କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଶୁକ୍ରବାର ପୂର୍ବାହ୍ନରେ ଉଦୟନଗରସ୍ଥିତ ପୈାରସଂସ୍ଥା କଲ୍ୟାଣ ମଣ୍ଡପ ପରିସରରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି ଭାରତ ବର୍ଷର ଯୁବ ପିଢି ଆଜି ବିଶ୍ୱର ପଥ ପ୍ରଦର୍ଶକ ସାଜିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଆମ ସଂସ୍କୃତି, କଳା ଓ ଭାଷ୍କର୍ଯ୍ୟକୁ ସାରା ବିଶ୍ୱରେ ପରିଚୟ କରିବା ସହ ବିଶ୍ୱର ଜ୍ଞାନ ବିଜ୍ଞାନ ଜୟଯାତ୍ରାରେ ସାମିଲ ହୋଇଛନ୍ତି । ଏହି ଯୁବମହୋତ୍ସବ ଲୁକ୍କାୟିତ ପ୍ରତିଭାଙ୍କ ପାଇଁ ଏକ ସୁନ୍ଦର ମଂଚ । ବହୁ ଯୁବ ପ୍ରତିଭା ନିଜର ପ୍ରତିଭାକୁ ଏହା ମାଧ୍ୟମରେ ବିକଶିତ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ ଉପନିର୍ଦେଶକ ଶ୍ରୀ ନାୟକ । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ପୋରପାଳିକାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ସହରକୁ ସୁସ୍ଥ ଓ ସବୁଜ କରିବା ପାଇଁ ଯୁବକ ଓ ଯୁବତୀମାନଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାର ବିଭିନ୍ନ ଅଚଂଳରୁ ଏହି ମହୋତ୍ସବରେ ଯୋଗଦେଇଥିବା ଯୁବକଯୁବତୀମାନେ ଲୋକନୃତ୍ୟ, ଲୋକସଂଗୀତ, ହିନ୍ଦୁସ୍ଥାନୀ, ତବଲା, ମୃଦଙ୍ଗ, ହାରମୋନିୟମ, ବକ୍ତୃତା, ଏକାଙ୍କିକା ପ୍ରଭୃତି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାକୁ ମନୋନ୍ୱିତ ହୋଇଥିଲେ । ଜିଲ୍ଲାର ୨ଶହ ଯୁବକଯୁବତୀ ଯୋଗଦେଇଥିବା ଏହି ମହୋତ୍ସବରେ ବିଚାରକ ଭାବେ ବକ୍ତୃତାରେ ଜୀବନ ଜେନା ନାଟକ,ବିଜୟ କୁମାର ସାହୁ ଓ ସେକ ହବିବ,ଲୋକ ସଂଗୀତରେ ଯୋଗେନ୍ଦ୍ର ରାଉତ ଓ ବିଭୁଦତ ମଲ୍ଲ, ତବଲା,ହାରମୋନିୟମ ଓ ମୃଦଙ୍ଗରେ ଯଥାକ୍ରମେ ସୈାମ୍ୟରଞ୍ଜନ ଦାସ,ଭାଗୀରଥୀ ଜେନା,କେଦାର ଚନ୍ଦ୍ର ସ୍ୱାଇଁ ଓ ସଞ୍ଜୟ କୁମାର ମଥାନ କାର୍ଯ୍ୟ ସମ୍ପାଦନ କରିଥିଲେ । ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ ପ୍ରସାଦ ପରିଡା ସ୍ୱାଗତ ସଂଗୀତ ପରିବେଷଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ