କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜଝାଙ୍ଗସ୍ଥିତ କୃଷି ବଜ୍ଞାନ କେନ୍ଦ୍ର ପରିସରରେ ବିଶ୍ୱ ମୃତ୍ତିକା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଜିଲ୍ଲାପାଳ ସମର୍ଥ ବର୍ମା କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ କୃଷି ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ କୃଷକ ଓ କୃଷିର ବିକାଶ ନିମନ୍ତେ କୃଷି ବିଜ୍ଞାନୀମାନେ ନିଷ୍ଠାର ସହିତ ଉଦୟମ ଜାରିରଖିବାକୁ ପରାମର୍ଶ ଦେଇଥିଲେ । ପୂର୍ବାହ୍ନରେ ଆୟୋଜିତ କୃଷକ ସମାବେଶରେ ମୁଖ୍ୟ ଅତିଥି ଏବଂ ଉଦଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନକରି ମାଟିର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଚାଷୀଭାଇମାନେ ସାରା ବିଶ୍ୱକୁ ଖାଦ୍ୟ ଦେଇ ବଂଚାଇ ରଖିଛନ୍ତି ତେଣୁ ସେମାନେ ଆମର ନମସ୍ୟ । ବାତ୍ୟା,ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସର୍ବଦା ସମ୍ମୁଖିନ ହେଉଥିବା ଆମ ଜିଲ୍ଲାର କୃଷି ଓ କୃଷକର ବିକାଶ ନିମନ୍ତେ ଆମକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ପଡିବ । ଅନେକ ସମୟରେ ପାଣିରେ ବୁଡିରହି କ୍ଷତି ହେଉଥିବା ଧାନ ଫସଲର ବିକଳ୍ପ ଉନ୍ନତ ଧାନ ବିହନ ସ୍ୱର୍ଣ୍ଣ ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି ଯାହା ୧୭ଦିନ ପର୍ଯ୍ୟନ୍ତ ପାଣିରେ ବୁଡି ରହିଲେ ମଧ୍ୟ କୈାଣସି କ୍ଷତି ନହୋଇ ଫସଲ ଅମଳ ହେବ । ବାପମା ମାନେ ପିଲାର ସ୍ୱାସ୍ଥ୍ୟ କଥା ଚିନ୍ତା କଲାଭଳି ଚାଷୀମାନେ ମାଟିର ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ଉଚିତ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ କହିଥିଲେ ଯେ ରାଜ୍ୟ ସରକାର କୃଷକମାନଙ୍କ ବିକାଶ ପାଇଁ କାଳିଆ ଭଳି ବହୁ ଯୋଜନା ପ୍ରଣୟନ କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମକୁ ମିଳୁଥିବା ଜ୍ଞାନର ଆମେ ସଦ ବିନିଯୋଗ କରିପାରିଲେ କୃଷି କ୍ଷେତ୍ରରେ ଆମେ ଲାଭବାନ ହୋଇପାରିବା । ଜିଲ୍ଲାର ବିକାଶ କରିବାକୁ ହେଲେ ପ୍ରଥମେ କୃଷିର ବିକାଶ କରିବାକୁ ପଡିବ ବୋଲି ସେ କହିଥିଲେ । ଝୋଟ ଗବେଷଣା କେନ୍ଦ୍ରର ବରିଷ୍ଠ ବ୍ରିଡର ଡଃ. ଗୋକୁଳ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ.ସୂର୍ଯ୍ୟନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଭୂବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ମୃତ୍ତିକା ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ଡଃ.ପ୍ରସନ୍ନ କୁମାର ସାମନ୍ତ,ହାଇଦ୍ରାବାଦସ୍ଥିତ ଆଇ.ସି.ଆର.ଆଇ.ଏସ.ଏ.ଟି. ଡେଭଲପମେଂଟ ସେଂଟରର ଅଗ୍ରୋନୋମି ବିଭାଗର ବରିଷ୍ଠ ବୈଜ୍ଞାନିକ ଡଃ.ଗଜାନନ ସୱରଗାଁଓକର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମୋହନ ପ୍ରସାଦ ଶର୍ମା ପ୍ରମୁଖ ଯୋଗଦେଇ କୃଷି ଓ କୃଷକର ଉନ୍ନତି ନିମନ୍ତେ ବିଭିନ୍ନ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ଜ୍ୟୋତିର୍ମୟୀ ବେହେରା କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ କୃଷି ବିଭାଗର ଅଗ୍ରୋନୋମିଷ୍ଟ ମନୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝୋଟ ଗବେଷଣା କେନ୍ଦ୍ରର କନିଷ୍ଠ ଆଗ୍ରୋନୋମିଷ୍ଟ ସାରିକା ଜେନା,କନିଷ୍ଠ ପାଥୋଲୋଜିଷ୍ଠ ଡଃ.ମନୋଜ କୁମାର ରାଉତ,କୃଷି ବିଜ୍ଞାନ କେନ୍ଦ୍ରର (ଉଦ୍ୟାନକୃଷି ବିଭାଗ)ର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର,କୃଷି କାର୍ଯ୍ୟକ୍ରମ ସହକାରୀ ପ୍ରଭାତ କୁମାର ସାହୁ,ଫାର୍ମ ପରିଚାଳକ ରାଜେଶ କୁମାର ମହାପାତ୍ର,କମ୍ପ୍ୟୁଟର ସହକାରୀ ନିହାର ରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କୃଷି, ଉଦ୍ୟାନକୃଷି, ମତ୍ସ୍ୟ, ପଶୁସମ୍ପଦ, ମୃତତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଓ କୃଷି ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକମାନେ ଚାଷୀମାନଙ୍କ ସହିତ ମତବିନିମୟ କାର୍ଯ୍ୟକ୍ରମରେ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଭିନ୍ନ ବିଭାଗ ପକ୍ଷରୁ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ କୃଷି ସମ୍ବଦ୍ଧିୟ ଷ୍ଟଲ ଖୋଲାଯାଇଥିଲା । ମାଟି ପରୀକ୍ଷା କରିଥିବା କେତେକ ଚାଷୀଙ୍କୁ ଏହି ଅବସରରେ ମୃତିକା ପରୀକ୍ଷା କାର୍ଡ ଅତିଥିମାନେ ପ୍ରଦାନ କରିଥିଲେ । କୃଷି ସମ୍ପର୍କୀତ ୨ଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ