କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚଳିତ ଖରିଫ ୨୦୧୯ ପାଇଁ ବାଲେଶ୍ୱର ଜିଲ୍ଲା କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ଆଜି ସ୍ଥାନୀୟ “ସଦଭାବନା ସଭାଗୃହ”ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୧୮-୧୯ ରବି ଋତୁର ଲକ୍ଷ୍ୟ ହାସଲ ଏବଂ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ଫସଲ ଏବଂ ନିର୍ଦ୍ଧାରିତ କୃଷି କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ଖରିଫ ଋତୁ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ କୃଷି ଅଧିକାରୀମାନେ ସୂଚନା ଦେଇଥିଲେ । ଲକ୍ଷ୍ୟ ହାସଲ ଲାଗି କ୍ଷେତ୍ର ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ । କୃଷି ଉପନିର୍ଦ୍ଦେଶକ ଶ୍ରୀ କୈଳାସ ଚନ୍ଦ୍ର ପରିଡା, ବିବିସିସି ବ୍ୟାଙ୍କର ଡିଜିଏମ ଶ୍ରୀ ଜଳଧର ପଣ୍ଡା, ଏଲଡିଏମ ଶ୍ରୀ ସୁଦୀପ ଡାକୁଆ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ସୁନୀଲ କୁମାର ମହାପାତ୍ର, ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କୁମାର ଡନ ପ୍ରମୁଖ ଏଥିରେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମସବୁ ଉପରେ ଆଲୋକପାତ କରିଥିଲେ । ୨୦୧୯ ଖରିଫ ଋତୁରେ ଚାଷୀମାନଙ୍କୁ ଠିକ ସମୟରେ ତଥା ସୁଲଭ ମୂଲ୍ୟରେ ସାର, କୀଟନାଶକ ଓ ବିହନ ଯୋଗାଣ, ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଏବଂ ସବସିଡି ପ୍ରଦାନ, ଚାଷ ପାଇଁ ଖର୍ଚ୍ଚ ହ୍ରାସ କରିବା, ସଏଲ ହେଲ୍ଥ କାର୍ଡ ବଂଟନ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର କାର୍ଯ୍ୟକାରିତା, ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା, ଜୈବିକ କୃଷି ଉପରେ ପ୍ରାଧାନ୍ୟ, ସାରର ଉପଯୁକ୍ତ ବ୍ୟବହାର ଏବଂ ବିକ୍ରିର ସଠିକ୍ ପରିଚାଳନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ବନ୍ଧୀୟ ନିୟମାବଳୀ ଓ ତା’ର କାର୍ଯ୍ୟକାରିତା ପ୍ରଭୃତି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଚଳିତ ଖରିଫ ଋତୁରେ କୃଷି ବିଭାଗ ତରଫରୁ ୧ ଲକ୍ଷ ୯୯ହଜାର ୩୬୯ ହେକ୍ଟର ଜମିରେ ଧାନ ଫସଲ ଏବଂ ୧୯,୩୬୮ ହେକ୍ଟର ଜମିରେ ଅଣଧାନ ଫସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜିର କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ପରେ ୨୧ତମ ଆତ୍ମା ପରିଚାଳନା ମଣ୍ଡଳୀ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୦୧୯-୨୦ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ଅନୁଦାନ ଖର୍ଚ୍ଚ କରିବା ଲାଗି ସ୍ଥିର କରାଯାଇଥିଲା । ବୈଠକରେ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଗୃହକୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ