କେନ୍ଦ୍ରାପଡା ବ୍ଲକରେ ପ୍ରଥମ ପଞ୍ଚାୟତ ସମିତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ବର୍ଷ ତ୍ରିସ୍ତରୀୟ ନିର୍ବାଚନ ପରେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ପ୍ରଥମ ବୈଠକ ବ୍ଲକ ଅଧ୍ୟକ୍ଷ ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବ୍ଲକ ପରିସରସ୍ଥ ନବନିର୍ମିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନରେଗା ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ପଞ୍ଚାୟତ ସ୍ତରରେ ମିଶନ ଶକ୍ତି କାର୍ଯ୍ୟକୁ ଆଗେଇ ନେବା ପାଇଁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପରାମର୍ଶ ଦେଇଥିଲେ । ମିଶନ ଶକ୍ତି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ସଶକ୍ତିକରଣ ସମ୍ଭବ ହୋଇ ପାରିବ ବୋଲି ବିଧାୟକ କହିଥିଲେ । ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ ସମ୍ଭବ ହୋଇ ପାରିବ ବୋଲି ବିଧାୟକ କହିଥିଲେ । ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡ଼ା ବ୍ଲକରେ କୃଷକମାନଙ୍କର କିପରି ଉନ୍ନତି ହୋଇ ପାରିବ ସେ ସଂକ୍ରାନ୍ତରେ ମଧ୍ୟ ପରାମର୍ଶ ଦେଇଥିଲେ । କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ କୃଷକମାନେ କିପରି କ୍ଷତି ପୁରଣ ପାଇ ପାରିବେ ସେ ଦିଗରେ ଜନ ପ୍ରତିନିଧିମାନେ ଉଦ୍ୟମ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ସେହିପରି ଚାଷୀମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସେମାନଙ୍କୁ ଅବଗତ କରିବା ପାଇଁ ବିଧାୟକ କହିଥିଲେ । ସର୍ବୋପରି ଜନସାଧାରଣଙ୍କୁ ସମସ୍ତ ପ୍ରକାର ସହଯୋଗ କରି କେନ୍ଦ୍ରାପଡ଼ା ବ୍ଲକକୁ ସମଗ୍ର ଜିଲ୍ଲାରେ ଏକ ନମ୍ବର ବ୍ଲକରେ ପରିଣତ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଥିଲେ । ମନରେଗା କାର୍ଯ୍ୟରେ ଯେପରି ସ୍ୱଚ୍ଛତା ରକ୍ଷା କରାଯାଇ ପାରିବ ସେ ନେଇ ବିଡିଓ ଗୁରୁତ୍ୱ ଦେଇଥିଲେ । ବୈଠକରେ ସରପଞ୍ଚ ଓ ସମିତିସଭ୍ୟମାନେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ପଞ୍ଚାୟତରେ ଅଚଳ ଥିବା ନଳକୂପକୁ ସଚଳ କରିବା ପାଇଁ ଜନ ପ୍ରତିନିଧିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଯେଉଁ ଗ୍ରାମଗୁଡିକରେ ନଳକୂପ ବ୍ୟବସ୍ଥା ନାହିଁ ସେହି ଗ୍ରାମଗୁଡିକରେ କିପରି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହୋଇ ପାରିବ ସେ ନେଇ ଜନପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ । ଏଥିସହ ଉଦ୍ୟାନ କୃଷି, ଶିକ୍ଷା, ମାଛ ଚାଷ, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ଅନୁଦାନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ୮ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ତାଙ୍କ ଜୋନ ଅନ୍ତର୍ଗତ ବଗଡ଼ା, କଳପଡ଼ା, କପାଳେଶ୍ୱର, ଓସ୍ତପୁର, ପୁରୁଷୋତ୍ତମପୁର, କଂସାର, ଆୟବା ପ୍ରମୁଖ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ସଭାକୁ ଅବଗତ କରିଥିଲେ । ସେହିପରି ମନରେଗା ଯୋଜନାରେ ପଞ୍ଚାୟତଗୁଡିକରେ ଯେଉଁସବୁ କାର୍ଯ୍ୟ ପୂର୍ବତନ ସରପଞ୍ଚମାନେ କରିଛନ୍ତି ସେଗୁଡିକର ବିଲ କିପରି ପାସ ହେବ ଏବଂ ଚଳିତ ଆର୍ଥିକ ବର୍ଷରେ କିପରି ଅଧିକ କର୍ମନିଯୁକ୍ତି ସୃଷ୍ଟି କରିହେବ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ସେ କହିଥିଲେ । ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି ତାଙ୍କ ଜୋନରେ ଥିବା ପଞ୍ଚାୟତଗୁଡିକରେ ପାନୀୟ ଜଳ ସମସ୍ୟା ଓ ରାସ୍ତାଘାଟ ସମସ୍ୟା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ । ବୈଠକରେ ୬ନମ୍ବର ଜୋନ ସଭ୍ୟା ନିର୍ମଳା ମହାନ୍ତି ଓ ୫ ନମ୍ବର ଜୋନ ସଭ୍ୟା ଲିଲିତା ଦାସ ସେମାନଙ୍କ ପଞ୍ଚାୟତରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପ୍ରସ୍ତାବ ରଖିଥିଲେ । ଓସ୍ତପୁର ସରପଞ୍ଚ ପ୍ରସନ୍ନ ରାଉତ କହିଥିଲେ ତାଙ୍କ ପଞ୍ଚାୟତରେ ଥିବା ବୀରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଦେଖା ଦେଇଛି । ଫଳରେ ପାଠପଢା ସଠିକ ଭାବେ ହୋଇ ପାରୁନାହିଁ । ୮ଟି ଶ୍ରେଣୀ ପାଇଁ ମାତ୍ର ୬ଜଣ ଶିକ୍ଷକ ଅଛନ୍ତି । ସେହିପରି ଏହି ପଞ୍ଚାୟତର କଦଳୀବାଡି ପ୍ରାଥମିକ ବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ନାହିଁ । ଏ ନେଇ ତହସିଲଦାରଙ୍କୁ ବାରମ୍ବାର କହିଲେ ମଧ୍ୟ ସେ ଏହାକୁ କର୍ଣ୍ଣପାତ କରୁ ନ ଥିବା ସେ କହିଥିଲେ । ବୈଠକରେ ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ନିର୍ମାଣ କରାଯାଇଥିବା ସଭାଗୃହକୁ ବିଧାୟକ ଶଶୀଭୂଷଣ ବେହେରା ଉଦ୍‌ଘାଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ