କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ଶନିବାର ସକାଳେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଭଗବାନ ପୋଲାଇ (୩୯) । ଏ ନେଇ ହିଞ୍ଜିଳି ଥାନାରେ ନଂ – ୧୦/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଗୁରୁବାର ଅପରାହ୍ନରେ ଯୁବକ ଜଣକ ଘରୁ କେଉଁ ଆଡେ ଚାଲିଯାଇଥିଲେ । ପରିବାର ସଦସ୍ୟ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ସନ୍ଧାନ ମିଳିନଥିଲା । ଶନିବାର ସକାଳେ ସଂପୃକ୍ତ ଗ୍ରାମର କିଛି ମହିଳା ପାଣି ଆଣିବାକୁ କୂଅକୁ ଯାଇଥିବା ବେଳେ କୂଅରେ ସଂପୃକ୍ତ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଘଟଣା ନେଇ ଗ୍ରାମର କିଛି ଲୋକ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ତେବେ ଏହା ଏକ ଅପମୃତ୍ୟୁ ନା ଆମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ସନ୍ଦେହ ଘେରରେ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


