କେନ୍ଦ୍ରାପଡା କଲେଜ ପରିଚାଳନା ପରିଷଦକୁ ଘେରିବେ ପୁରାତନ ଛାତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିଚାଳନା ପରିଷଦକୁ ପୁରାତନ ଛାତ୍ରମାନେ ଘେରିବେ ବୋଲି କହିଛନ୍ତି । ଶନିବାର ମହାବିଦ୍ୟାଳୟ ପରିଚାଳନା ପରିଷଦର ବୈଠକ ହେବାକୁ ଯାଉଛି । ଏଥିରେ ଯୋଗଦେବାକୁ ଆସୁଥିବା ପରିଷଦର ସଦସ୍ୟମାନଙ୍କୁ ପୁରାତନ ଛାତ୍ରମାନେ ଘେରିବାକୁ ଘୋଷଣା କରିଛନ୍ତି । ମହାବିଦ୍ୟାଳୟରୁ ଏସି ଚୋରି ଘଟଣା ସମେତ କୋଟି କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ବେଳେ ଉନ୍ନୟନ କାର୍ଯ୍ୟ ନାମରେ ମଧ୍ୟ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ଉପରେ ମହାବିଦ୍ୟାଳୟ ପରିଚାଳନା ପରିଷଦ ନିରବ ରହିଛି । ପରିଷଦର ସଦସ୍ୟ ଥିବା ଜନୈକ ଅଧ୍ୟାପକ ମହାବିଦ୍ୟାଳୟର ଭଙ୍ଗା ଯାଇଥିବା ଗୃହର ଆଜବେଷ୍ଟସ, କାଠର ବରଗା, କଡି, କବାଟ, ଝରକା ପ୍ରଭୃତି ବହୁ ମୂଲ୍ୟବାନ ସାମଗ୍ରୀ ବିନା ନିଲାମରେ ଘରକୁ ନେଇଯାଇଛନ୍ତି । ମହାବିଦ୍ୟାଳୟରେ ବିଭିନ୍ନ ସମୟରେ ବିଶୃଙ୍ଖଳାମାନ ଘଟିଚାଲିଛି । ଏସମସ୍ତ ଘଟଣାରେ ମହାବିଦ୍ୟାଳୟ ପରିଚାଳନା ପରିଷଦ ଚୁପ୍ ରହୁଥିବାରୁ ଦିନକୁ ଦିନ ମହାବିଦ୍ୟାଳୟର କ୍ଷତି ପରେ କ୍ଷତି ହୋଇ ଚାଲିଛି । ମହାବିଦ୍ୟାଳୟ ପରିଚାଳନା ପରିଷଦ ବୈଠକ ବହୁ ଦିନ ଧରି ବସିନଥିବା ବେଳେ ଆସନ୍ତା ୨୮ତାରିଖରେ ବସିବାକୁ ପ୍ରଥମେ ସ୍ଥିର ହୋଇଥିଲା । କିନ୍ତୁ ହଠାତ ତାହାକୁ ବଦଳାଯାଇ ଶନିବାର ବୈଠକ ବସିବାକୁ ସ୍ଥିର କରାଯାଇଛି । ତେଣୁ ଉପରୋକ୍ତ ସମସ୍ତ ଘଟଣାକୁ ନେଇ ମହାବିଦ୍ୟାଳୟ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁରାତନ ଛାତ୍ରମାନେ ମହାବିଦ୍ୟାଳୟର ପରିଚାଳନା ପରିଷଦକୁ ଘେରିବେ ବୋଲି ପୁରାତନ ଛାତ୍ର ପ୍ରତାପ ମହାନ୍ତି, ଭାଗୀରଥି ଜେନା, ବିଧୁଭୂଷଣ ମହାପାତ୍ର, ଦୈତାରୀ ସେଠୀ, ପରମାନନ୍ଦ ମହାରଣା, ଅକ୍ଷୟ ମହାରଣା, ସୁଜିତ ବେହେରା ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ