କେନ୍ଦ୍ରାପଡା ଜିଲାରେ ବାଲ୍ୟ ବିବାହ ବନ୍ଦ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସମ୍ପ୍ରତି ବାଲ୍ୟ ବିବାହ ବହୁ ମାତ୍ରାରେ ଅବାଧରେ ଚାଲୁଥିବା ବେଳେ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ର କାର୍ଯ୍ୟକାରିତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ରାପଡା ବ୍ଲକ ସଭାଗୃହରେ ଆଜି କଟକର ସଂଯୋଗ ଅନୁଷ୍ଠାନ ତଥା ଜିଲା ଶିଶୁ ମଙ୍ଗଳ ସମିତି ଓ ଜିଲା ଶିଶୁ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣ୍‌ୀ ବେହେରା, ଜିଲା ସମାଜ କଲ୍ୟାଣ ଅଧିକାରିଣୀ ଚିହ୍ମୟୀ ରଥ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ସଂଯୋଗର କ୍ଷେତ୍ରୀୟ ସଂଯୋଜିକା ରୂପାଲି ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଜିଲାରେ କିଭଳି ଆଇନ ପରିସରର ମଧ୍ୟରେ ଏହି ସେବା ଯୋଗାଇ ଦିଆଯାଉଛି ତାହାର ଏକ ଚିତ୍ର ଉପସ୍ଥାପନା କରିଥିଲେ । ଜିଲା ସମାଜ କଲ୍ୟାଣ ଅଧିକାରିଣୀ ତାଙ୍କ ଅଭିଭାଷଣରେ ଜିଲାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ପ୍ରତି ଗ୍ରାମପଞ୍ଚାୟତସ୍ତରରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବିତ କମିଟି ଗଠନ କରାଯାଇ ନିୟମିତ ବୈଠକ କରିବାକୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତଥା ବାଲ୍ୟ ବିବାହ ନିରୋଧ ଅଧିକାରିଣୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା ତାଙ୍କ ଅଭିଭାଷଣରେ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଗ୍ରାମାଞ୍ଚଳସ୍ତରରୁ ଜିଲାସ୍ତର ପର୍ଯ୍ୟନ୍ତ ସମସ୍ତ କର୍ମକର୍ତ୍ତା ସ୍ୱତଃପ୍ରବୃତ୍ତ ଭାବେ କାମକଲେ ଖୁବ୍ ଶୀଘ୍ର ଏହାର ସୁଫଳ ମିଳିବ ବୋଲି ଆଶା ପୋଷଣ କରିଥିଲେ । ଅନ୍ୟତମ ଅତିଥି ତଥା କାର୍ଯ୍ୟକ୍ରମର ଅଂଶୀଦାର ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ ‘ଶିଶୁପାଇଁ ଦିନଟିଏ’ କାର୍ଯ୍ୟକ୍ରମ କିଭଳି ଜିଲାରେ କାର୍ଯ୍ୟକାରୀ ହେବ ତାହାର ଏକ ରୂପରେଖ ସମସ୍ତଙ୍କ ଅବଗତି ନିମନ୍ତେ ଉପସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲାର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତଥା ବାଲ୍ୟ ବିବାହ ନିରୋଧ ଅଧିକାରିଣୀ, ମହିଳା ସୁପରଭାଇଜର, ସ୍ୱଧାର ଗୃହ, ଶିଶୁ ଯତ୍ନ ଗୃହ, ଚାଇଲ୍ଡ ଲାଇନ, ଜିଲା ଶିଶୁ ମଙ୍ଗଳ ସମିତି ଓ ଜିଲା ଶିଶୁ ସୁରକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ଶେଷରେ ଶିଶୁ ମଙ୍ଗଳ ସମିତିର ସଭ୍ୟା ସ୍ମିତାଞ୍ଜଳୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହିତ ଏଭଳି ସଚେତନତା କାର୍ଯ୍ୟକ୍ରମ ପ୍ରତିବ୍ଲକରେ କରାଯିବାକୁ ପ୍ରସ୍ତାବ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ