କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା ଦାବିକରି ଗଠିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ମାସିକ ବୈଠକ ରବିବାର ଅପରାହ୍ନରେ ପବ୍ଲିକ୍ ସ୍କୁଲ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ଅଭୟ ଚନ୍ଦ୍ର ମିଶ୍ର ଗତ ବୈଠକର ବିବରଣୀ ପାଠ କରି ଗତ ମାସ ମଧ୍ୟରେ ଗୃହୀତ କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ । ଗତ ଶାରଦୀୟ ଦୁର୍ଗାପୂଜା ମଣ୍ଡପମାନଙ୍କରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇ କେତେକ ମଣ୍ଡପରେ ସେମାନେ ବ୍ୟାନାର ପ୍ରଦର୍ଶନ କରିଥିଲେ ବୋଲି ଶ୍ରୀ ମିଶ୍ର ବୈଠକରେ ଜଣାଇଥିଲେ ।ଆସନ୍ତା ମାସରେ କୃଷି ମନ୍ତ୍ରୀ, କୃଷି ବିଭାଗ ସଚିବ ଓ କୃଷି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସମିତିର ପ୍ରତିନିଧିମାନେ ସାକ୍ଷାତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ସଂପର୍କରେ ପୂର୍ବରୁ ଦିଆଯାଇଥିôବା ପ୍ରସ୍ତାବ ଉପରେ ପ୍ରତିନିଧିମାନେ ଆଲୋଚନା କରିବେ । ବିଭିନ୍ନ ବ୍ଲକ୍ର ପଞ୍ଚାୟତ ସମିତି ବୈଠକରେ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ସମର୍ଥନ କରି ପ୍ରସ୍ତାବ ଗ୍ରହଣ କରିବାକୁ ବ୍ଲକ୍ ଅଧ୍ୟକ୍ଷମାନଙ୍କୁ ନିବେଦନ କରାଯାଇଛି । ସମିତିର ସଭ୍ୟ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହି ବୈଠକରେ ସର୍ବଶ୍ରୀ ରବିନାରାୟଣ ଭୋଳ, ଶ୍ୟାମସୁନ୍ଦର ଜେନା, ପ୍ରବୋଧ କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ି, ଗୌରାଙ୍ଗ ପାଣିଗ୍ରାହୀ, ଡ. କ୍ଷିତିଶ୍ୱର ଦାଶ, ହରନାରାୟଣ ମଢ଼ୁଆଳ ଓ ଅପର୍ଣ୍ଣା ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଫୁଲ୍ଲ କୁମାର ଦାସ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ ।