କେନାଲ ସଫେଇ ଆଳରେ ଲକ୍ଷ ଲକ୍ଷଟଙ୍କା ହେରଫେର ଅଭିଯୋଗ
ନିମାପଡ଼ା, (ସନ୍ତୋଷ ଦାଶ) :ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ଆସିବ ଏବଂ ସ୍ଵାଭାବିକ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମାତ୍ର ଦୁର୍ବଳ ମୌସୁମୀ କାରଣରୁ ଆବଶ୍ୟକୀୟ ବର୍ଷା ନ ହେବାରୁ ଚାଷୀକୁଳ ସଂକିତ ହୋଇ ପଡ଼ିଛନ୍ତି । ଚଳିତ ବର୍ଷ ଜୁନ ୧୬ ତାରିଖରେ ମୌସୁମୀ ଆସିବା ପରେ ସାରା ରାଜ୍ୟରେ ପାକ୍ ମୌସୁମୀ ବର୍ଷା ହୋଇଥିଲା ।ଆଉ ବର୍ଷା ନ ହେବାରୁ ଚଳିତ ବର୍ଷ ଖରିଫ ଫସଲ ପାଇଁ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଛି । ସାଧାରଣତଃ ପ୍ରତିବର୍ଷ ରଜ ବେଳକୁ କିଛି ପରିମାଣ ର ବର୍ଷା ହୋଇଥାଏ । ପାଗ ବେଶ ଅନୁକୂଳ ଥାଏ। ଚାଷୀ ମାନେ କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଚିତା ଲାଗି ଅମାବାସ୍ୟା ଗଲାଣି ମାତ୍ର ବର୍ଷା ଅଭାବରୁ ବିଲରେ ରୁଆ ବେଉଷଣ କାର୍ଯ୍ୟ ପ୍ରାୟତଃ ଆରମ୍ଭ ହୋଇନଥିବା ଜଣାପଡିଛି । ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସାଧାରଣତଃ ମେ ମାସରେ ହାରାହାରି ବୃଷ୍ଟିପାତ ୬୫/୭୦ମି ମି, ଜୁନ ମାସରେ ସ୍ଵାଭାବିକ ବର୍ଷା ୨୧୯ ମି. ମି ,ଜୁଲାଇରେ ୨୯୨ରୁ ୩୩୯ ମି. ମି ବର୍ଷା ହେବା କଥା ମାତ୍ର ଜୁନ ମାସ ଓ ଜୁଲାଇ ମାସରେ କମ ବର୍ଷା ହୋଇଛି । ଫଳରେ ଚାଷ କାର୍ଯ୍ୟ ଆଗେଇପାରୁନି । ଧାରା ଶ୍ରାବଣ ମାସରେ ମୁଣ୍ଡ ଫଟା ଖରା ଚାଷୀ ତଥା ଜନ ସାଧାରଣଙ୍କୁ ଅତିଷ୍ଟ କଲାଣି । ମୌସୁମୀ ଜନିତ ନିମ୍ନ ଚାପ ରେଖା ସ୍ଵାଭାବିକ ଅବସ୍ଥିତି ରୁ ଉତ୍ତରରେ ରହିଥିବାରୁ ରାଜ୍ୟରେ ମୌସୁମୀ ଦୁର୍ବଳ ସ୍ଥିତିରେ ରହିଥିବା ପାଣିପାଗ ବିଭାଗ କହୁଛି । ଏହାର ପ୍ରଭାବରେ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ଜଳୀୟ ବାଷ୍ପ ଉତ୍ତପ୍ତ ବାୟୁ ମଣ୍ଡଳ ସଂସ୍ପର୍ଶରେ ଆସିବା ଦ୍ବାରା କେତେକ ଅଞ୍ଚଳରେ ବର୍ଷା ର ସମ୍ଭାବନା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପୁର୍ବାନୁମାନ କରିଛି । ନିମାପଡ଼ା କୃଷି ଜିଲ୍ଲାରେ ପ୍ରାୟ ୫୪ ହଜାର ୬୦୦ହେକ୍ଟର ଜମିରେ ଧାନ ଫସଲ ହେବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଥିଲା ।ସେଥିମଧ୍ୟରୁ ପ୍ରାୟ ୫୧ହଜାର୬୩୦ ହେକ୍ଟର ଜମିରେ ଜଳସେଚନ ର ସୁବିଧା ରହିଛି । ଦୁଇ ଦିନ ହେଲା କେନାଲ ରେ ପାଣି ଛଡା ଯାଇଥିଲେ ମଧ୍ୟ କେନାଲ ର ଶେଷ ମୁଣ୍ଡରେ ପାଣି ପହଞ୍ଚି ପାରିନାହିଁ ଏଣୁ ବିଲକୁ ପାଣି ମାଡୁ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । କେନାଲ ରୁ ଘାସ ଚଞ୍ଛା ଆଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ବେଳେ କେନାଲ ର ଶେଷ ମୁଣ୍ଡରେ ପାଣି ପହଂଚୁ ନ ଥିବା ଅଭିଯୋଗ ହେଉଛି । ନିମାପଡ଼ା ବ୍ଲକ ର ଚାରିଛକ ଠାରେ ଜଳସେଚନ ବିଭାଗ ର ଏକ କାଯ୍ୟାଳୟ ଥିଲେ ମଧ୍ୟ ସେ କାଯ୍ୟାଳୟ ସର୍ବଦା ବନ୍ଦ ରହୁଥିବାରୁ ଚାଷୀ ମାନେ କାର୍ଯ୍ୟାଳୟକୁ ଆସି ତାଲା ପଡ଼ିଥିବା ଦେଖି ନିରାଶ ହୋଇ ଫେରୁଛନ୍ତି।କେନାଲ ସଫେଇ ହେଉଛି ମାତ୍ର କେନାଲ କୁ ହୋଇଥିବା ଡ୍ରେନ ବନ୍ଦ କରାଯାଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେନାଲ ବଞ୍ଚାଅ ଓ ଚାଷୀ ବଞ୍ଚାଅ ଦାବି ନେଇ ଏକ ଆନ୍ଦୋଳନ ମୁଣ୍ଡ ଟେକି ବାର ଆଶଙ୍କା ଦେଖାଦେଇଛି । ତୁରନ୍ତ ସମସ୍ତ କେନାଲ ର ଶେଷ ମୁଣ୍ଡରେ ପାଣି ପହଞ୍ଚାଇବା ଦିଗରେ ବିଭାଗୀୟ ଅଧିକାରୀ କାର୍ଯ୍ୟ କରିବା ଜରୁରୀ ହୋଇ ପଡ଼ିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରୁ ଦାବି ହେଉଛି । କେନାଲ ସଫେଇ ଆଳରେ ଯେଉଁ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହେଉଛି ସେ ଘଟଣା ର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଚାଷୀ ମାନେ ଦାବି କରିଛନ୍ତି ।