କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦଘାଟିତ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଗୋବରୀ ନଦୀ ପଠାରେ ମଙ୍ଗଳବାର ୭ ଦିନିଆ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ଗୋବରୀ ନଦୀର ସୁଜାନଗରସ୍ଥିତ ନଦୀପଠାରେ ଅତିଥିମାନେ ପହଁଚିବା ପରେ ନଦୀରେ ରଖାଯାଇଥିବା ଏକ ସୁସଜ୍ଜିତ ବୋଇତରେ ଅତିଥିମାନଙ୍କୁ ପଗଡି ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସାଧବାଣୀମାନେ ନଦୀ କୂଳରେ ବନ୍ଦାପନା କରିବା ପରେ ସେହି ବୋଇତଟି ନଦୀ ମଧ୍ୟକୁ ଯାଇ କିଛି ସମୟ ବୁଲି ପୁଣି ନଦୀ କୂଳକୁ ଫେରି ଆସିଥିଲା । ସେଠାରୁ ପୁନର୍ବାର ଅତିଥିମାନଙ୍କୁ ବନ୍ଦାପନା କରାଯାଇ ବାଜା ବଜାଇ ଓ ବାଣ ଫୁଟାଯାଇ ନଦୀପୀଠରେ ପ୍ରସ୍ତୁତ ସଭାମଂଚ ନିକଟକୁ ପାଛୋଟି ଅଣାଯାଇଥିଲା । ଏହି ଉପଲକ୍ଷେ କେନ୍ଦ୍ରାପଡା ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତୀତ ଉତ୍କଳର ସମୃଦ୍ଧ ନୈାବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରିବା ସହିତ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବରେ ସଂସ୍କୃତି ସହିତ ବିକାଶ ଯୋଡିହୋଇ ରହିଛି ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ଡଃ.ବାସୁଦେବ ଦାସ,ଗୁଲନଗର ସରପଂଚ ପୀତବାସ ବେହେରା,କବି କରୁଣାକର ଦାସ ପ୍ରମୁଖ ଯୋଗଦେଇ ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହ କେନ୍ଦ୍ରାପଡା ଏକ ସଂସ୍କୃତି ସଂପନ୍ନ ସହର ହୋଇଥିବାରୁ ଏହାର ଐତିହ୍ୟ,ପରମ୍ପରା ଓ ସଂସ୍କୃତିକୁ ଉଦଯିବିତ କରି ରଖିବା ପାଇଁ ଏହି ବାଲିଯାତ୍ରା ମହୋତ୍ସବ ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ ଗୁଲନଗର ଓ ଚଟିପୋଲ ର ନାମକରଣ ସମ୍ପର୍କରେ ଦୀକ୍ଷାନ୍ତ ଭାଷଣ ରଖିଥିଲେ । ଏହି ଅବସରରେ ବାଲିଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତ ମହୋତ୍ସବର ମୁଖପତ୍ର “ସ୍ମୃତିର ବୋଇତ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶିକ୍ଷାବୀତ ଶୁଭାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇନଜୀବି ରମଣୀରଞ୍ଜନ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ ଓ ସମ୍ପାଦକ ସଞ୍ଜୟ କୁମାର ଜେନା ବୀବରଣୀ ପାଠ କରିଥିଲେ । ବାଲିଯାତ୍ରା କମିଟିର ଉପସଭାପତି ଧିରେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବାରୋସ୍ଥିତ ଭାବଗ୍ରାହୀ କଲା ନିକେତନର ପିଲାମାନେ ବିମଳ ପ୍ରସାଦ ପରିଡାଙ୍କ ନିର୍ଦେଶନାରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କମିଟିର ସଦସ୍ୟ ମନୋରଞ୍ଜନ ତ୍ରିପାଠୀ, ସେକ ଚନ୍ଦନ, ସେକ ମତୁ, କିଶୋର ଚନ୍ଦ୍ର ପ୍ରଧାନ, ସତ୍ୟପ୍ରିୟ ଦାସ, ମଧୁସୁଦନ ଗେରୁ, କୁମର ଚନ୍ଦ୍ର ବାଇ, କାର୍ତ୍ତିକ ଚରଣ ନାୟକ, ଟୁଟୁ ଗେରୁ, ଚିତରଞ୍ଜନ ମିଶ୍ର, ତ୍ରିଲୋଚନ ଦାସ, ମୀର ସଫିକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ