କେନ୍ଦ୍ରାପଡା ରାଜ୍ୟସ୍ତରୀୟ ବିଂଶତମ ପୁସ୍ତକମେଳା ଉଦ୍‌ଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ ପକ୍ଷରୁ ସ୍ଥାନୀୟ ଟେଲିକମ୍ ଗ୍ରାଉଣ୍ଡରେ ଆୟୋଜିତ ରାଜ୍ୟସ୍ତରୀୟ ବିଂଶତମ ପୁସ୍ତକମେଳା ରବିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । କେମ୍‌ର ସଭାପତି ଅକ୍ଷୟ କୁମାର ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଠ ସାହିତ୍ୟକ ତଥା ସ୍ତମ୍ଭକାର ହରପ୍ରସାଦ ଦାସ ଉଦଘାଟକ ଭାବେ ଯୋଗଦେଇ ଏହି ପୁସ୍ତକମେଳାକୁ ଉଦ୍‌ଘାଟନ କରି କହିଥିଲେ ଯେ ପୁସ୍ତକ କେବଳ ବ୍ୟକ୍ତିର ସିଦ୍ଧିରେ ସହାୟକ ହୋଇନଥାଏ ବରଂ ସମାଜ ଗଠନରେ ପୁସ୍ତକର ଭୁମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରାବନ୍ଧିକ ତଥା ଭାଷାବିତ୍ ଡଃ. ନଟବର ଶତପଥି ଯୋଗଦେଇ କହିଥିଲେ ଯେ ସାହିତ୍ୟ ହେଉଛି ସେତୁ ସଦୃଶ । ଏହା ବ୍ୟକ୍ତିକୁ ବ୍ୟକ୍ତି ସହିତ ଯୋଡିଥାଏ । ତେଣୁ ପୁସ୍ତକର କୈାଣସି ବିକଳ୍ପ ନାହିଁ । ଯେଉଁ ଘରେ ପୁସ୍ତକଟିଏ ନାହିଁ ସେ ଘର ପ୍ରାଣ ନଥିବା ଶରୀର ଭାବେ ବିବେଚନା କରାଯାଇଥାଏ । ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥି ଯୋଗଦେଇ ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ପରିପୂରକ ବୋଲି ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ସେ ପୁଣି କହିଥିଲେ ଯେ ସମ୍ବାଦ ବିନା ସାହିତ୍ୟ ସମାଜକୁ ଦିଗ୍ ଦର୍ଶନ ଦେଇପାରିବ ନାହିଁ । ସମ୍ବାଦ ଏବଂ ସାହିତ୍ୟ ଗୋଟିଏ ପେନ୍ଥାର ଦୁଇଟି ଫୁଲ । ସୁନନ୍ଦା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଂଶୀଧର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । କେମର ସମ୍ପାଦକ ଜାହିଦ ଖାଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଦିବଂଗତ ସାହିତ୍ୟିକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ପୁସ୍ତକମେଳାର ମୁଖପତ୍ର “କେନ୍ଦ୍ରାପଡା ପରିକ୍ରମା” (ପୁରାତନ ମନ୍ଦିର ବିଶେଷାଙ୍କ) ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲ୍‌ାର ସମୁଦାୟ ୩୫ଟି ପୁରାତନ ମନ୍ଦିର ଫଟୋ ସମ୍ବଳିତ ତଥ୍ୟଭିତ୍ତିକ ଆଲେଖ୍ୟ ଏଥିରେ ସ୍ଥାନ ପାଇଛି । ବିଶିଷ୍ଟ ସାହିତ୍ୟିକ ଡଃ ବିରଜା ରାଉତରାୟ ପତ୍ରିକାଟିକୁ ସମ୍ପାଦନା କରିଛନ୍ତି । ଶେଷରେ ଜ୍ୟୋତି ରଞ୍ଜନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପୁସ୍ତକ ମେଳା ୨୯ତାରିଖରେ ଉଦ୍‌ଯାପିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ