କେନ୍ଦ୍ରାପଡା ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଟାଉନ ଥାନା ପକ୍ଷରୁ ୪ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣଙ୍କର କରୋନା ପଜିଟିଭ ବାହାରିବାରୁ ସେହି ଅଭିଯୁକ୍ତଙ୍କୁ ଛତାସ୍ଥିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ଦିଆଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ବୁଧବାର ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରି କହିଥିଲେ ଯେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କ ସହିତ କେନ୍ଦ୍ରାପଡାର ଅପରାଧୀକ ମାମଲାର ସମୀକ୍ଷା କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ପଡିରହିଥିବା ପୁରୁଣା ମାମଲା ଗୁଡିକର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହି ଅନୁଯାଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକରଙ୍କ ନିର୍ଦେଶରେ ୪ଟି ଟିମ ଗଠନ କରାଯାଇ ବିଭିନ୍ନ ପୁରୁଣା ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । କେନ୍ଦ୍ରାପଡା ଟାଉନ ଥାନାର କେଶ ନମ୍ବର ୧୩୫/୨୦୧୭ରେ ଜଣେ ଝିଅକୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକରୁ ଉଠେଇ ନେଇଥିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚାହାପଡା ଗ୍ରାମର ମୀନକେତନ ମଳିକଙ୍କ ପୁଅ ରାକେଶ ମଳିକ(୨୬)କୁ ଭୂବନେଶ୍ୱରରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କେଶ ନମ୍ବର ୧୭୨/୨୦୧୮ରେ ଭଗବାନପୁର ଗ୍ରାମର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ମଳିକଙ୍କ ସମେତ ହୃଷିକେଶ ମହାନ୍ତିଙ୍କ ପତ୍ନୀ ରୀନା ଓରଫ ଗାୟତ୍ରୀ ମହାନ୍ତିଙ୍କୁ ମହାକାଳପଡାରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କେଶ ନମ୍ବର ୧୦୯/୨୦୧୯ରେ ସାନମଙ୍ଗଳା ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ ଥାନା ଅନ୍ତର୍ଗତ ବିଜୟଚାନ୍ଦପୁର ଗ୍ରାମର ସୁବଳ ମନ୍ତ୍ରୀଙ୍କ ପୁଅ ବୃନ୍ଦାବନ ମନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଟାଉନ ଥାନା କେଶ ନମ୍ବର ୧୦୫/୨୦୧୯ରେ ଟାଉନ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଶୁକରପଡା ଗ୍ରାମର ଶଶୁର ଘରେ ଥିବାଚକଡା ଗ୍ରାମର କୃଷ୍ଣଚନ୍ଦ୍ର ମଳିକଙ୍କ ପୁଅ ପତିଆ ଓରଫ ଗୁଣନିଧି ମଳିକ(୩୫)କୁ ଗିରଫ କରାଯାଇଥିଲା । କିନ୍ତୁ ପତିଆର ଡାକ୍ତରୀ ପରୀକ୍ଷାରେ କରୋନା ପଜିଟିଭ ବାହାରିବାରୁ ତାକୁ ଛତାସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରୁ ବାହାରିବା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆଇଆଇସି ସୁମନ୍ତ କିଷାନ, ତଦନ୍ତକାରୀ ଅଧିକାରିଣୀ ଏସ.ଆଇ. ପ୍ରଜ୍ଞାଶ୍ରୀ ନାୟକ ଓ ଏସ.ଆଇ. କାଦମ୍ବିନୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ