ମାଇଁ ଏନସିସି ଆଲୁମିନି ଆସୋସିଏସନ ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାରେ ଥିବା ଅଗଣିତ ଅନୁଷ୍ଠାନ ମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ ଜିଲ୍ଲାର ପ୍ରଥମ ଅନୁଷ୍ଠାନ ଯାହା କେବଳ ଜିଲ୍ଲା ନୁହେଁ ପୂରା ରାଜ୍ୟରେ ସୁନାମ ଅର୍ଜନ କରିଛି ତା’ର ସୁକର୍ମ ଯୋଗୁ । ଏଥିପାଇଁ ଜିଲ୍ଲା ସ୍ତରୀୟ ମହୋତ୍ସବରେ ଆସୋସିଏସନକୁ ସମ୍ବର୍ଦ୍ଧିତ କରାଯାଇଛି। ମାଇଁ ଏନ.ସି.ସି. ଆଲୁମିନି ଆସୋସିଏସନ ପରିବେଶ ସୁରକ୍ଷା, ଅସହାୟଙ୍କୁ ସହାୟତା, ସମାଜ ଚେତନା ପ୍ରଦାନକାରୀ କାର୍ଯ୍ୟକ୍ରମ, ଶିକ୍ଷାକ୍ଷେତ୍ରରେ ସହଯୋଗ, କଳାପ୍ରତିଭା ସମ୍ମାନ, ସ୍ୱାସ୍ଥ୍ୟ ଜଡିତ କାର୍ଯ୍ୟକ୍ରମ ଆଦି ଆୟୋଜନ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଆସୋସିଏସନ୍ ୨୦୧୭ମସିହା ଅପ୍ରେଲମାସ ୮ତାରିଖରେ ସ୍ଥାପିତ ହୋଇ ୨୦୧୯/୨୦ରେ ଜିଲ୍ଲାପାଳଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିଲା । ମାଇଁ ଏନସିସି ଆଲୁମିନି ଆସୋସିଏସନ୍ ପ୍ରଥମଥର ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି । ଆସୋସିଏସନ୍ ଜିଲ୍ଲାସ୍ତରୀୟ ପ୍ୟାରେଡ୍‌ରେ ଅଂଶଗ୍ରହଣ କରି ୨୦୨୫ ଅଗଷ୍ଟ ୧୫ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୨୦୨୬ମସିହା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ଅନୁଷ୍ଠାନ। ଏତଦ୍‌ବ୍ୟତୀତ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ମହୋତ୍ସବ ବା ପଲ୍ଲିଶ୍ରୀ ମେଳାରେ “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ”ଷ୍ଟଲରେ ଲୋକମାନଙ୍କ ଅଭାବକୁ ଦୃଷ୍ଟିରେ ରଖି ସହଯୋଗର ହାତ ବଢାଇଛି ଏହି ଅନୁଷ୍ଠାନ। ଏହି କାର୍ଯ୍ୟକ୍ରମକୁ ସଂଘ ପକ୍ଷରୁ ରାଜ୍ୟର କିଛି ଜନଜାତି ଅଞ୍ଚଳରେ ମଧ୍ୟ ପରିଚାଳନା କରାଯାଇଛି । ପ୍ରତିବର୍ଷ ଅଗଷ୍ଟ ୧ରୁ୧୫ ମଧ୍ୟରେ “ହର ଘର ଏକ ପୈାଧା”କାର୍ଯ୍ୟକ୍ରମ କରି ସାରାଦେଶରେ ବହୁଳମାତ୍ରାରେ ବୃକ୍ଷରୋପଣ କରିବାରେ ସକ୍ଷମ ହୋଇଛି ସଙ୍ଘ । କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ମଧ୍ୟ ବିଭିନ୍ନ ଗଛର ଚାରା ରୋପଣ କରାଯାଇଛି । ତତ୍‌ସହିତ ଦୀପାବଳୀ ପରି ଶୁଭ ଅବସରରେ ଭାରତୀୟ ସୀମା ଉପରେ, ବାହାରେ ଏବଂ ଭିତରେ ଥିବା ସୈନ୍ୟମାନଙ୍କ ପାଇଁ ଏବଂ ଦେଶ ପାଇଁ ସହିଦ୍ ହୋଇଥିବା ଅମର ଯବାନ ଓ ଅନ୍ୟ ସୈନିକମାନଙ୍କୁ ପ୍ରେରଣା ଦେବା ନିମନ୍ତେ “ଏକ୍ ଦୀପକ୍ ବୀର୍ ଜବାନ କେ ନାମ”କାର୍ଯ୍ୟକ୍ରମ କରାଯାଉଛି। ବାତ୍ୟା, ବନ୍ୟା, ଘରପୋଡି ଭଳି ପ୍ରାକୃତିକ ବିପଦ ସମୟରେ ମଧ୍ୟ ଦୁଃଖୀ ଓ ପୀଡିତା ମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହାସହ ଗୋରୁଗାଈମାନଙ୍କୁ ଖାଦ୍ୟ ଓ ଗରୀବ ଶିଶୁମାନଙ୍କୁ ପୁସ୍ତକ ପ୍ରଦାନ କରାଯାଇଥାଏ । ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଉଭୟ ସାମାଜିକ ଓ ଗଣମାଧ୍ୟମ ଦ୍ୱାରା ପ୍ରସାର ପ୍ରଚାର କରାଯାଇ ଆସୁଅଛି । କୋଭିଡ୍ ସମୟରେ ଜିଲ୍ଲାରେ ସଚେତନତା ରାଲି କରାଯିବା ସହ ସମସ୍ତଙ୍କୁ ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ଟିପଣୀ ପ୍ରଦାନ ମଧ୍ୟ କରାଯାଉଛି । ଆସୋସିଏସନ୍ ପକ୍ଷରୁ ପ୍ରତିବର୍ଷ ଜିଲ୍ଲାସ୍ତରୀୟ ମେଗା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଯେଉଁଥିରେ ୬ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନିଅନ୍ତି ଓ କୃତୀଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ । ଶିକ୍ଷା କ୍ଷେତ୍ରରେ ପ୍ରତିବର୍ଷ ଦଶମ, ଦ୍ୱାଦଶ ଓ ସ୍ନାତକ(+୩)ରେ ଟପରମାନଙ୍କୁ ସମ୍ମାନିତ କରାଯାଏ ଓ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରି ପ୍ରୋତ୍ସାହିତ କରାଯାଇଥାଏ। ସ୍ୱାସ୍ଥ୍ୟ ନିମନ୍ତେ ପ୍ରତିବର୍ଷ ରକ୍ତଦାନ ଶିବିର ଓ ୨୦୨୫ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଯେଉଁଥିରେ ସାଧାରଣ ଔଷଧ, ଚକ୍ଷୁ, ଦନ୍ତ ପରୀକ୍ଷା କରାଯାଇ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସଂଘରେ ୨୫୩ ଜଣ ସଦସ୍ୟ ସଦସ୍ୟା ଯୋଗଦେଇ ସହଯୋଗର ହାତ ଆଗକୁ ବଢାଇଛନ୍ତି। ନିଜର ବ୍ୟକ୍ତିଗତ କାର୍ଯ୍ୟରତ ସମୟ ମଧ୍ୟରୁ କିଛି ସମୟ ସମାଜର ହିତ ନିମନ୍ତେ ଅତିବାହିତ କରିବାକୁ ଆସୋସିଏସନର ସଦସ୍ୟମାନେ ପ୍ରଚେଷ୍ଟା ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ