କୃଷକ ପରିଚୟ ପତ୍ର ନାମରେ ଟଙ୍କା ଆଦାୟ
ହିଂଜିଳିକାଟୁ, (ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ରାଶି ହାତେଇବା ସକାଶେ ବର୍ତମାନ ସାରା ରାଜ୍ୟରେ କୃଷକ ପରିଚୟ ପତ୍ର ପାଇଁ ଉଜ୍ଜଳା ଦିଦି ମାନଙ୍କୁ ନିଯୁକ୍ତି ଦିଆଯାଇଛି । ପରିତାପର ବିଷୟ କିଛି ଅସାମାଜିକ ବ୍ୟକ୍ତି କୃଷକ ମାନଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରି ସେମାନଙ୍କ ଠାରୁ ପରିଚୟ ପତ୍ର ପିଛା ୧୦୦ ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି । ଉକ୍ତ ପରିଚୟ ପତ୍ରରେ ରେଜିଷ୍ଟେସନ ନଂ , ନାମ, ଠିକଣା, ମୋବାଇଲ ନଂ, ପଂଜିକରଣ ତାରିଖ, ଚାଷୀଙ୍କ ପଟୋ ସମେତ ଭାରତ ସରକାରଙ୍କ ଲୋଗୋ ରହିଛି । ପ୍ରକୃତରେ ଏହି ପରିଚୟ ପତ୍ର ଅସଲି କି ନକଲି ତାହା ସ୍ପଷ୍ଟ ହୋଇ ପାରିନାହିଁ । ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳର ବହୁ ଚାଷୀଙ୍କୁ କିଛି ବ୍ୟକ୍ତି ବହୁ କୃଷକଙ୍କ ଘରେ ପଂହଚି ସଂପୃକ୍ତ କୃଷକଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିବା ସହ ୧୦୦ ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି । ଏଭଳି ଘଟଣା ଶୁକ୍ରବାର ଦିନ ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଦେଖିବାକୁ ମିଳିବା ପରେ ଘଟଣାର ସତ୍ୟତା ନେଇ ବହୁ ଚାଷୀ ସ୍ଥାନୀୟ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣାର ସତ୍ୟତା ନେଇ ଅନୁସନ୍ଧାନ କରିଥିଲେ । ତେବେ ଏଭଳି ପରିଚୟ ପତ୍ର ବିଷୟରେ ବିଭାଗୀୟ ଅଧିକାରୀ ଅବଗତ ନଥିବା ନେଇ କହିଥିଲେ । ଘଟଣଶ ନେଇ ସ୍ଥାନୀୟ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କୁ ପଚାରିବାରୁ ସେ କହିଲେ ଏଭଳି ପରିଚୟ ପତ୍ର ପ୍ରଦାନ କରାଯାଉଥିବା ନେଇ ବହୁ କୃଷକ ଅଭିଯୋଗ କରିଛନ୍ତି । ସଂପୃକ୍ତ ପରିଚୟ ପତ୍ର ଗୁଡ଼ିକ ଅସଲି କିମ୍ବା ନକଲି ଜଣାପଡ଼ିନାହିଁ । ଘଟଣା ନେଇ ସେ, ଜିଲ୍ଲା କୃଷି ଅଧିକାରୀ ସମେତ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ।