କେନ୍ଦ୍ରାପଡାରେ ୬୩ତମ ପୋଲିସ ସହିଦ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଶୁକ୍ରବାର ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର ସେବାରେ ପ୍ରାଣବଳୀ ଦେଇଥିଲେ । ୧୯୬୦ମସିହା ଜାନୁଆରୀ ମାସରେ ଦେଶର ସମସ୍ତ ଆରକ୍ଷୀ ମହାନିରୀକ୍ଷକମାନଙ୍କର ଅନୁଷ୍ଠିତ ସମ୍ମିଳନୀରେ ଏହି ଦିବସକୁ ସହିଦ ଦିବସ ରୂପେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଏବଂ ପୋଲିସ ପ୍ରତିଷ୍ଠାନମାନଙ୍କରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ କର୍ତ୍ତବ୍ୟ କରୁଥିବା ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ବା ରାଷ୍ଟ୍ର ପାଇଁ ସର୍ବୋଚ ତ୍ୟାଗ ସ୍ୱୀକାର କରିଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ୧୯୬୦ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ଦେଶର ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ବୀର ପୋଲିସମାନେ ବୀରତ୍ୱ ସହିତ କର୍ତ୍ତବ୍ୟ ସମ୍ପାଦନ କରି ସେମାନଙ୍କ ଦାୟିତ୍ୱ ନିର୍ବାହ କରିଥାନ୍ତି । ତେଣୁ ଗତ ବର୍ଷକ ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ଦେଶର ୨୬୫ଜଣ ବୀର ପୋଲିସ ମଧ୍ୟରୁ ଓଡିଶାର ୩ଜଣ ପୋଲିସ ସିପାହୀ ସୀତାରାମ ମୁର୍ମୁ, ହାବିଲଦାର ସୂର୍ଯ୍ୟକାନ୍ତ ଓ ସୀପାହୀ ମାଝି କୈବର୍ତ୍ତ ପ୍ରମୁଖଙ୍କ ପ୍ରତି ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକରଙ୍କ ସମେତ କେନ୍ଦ୍ରାପଡା ଏସ. ଡି. ପି. ଓ. ଜୟନ୍ତ ମହାପାତ୍ର, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଡିଏସପି ଗୈାରାଙ୍ଗ ଚରଣ ସାହୁ, ଡିଏସପି କୃଷ୍ଣ ପ୍ରସାଦ ମିଶ୍ର, ଡିଏସପି ଲକ୍ଷ୍ମୀ ନାରାୟଣ ତିୱାରୀ, ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ, ଟାଉନ ଥାନା ଇନସପେକ୍ଟର ତପନ କୁମାର ନାୟକ, ଇନିସପେକ୍ଟର ସଶ୍ମିତା ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୋଲିସ ରିଜର୍ଭ ପଡିଆରେ ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ଅଭିବାଦନ ଗ୍ରହଣ କରିଥିଲେ ।