କେନାଲ ରାସ୍ତାରେ ନିକୃଷ୍ଟ ସାମଗ୍ରୀ ବ୍ୟବହାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟରୁ ପରମାନନ୍ଦପୁର ଵଜାର ଯାଏଁ ଯାଇଥିଵା କେନାଲ ରାସ୍ତାର ଏଵେ ପ୍ରଶସ୍ତିକରଣ କାର୍ଯ୍ୟ ହେଉଛି। ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ କେନାଲ ସମେତ ଅନ୍ୟ ତିନିଗୋଟି କେନାଲର ନବୀକରଣ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ ହୋଇଥିଲା। ସେହି ଅନୁସାରେ ଠିକାଦାର ଜଣକ କେନାଲ ରାସ୍ତା ନବୀକରଣ ପାଇଁ ବିଭାଗ ସହିତ ଚୁକ୍ତି କରିଥିବା ବେଳେ କାମ ଅତି ନିକୃଷ୍ଟ ମାନର ହେଉଥିବା ଅଭିଯୋଗ ହେଉଛି। ଚୁକ୍ତି ଅନୁଯାୟୀ ଏହା ପୂର୍ବରୁ ଠିକାଦାର ଜଣକ ଧାମନଗର ଜଳସମ୍ପଦ ବିଭାଗ ଅଧିନ ବରୋଦା ବଜାର ଠାରୁ ଆଲିହା ଯାଏଁ ୩ନଂ କେନାଲର ମରାମତି କାର୍ଯ୍ୟ ମଧ୍ୟ କରିଥିଲେ। ରାସ୍ତା କାମରେ ଅତି ଖରାପ ମେଣ୍ଟାଲ ଓ ମାଟିମିଶା ମୋରମ ବ୍ୟବହାର ହୋଇଥିବା ସ୍ଥାନୀୟ ଲୋକେ ସେତେବେଳେ ଅଭିଯୋଗ କରିଥିଲେ। ଯେଉଁଥି ପାଇଁ କାମ ଅନେକ ଦିନ ହେବ ଅସମ୍ପୂର୍ଣ୍ଣ ଭାବେ ପଡିରହିଥିଲା। ଅନୁରୂପ ଭାବେ ଠିକାଦାର ଜଣକ ମଧ୍ୟ ଆଖୁଆପଦା ଠାରୁ ପରମାନନ୍ଦପୁର ଯାଏଁ ଯାଇଥିବା କେନାଲର ପ୍ରଶସ୍ତିକରଣ କାମ ପାଇଁ ମେ ମାସରେ କାର୍ଯ୍ୟ ଆରମ୍ଭ କରିଥିଲେ। ଆରମ୍ଭରୁ ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏସ୍ଟିମେଣ୍ଟ ଅନୁଯାୟୀ ସଠିକ କାମ ହେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ଠିକାଦାର ଆରମ୍ଭରୁ କାମ ଛାଡ଼ିଦେଇ ଛୁ ମାରିଥିଲା। ଏବେ ପୁଣି କାମ ଆରମ୍ଭ କରିଥିବା ବେଳେ ଅତି ଛୋଟ ତଥା ନିକୃଷ୍ଟ ମାନର ମେଣ୍ଟାଲ କାମରେ ବ୍ୟବହାର ହେଉଛି। ଏହାଛଡା ଆବଶ୍ୟକ ପରିମାଣର ଡ଼ଷ୍ଟ ଓ ଆବଶ୍ୟକ ପରିମାଣର ସାମଗ୍ରୀ ବ୍ୟବହାର ହେଉନଥିବା ଅଭିଯୋଗ ଆସିଛି। ଏପରିକି ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦/୨୦୦ମିଟର ଦୂରରେ କାମ ହେଉଥିବା ବେଳେ କ୍ଷେତ୍ରରେ ବିଭାଗୀୟ ଯନ୍ତ୍ରୀ କିମ୍ବା କର୍ମଚାରୀ ରହୁନଥିବାରୁ ମନମୁଖୀ ଭାବେ କେନାଲ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ହେଉଥିବା ପରମାନନ୍ଦପୁର, ବାଲିପୋଖରୀ, ଜଗନ୍ନାଥପ୍ରସାଦ ଗ୍ରାମର ବୃଦ୍ଧିଜୀବୀ ମାନେ ଜଣାଇଛନ୍ତି। ଗମନାଗମନ ଉପଯୋଗୀ ଉକ୍ତ କେନାଲ ରାସ୍ତାର ନିକୃଷ୍ଟ କାମକୁ ନେଇ ଆଗାମୀ ଦିନରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ