କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ପୁରୁଷୋତ୍ତମପୁର ଅଂଚଳର ଚାଷୀମାନଙ୍କର ଜମିକୁ ଜଳସେଚନ ସମସ୍ୟାର ସମାଧାନ ଓ ବିଲ୍ଡର ତଥା ଅସାଧୁ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ନାଳ ଓ ସରକାରୀ ଜମିକୁ ଉଦ୍ଧାର କରିବା ଦାବୀ ନେଇ ଶୁକ୍ରବାର ଶ୍ରୀଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘ ପକ୍ଷରୁ ଏକ ଦାବୀ ପତ୍ର ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରାଯାଇଛି । ସବ୍ – ମାଇନର ଗେଟ ନଂ -୨୨ ଠାରୁ ବାହାରିଥିବା ନାଳ (ଧାଡିଆମ୍ବନାଳ) ସମ୍ପୂର୍ଣ୍ଣ ପୋତି ହୋଇଯାଇଛି ଏହାର ସୁବ୍ୟବସ୍ଥା କରିବା, ସବ-ମାଇନର ଗେଟ ନମ୍ବର ୨୧ ବିଏସଏନଏଲ ଅଫିସ ଠାରୁ ଅଙ୍କୁଳା ବନ୍ଧ ଦେଇ କାଠୁଆ ନାଳ ପର୍ଯ୍ୟନ୍ତ ଯାଇଥିବା ନାଳ ଉଦ୍ଧାର ଅସମ୍ପୂର୍ଣ୍ଣ ହୋଇ ରହିଛି । ଏହା କାର୍ଯ୍ୟକ୍ଷମ କରିବା, ପୁରୁଷୋତ୍ତମପୁର ଏନଏସି ନାଳର ମଇଳା ପାଣି ବିଏସଏନଏଲ ଅଫିସ ଠାରୁ ଯାଇ ବିଲରେ ପଶି ସବୁବେଳେ ଫସଲ ନଷ୍ଟ ହେଉଛି ଓ ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୈାଣସି ସମାଧାନ କରାଯାଉନାହିଁ । ଏନଏସିର ଉକ୍ତ ମଇଳା ପାଣିକୁ କାଠୁଆ ନାଳରେ ପକାଇବା ବ୍ୟବସ୍ଥା କରାଯାଉ , କାଳି ମନ୍ଦିର ଛକ ଠାରୁ ବଡ ଶଙ୍ଖ କାଠୁଆ ନାଳ ପର୍ଯ୍ୟନ୍ତ ଆସ୍କା- ହୁମ୍ମା ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ର ନାଳକୁ ସଫା କରାଯାଇଥିଲେ ମଧ୍ୟ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇପାରୁ ନାହିଁ । ପୋତି ହୋଇ ରହିଥିବା ଅନ୍ୟ କେତୋଟି ନାଳ କିଛି ପ୍ଲଟ ବେପାରୀ ଓ ସ୍ୱାର୍ଥପର ଲୋକ ନିଜ ଅକ୍ତିଆରରେ ରଖିଛନ୍ତି, ଯାହାଫଳରେ ପାଣି ନିଷ୍କାସନ ନହୋଇ ଫସଲ ନଷ୍ଟ ହେଉଛି । ବଡଶଙ୍ଖ ଉପରକୁ ଥିବା ଲୁଙ୍ଗି ଘାଇ (ଜଳାଧାର) ସମ୍ପୂର୍ଣ୍ଣ ପୋତି ହୋଇଯାଇଛି । ଉକ୍ତ ନାଳକୁ ପୂନରୁଦ୍ଧାର କରାଯାଉ, ଉଦାହରଣ ସ୍ୱରୁପ-ଚତୁରା ନାଳ, ପାଳଧୁଆ- ଘାଇ ଇତ୍ୟାଦି । କାଠୁଆ ନାଳର ବଡଶଙ୍ଖ, ଚତୁରା ନାଲ ଓ ଆଙ୍କୁଲା ନାଳର ଉଚିତ ଜାଗା ନିର୍ଦ୍ଧାରଣ ନିମନ୍ତେ ଜଗନ୍ନାଥପୁର ଡ୍ରେନେଜ୍ ଡିଭିଜନ ତରଫରୁ ପୁରୁଷୋତ୍ତମପୁର ତହସିଲଦାରଙ୍କ ନିକଟରେ ଡିମାରକେସନ ପାଇଁ ବହୁବାର ଆବେଦନ କରାଯାଉଛି । କିନ୍ତୁ ସ୍ଥାନୀୟ ତହସିଲଦାର ସେ ଦିଗରେ କୈାଣସି ପ୍ରକାର ଦୃଷ୍ଟି ଦେଉନାହାନ୍ତି ବୋଲି ଉକ୍ତ ଦାବୀ ପତ୍ରରେ ଦର୍ଶାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଶ୍ରୀଶ୍ରୀ ସ୍ୱପ୍ନେଶ୍ୱର କୃଷକ ସଂଘର ସଭାପତି ଆଇ. ମୁକୁନ୍ଦ ରାଓ, ସମ୍ପାଦକ କିଶୋର ଚନ୍ଦ୍ର ସାସମଲ, ମନ ମୋହନ ପାଢୀ, ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଗୈାଡ, ବାବୁ ବେହେରା, ଗଦାଧର ସାହୁ ଓ ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।