କେନ୍ଦ୍ରାପଡାରେ ଗୋପବନ୍ଧୁ ଡିଜିଟାଲ ପାଠାଗାର ଲୋକାର୍ପଣ କେନ୍ଦ୍ରାପଡା ଇତିହାସରେ ଏକ ନୂଆଫର୍ଦ୍ଦ ଯୋଡି ହେଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ନିକଟରେ ଗୋପବନ୍ଧୁ ପାଠାଗାର ଲୋକାର୍ପିତ ହୋଇଛି । ସେହିପରି ପାଠାଗାର ସମ୍ମୁଖରେ ଗୋପବନ୍ଧୁଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶ୍ରୀ ରଥ କହିଲେ କେନ୍ଦ୍ରାପଡା ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା । କାରଣ ଏହି ପାଠାଗାରରେ ଥିବା ପୁସ୍ତକ ଗୋପବନ୍ଧୁଙ୍କ ଚେତନା ଓ ସମାଜସେବା ପାଇଁ ବୁଦ୍ଧିଜୀବୀମାନଙ୍କୁ ପ୍ରେରଣା ଯୋଗାଇବ । ଏହି ପାଠାଗାରରେ ଅଧ୍ୟୟନ କରି ଅନେକ ଯୁବକଯୁବତୀ ଦେଶରେ ସୁନାମ ଅର୍ଜ୍ଜନ କରିପାରିବେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କହିଲେ ଯେତେବେଳେ କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତାଘାଟ ନଥିଲା ସେତେବେଳେ ଗୋପବନ୍ଧୁ ଡଙ୍ଗାରେ ବୁଲି ବନ୍ୟା ଓ ବାତ୍ୟା ବିପନ୍ନଙ୍କ ନିକଟରେ ରିଲିଫ ପହଞ୍ଚାଉଥିଲେ । ଗୋପବନ୍ଧୁଙ୍କ ଦର୍ଶନରୁ ଆଗାମୀ ପିଢିର ଯୁବକଯୁବତୀ ବହୁ ଜ୍ଞାନ ଅର୍ଜନ କରିପାରିବେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହେବା ପାଇଁ କହିଥିଲେ । ଏହି ଅବସରରେ “ସମାଜ” ଅନୁଷ୍ଠାନ ପକ୍ଷରୁ ପାଠାଗାରକୁ ଗୋପବନ୍ଧୁଙ୍କ ସାହିତ୍ୟ ଓ ଦର୍ଶନ ସମ୍ପର୍କିତ ୭୦ଟି ପୁସ୍ତକ ପ୍ରଥମ ଦଫାରେ ପ୍ରଦାନ କରାଯାଇଥିଲା । ଅଧିକ ପୁସ୍ତକ ପାଠାଗାରକୁ ପ୍ରଦାନ କରାଯିବ ବୋଲି ଶ୍ରୀ ରଥ କହିଥିଲେ । ଏହି ଅବସରରେ ବିଧାୟକ ଆଞ୍ଚଳିକ ପାଣ୍ଠିରୁ ୨୯ଲକ୍ଷ ଟଙ୍କା ବ୍ୟୟରେ କିଣା ଯାଇଥିବା ଏକ ଜୀବନରକ୍ଷାକାରୀ ବ୍ୟବସ୍ଥା ରହିଥିବା ଆମ୍ବୁଲାନ୍ସକୁ ଶ୍ରୀ ରଥ ବିଧାୟକ ଶ୍ରୀ ବେହେରା ଓ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ସହିତ ରୋଗୀ ସେବା ପାଇଁ ଉତ୍ସର୍ଗ କରିଥିଲେ । ଭାବଗ୍ରାହୀ କଳାନିକେତନ ପକ୍ଷରୁ ସମ୍ପାଦକ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ସ୍ୱାଗତ ସଂଗୀତ ଓ ମିଶୁ ମୋର ଦେହ ଏଦେଶ ମାଟିରେ ସଂଗୀତ ଗାନ କରାଯାଇଥିଲା । ଶ୍ରୀ ରଥଙ୍କ ସହିତ ସମାଜର ବରିଷ୍ଠ ସହ ସମ୍ପାଦିକା ମମତା ବିଶୋଇ ଓ କାର୍ଟୁନିଷ୍ଟ ଜ୍ଞାନ ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଡଃ. ବାସୁଦେବ ଦାସ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ତୁଳସୀ ମହିଳା କଲେଜ ଅଧ୍ୟକ୍ଷ ରଞ୍ଜିତରଞ୍ଜନ ସାହୁ, ଇନ୍ଦୁପୁର କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଅଜୟ ସାମଲ, ଡଃ. ଗଦାଧର ମଲ୍ଲିକ, ଭଜକୃଷ୍ଣ ରାଉତ, ଇଶ୍ୱର ଚନ୍ଦ୍ର ସାହୁ, ଡା. ବିଶ୍ୱ ପ୍ରକାଶ କାନୁନଗୋ, ପ୍ରଫେସର ବୈଷ୍ଣବ ସିଂହ, ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦର ଆବାହକ ରାଜେଶ ପଣ୍ଡା, ଶିକ୍ଷାବିତ ଉପେନ୍ଦ୍ର ନାଥ ସ୍ୱାଇଁ, ଦେବଦାସ ମହାନ୍ତି, ସଞ୍ଜୟ କୁମାର ଜେନା, ଭୀମସେନ ଭୂୟାଁ, ଶକ୍ତିକାନ୍ତ ପାତ୍ର, ପ୍ରଦିପ ସାହୁ, ହିରଣ୍ୟ ପଣ୍ଡା, ଜ୍ୟୋସ୍ନାନାରାଣୀ ଜେନା, ଦଶରଥ ମଳିକ, ରୋସ୍ନା ସାହୁ, ଶିବ ପ୍ରସାଦ ଭଳ, ଆଲୋକ ସାହୁ, ରଞ୍ଜିତ ସାହୁ, କାଳି ପ୍ରସାଦ ମିଶ୍ରଙ୍କ ସମେତ ‘ସମାଜ’ର ଜିଲ୍ଲା ପ୍ରତିନିଧି ସୋମନାଥ ସାହୁ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ