କୃଷି, କୃଷକ ବିରୋଧୀ ବିଲ୍ ଆନ୍ଦୋଳନ ଚାଲୁ ରହିବ : ଶେଷଦେବ ନନ୍ଦ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସାରା ଭାରତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କ ସ୍ୱାର୍ଥ ବିରୋଧରେ ପାରିତ ଦୁଇ କୃଷି ବିଲ୍‌କୁ ବିରୋଧ କରି ଆଜି ଭାରତ ବନ୍ଦ ପାଳିତ ହୋଇଥିଲା ବେଳେ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନ ତରଫରୁ ଭୁବନେଶ୍ୱରରେ ବନ୍ଦ ପାଳନ ପାଇଁ ଉଦ୍ୟମ ହୋଇଥିଲା । କୃଷି ଭବନକୁ ବନ୍ଦ କରିବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଚାଷୀମାନେ ୧୪୪ଧାରା ଉଲଂଘନ କରି କୃଷି ଭବନକୁ ଧସେଇ ପଶିବାକୁ ଯାଉଥିବା ବେଳେ ରାଜଧାନୀ ପୋଲିସ୍ ତରଫରୁ ସେମାନଙ୍କୁ ଗିରଫ କରି ଅଟକ ରଖି ପରେ ଛାଡ଼ି ଦେଇଥିଲା । କୃଷି ବିଲ୍ ବିରୁଦ୍ଧରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ବିକ୍ଷୋଭକାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଚାଷୀମାନେ ଏବେ ଢେର୍ ସଚେତନ ହେଲେଣି ଓ ଚାଷୀମାନେ ଅସଂଗଠିତ ଶ୍ରେଣୀ ବୋଲି ସେମାନଙ୍କ ଉପରେ ଇଚ୍ଛାକୃତ ଭାବେ ଅତ୍ୟାଚାର କରାଯାଇଛି । ତମାମ ଦେଶରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଚାଷୀମାନଙ୍କର ଯେଉଁ ତୁମୁଳ ସଂଗ୍ରାମ ଆରମ୍ଭ ହୋଇଛି, ସେ ଲଢେଇରେ ଓଡ଼ିଶା ଆଗରେ ରହିବ । କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ କର୍ପୋରେଟ ହାତରେ ଟେକିଦେବା ପାଇଁ ଯେଉଁ ଜଘନ୍ୟ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି, ସେହି ଅଇନ୍‌କୁ କଦାପି ବରଦାସ୍ତ କରାଯିବ ନାହିଁ । ଉକ୍ତ କୃଷି ବିରୋଧୀ ବିଲ୍‌ଗୁଡ଼ିକୁ ପ୍ରତ୍ୟାହାର କରାଯିବା ଯାଏ ଆନ୍ଦୋଳନ ଚାଲୁ ରହିବ । ସେହିପରି ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ୱରେ କଳ୍ପନାରୁ ଶୋଭାଯାତ୍ରାରେ ବାହାରି ରାଜମହଲ ଛକର ଦୋକାନ ବଜାର ବନ୍ଦ ପାଳନ କରି ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିଲା ବେଳେ ପୋଲିସ୍ ସେମାନଙ୍କୁ ଗିରଫ କରିଥିଲା । ଏକ କୃଷି ପ୍ରଧାନ ଦେଶ ଓ କୃଷି ପ୍ରଧାନ ରାଜ୍ୟରେ କଦାପି କୃଷକ ବିରୋଧୀ ଆଇନ୍ କାନୁନ୍ ପାରିତ ହୋଇ କାର୍ଯ୍ୟକାରୀ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ମନୱର ଅଲ୍ଲୀ କହିଥିଲେ । ଭୁବନେଶ୍ୱର ବାଦ୍ କଟକ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ପ୍ରଭୃତି ୨୫ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଚାଷୀମାନେ ଏହି ବନ୍ଦ ଡ଼ାକରାରେ ସାମିଲ୍ ହୋଇଛନ୍ତି ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି । ଆଜିର ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପ୍ରଧାନ, ଚିତ୍ତରଞ୍ଜନ ନନ୍ଦ, ଅକ୍ଷୟ ଦାସ, ଭୁବନେଶ୍ୱର ଛାତ୍ରସଂଗଠନର ସଭାପତି ଅମିତ ଜେନା, ରଞ୍ଜନ ନାୟକ, ଟସର ଖାନ, ଜୟନ୍ତ ଗୋସ୍ୱାମୀ, ସୁନିଲ୍ ନାୟକ, ଯଶୋବନ୍ତ ଦାସ, ସୌରଭ ନାୟକ, ଅମରଜିତ୍ ସ୍ୱାଇଁ ଓ ଦେବାଶିଷ ନାୟକ ପ୍ରମୁଖ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ