କୁଷ୍ଠ ରୋଗୀ ଚିହ୍ନଟ ଅଭିଯାନ ସମନ୍ୱୟ ବୈଠକ

ବାଲେଶ୍ୱର : ଜିଲ୍ଲାରେ କୁଷ୍ଠ ରୋଗୀ ଚିହ୍ନଟକରଣ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କୁଷ୍ଠ ରୋଗର ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା । ଏଥିରେ ୨୦୧୮-୧୯ ମସିହାରେ ରାଜ୍ୟର ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୨୩.୨ଟି କେସ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ତାହାର ହାର ୭.୦୫ ଥିବା ଜଣାପଡିଛି । ସେପ୍ଟେମ୍ବର ୨୦୧୯ରେ ଜିଲ୍ଲାରେ ହୋଇଥିବା ପ୍ରଥମ କୁଷ୍ଠରୋଗୀ ଚିହ୍ନଟ ଅଭିଯାନରେ ୨୦ଜଣ କୁଷ୍ଠ ରୋଗୀଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସା ଓ ଦେଖାଶୁଣା କରିବା ପାଇଁ ଚିହ୍ନଟ କରାଯାଇଥିଲା । ବୈଠକରେ କୁଷ୍ଠ ରୋଗ ଚିହ୍ନଟ କାହିଁକି କରାଯାଉଛି ତାହା ଦର୍ଶାଇ ଏହାକୁ ଚିହ୍ନଟ କରିବା ସହିତ ଆଗୁଆ ଭାବେ ଚିକିତ୍ସା କରାଯାଇ ତାକୁ ନିର୍ମୂଳ କରିବା ଦିଗରେ ପଦକ୍ଷେପ ନେବା, ରୋଗୀଙ୍କୁ ବିକଳାଙ୍ଗ ହେବାରୁ ରକ୍ଷା କରିବା, ଲୋକେ ସ୍ୱତଃ ପ୍ରବୃତ ଭାବେ ଆସି ଚିକିତ୍ସା କରାଇବା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଏ ରୋଗ ପ୍ରତି ଥିବା ଅନ୍ଧ ବିଶ୍ୱାସ ଏବଂ ଧାରଣାକୁ ବଦଳାଇବା ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା । ଏଥି ପାଇଁ ରୋଗ ଚିହ୍ନଟ ଅଭିଯାନ ଜିଲ୍ଲାର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ଆସନ୍ତା େ‘ବୃୟାରୀ ୧୪ ତାରିଖରୁ ୨୯ ତାରିଖ ଯାଏଁ ଚାଲିବ । ଏହି ଅଭିଯାନ ବେଳେ ଘରକୁ ଘର ଯାଇ କୁଷ୍ଠ ରୋଗ ସନ୍ଦେହ କରାଯାଉଥିବା କେସଗୁଡିକୁ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ମାଧ୍ୟମରେ ଚିହ୍ନଟ କରାଯାଇ ଚିକିତ୍ସାର ବ୍ୟବସ୍ଥା କରାଯିବ । ଏହି ଅଭିଯାନ ସଂପର୍କରେ ଲୋକେ ଯେପରି ଅବଗତ ହୋଇପାରିବେ ସେଥି ନେଇ “ଶାମ୍ବ ରଥ“ ନାମରେ ଏକ ସଚେତନତା ରଥ ୧୦ ଦିନ ଧରି ଜିଲ୍ଲା ସାରା ଭ୍ରମଣ କରିବା ପାଇଁ ଯୋଜନା କରାଯାଇଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ସରଳ ଭାଷାରେ ପ୍ରଚାରପତ୍ର, ବ୍ୟାନର, ପୋଷ୍ଟର ଓ ଲି‘ଲେଟ୍ ପ୍ରଭୃତି ଛପାଯାଇ ସମସ୍ତ ଗ୍ରାମ ପଂଚାୟତ, ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଏହାକୁ ବଂଟାଯିବା ସହିତ ଗ୍ରାମ ସଭା ମାଧ୍ୟମରେ ଲୋକମାନଙ୍କୁ ଏ ସଂପର୍କରେ ଅବଗତ କରାଯିବ । ଏତଦ୍ ଭିନ୍ନ ବୈଦ୍ୟୁତିକ ଏବଂ ମୁଦ୍ରଣ ଗଣମାଧ୍ୟମ ଦ୍ୱାରା ପ୍ରଚାର ପ୍ରସାର କରାଯିବା ଏବଂ ଗାଁ କଲ୍ୟାଣ ସମିତି ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲାପାଳ ଜୋର୍ ଦେଇଥିଲେ । ଏହି ଅଭିଯାନକୁ ସଂଚାଳନ କରିବା ପାଇଁ ଜିଲ୍ଲାର ମୋଟ ଜନସଂଖ୍ୟାକୁ ଆଖିରେ ରଖି ଯୋଜନା ପ୍ରସ୍ତୁତ କରାଯିବା ସହିତ ତ୍ରିସ୍ତରୀୟ ଯାଂଚ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହି ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପୃଥକ ଭାବେ ବ୍ଲକ ସ୍ତରରେ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ େ‘ବୃୟାରୀ ୧୨ତାରିଖ ସୁଦ୍ଧା ସାରିବାକୁ କୁହାଯାଇଛି । ଏହି ଅଭିଯାନରେ ସଂଗୃହୀତ ତଥ୍ୟ ମାର୍ଚ୍ଚ ୬ତାରିଖ ସୁଦ୍ଧା ରାଜ୍ୟ କାର୍ଯ୍ୟାଳୟରେ ଦାଖଲ କରାଯିବ ବୋଲି ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର,ଏଡିପିଏଚଓ ଡା. ଶଶାଙ୍କ ଶେଖର ଚୌଧୁର. ଡିଏଲସି ଡା. ତପନ କୁମାର ମହାପାତ୍ର ପ୍ରମୁଖ ମଂଚାସୀନ ଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ