବେଳେ ମଢକୁ ଶାଗୁଣା ଘେରିବା ଭଳି ଲୋକମାନଙ୍କୁ ମଶାମାନେ ଘେରି ଯାଉଛନ୍ତି । ଘରେ ମଧ୍ୟ ସମଦଶା ମଶାଧୂପ, ଲିକୁଇଡ୍ ନ ଲଗାଇଲେ ଘରେ ବସି ହେଉ ନାହିଁ । ଘରେ ଛୋଟ ଛୋଟ ପିଲା ତଥା ଛାତ୍ରଛାତ୍ରୀ ମାନେ ପାଠ ପଢିବା ବେଳକୁ ଆରମ୍ଭ ହେଇ ଯାଉଛି । ମଶା ମାନଙ୍କର ଆକ୍ରମଣ, ପୌର ପ୍ରଶାସନ ଏସବୁକୁ ଅଣଦେଖା କରି ଚାଲିବା ଦୁଃଖର ଘଟଣା, ବସ୍ତି ଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠୁ ହୋଲଡିଙ୍ଗ ଟ୍ୟାକ୍ସ, ସଫେଇ ଦେୟ ଆଦାୟ କରି ରାଜସ୍ୱ ବଢାଉଥିବା ପୌର କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ଏହି ମୌଳିକ ସେବା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସହରରେ ଚର୍ଚ୍ଚା ହେଉଛି ।


