କୃଷକ ବିକାଶ ପରିଷଦ ପକ୍ଷରୁ ବୀମା ଥାଇ ଋଣ ଛାଡ ନହେବା ସମ୍ପର୍କରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କୃଷକ ବିକାଶ ପରିଷଦ, କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଥାଇ ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ପରେବି ଋଣ ଛାଡ କରାନଯିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ଖରିଫ ଚାଷ ବେଳେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି, ବ୍ୟାଙ୍କ ଓ ବେସରକାରୀ ସଂସ୍ଥା ଗୁଡିକରୁ ଋଣ ନେଇ ଚାଷ କାର୍ଯ୍ୟ କରିଥିଲେ । ଋଣ ନେବା ସମୟରେ ଚାଷୀମାନେ ଫସଲକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ଫସଲ ବୀମା କରିଥିଲେ । ଅତ୍ୟଧିକ ଲଗାଣ ବର୍ଷାରେ ଚାଷୀଙ୍କ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସରକାରୀ ତଦନ୍ତ ପରେ କେତେକ ଚାଷୀ କ୍ଷତିପୁରଣ ପାଇଥିବା ବେଳେ ସଂପୂର୍ଣ୍ଣ ଫସଲ ନଷ୍ଠ ହୋଇଯାଇଥିବା ଅନେକ ଚାଷୀ ଫସଲ ବୀମା କରିଥିଲେ ବି ଅଦ୍ୟାବଧି କ୍ଷତିପୁରଣ ପାଇନଥିବା କିମ୍ବା ସେମାନଙ୍କ ଋଣ ଛାଡ କରାଯାଇନଥିବା କୃଷକ ବିକାଶ ପରିଷଦ ଅଭିଯୋଗ କରିଛି । ତେଣୁ ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଚାଷୀମାନଙ୍କର ଋଣ ବୀମା କମ୍ପାନୀ ମାନେ ଛାଡ କରିବା ସହିତ ବେସରକାରୀ ସଂସ୍ଥା ଓ ହାତ ଉଧାରୀ ନେଇ ଚାଷ କରିଥିବା ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବା ଏବଂ ଗତ ବର୍ଷର ଖଜଣା ଓ ଜଳକର ଛାଡ କରାଯିବାକୁ କୃଷକ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି । ନଚେତ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛି । ପରିଷଦ ପକ୍ଷରୁ ସଭାପତି ବିଜୟ କୁମାର ପରିଡା, ନାରାୟଣ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ଭଦ୍ର, ଭ୍ରମରବର ରାଉତ, ବାସୁଦେବ ଗେରୁ, ଅଶୋକ କୁମାର ରାଉତ, ପ୍ରଶାନ୍ତ କୁମାର ବରାଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ