କେନ୍ଦ୍ରାପଡା ସଦର ମହକୁମାରେ ମିଳିତ ଜନ ଶୁଣାଣି ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ସୋମବାର ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଏହି ଶିିବିର ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହି ଶିବିରରେ ୭୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଟି ସାମୁହିକ ଓ ୭୪ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା,ରାସନ କାର୍ଡ ପ୍ରଦାନ, ଚିକିତ୍ସା ପାଇଁ ଆର୍ଥିକ ସହାୟତା, ଜାତିଗତ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ପୋଲିସ ସୁରକ୍ଷା, ବିଜୁ ସ୍ୱାସ୍ଥ୍ୟକାର୍ଡ, ଗୋଚର ଜମି ସୁରକ୍ଷା, ବସୁନ୍ଧରା ଯୋଜନା, ସୀମା ନିର୍ଦ୍ଧାରଣ ଜନିତ ଦରଖାସ୍ତ ଥିଲା । ମାର୍ଶାଘାଇର ସନ୍ତୋଷ କୁମାର ନାୟକଙ୍କ ୯୫ ପ୍ରତିଶତ ଭିନ୍ନକ୍ଷମ ପୁଅ ହିମାଂଶୁ ଶେଖର ନାୟକ(୯)ଙ୍କୁ ଭିନ୍ନକ୍ଷମ ଭତ୍ତା ମଞ୍ଜୁରୀ ପତ୍ର ଓ ରାଜକନିକା ବ୍ଲକର ବରାହଦୋମଣ୍ଡା ଗ୍ରାମର ଶରତ ମଲିକଙ୍କ ବିଧବା ପତ୍ନୀ ଗାୟତ୍ରୀ ମଲିକଙ୍କୁ ବିଧବା ଭତ୍ତା ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । କଳାମାଟିଆର ପ୍ରଫୁଲ୍ଲ କୁମାର ରାଉତ ଓ ଅନ୍ୟମାନେ ଗ୍ରାମ୍ୟରାସ୍ତା ନିର୍ମାଣ ଓ ମଧୁର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଘାଘରାର ସରୋଜ ଚନ୍ଦ୍ର ପରିଡାଙ୍କ ସହ ଅନ୍ୟମାନେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା କରାଯାଉଥିବା କାର୍ଯ୍ୟର ପ୍ରତିବାଦ, ଗୁଆଳସିଂ ଗ୍ରାମପଞ୍ଚାୟତର ଅଧିବାସୀମାନେ ଗ୍ରାମ୍ୟ ରାସ୍ତା ଅନଧିକାର ଭାବେ ଅଧିଗ୍ରହଣ ସମସ୍ୟା ଏବଂ ଡେରାବିଶ ବ୍ଲକର କଳ୍ପତରୁ କର ଓ ଅନ୍ୟମାନେ ଗ୍ରାମ୍ୟରାସ୍ତା ନିର୍ମାଣ ସମ୍ପର୍କରେ ସାମୁହିକ ଅଭିଯୋଗ ଦରଖାସ୍ତ ଗୁଡିକ ଆସିଥିଲା । ଉପରୋକ୍ତ ସାମୁହିକ ଅଭିଯୋଗ ଗୁଡିକର ଶୁଣାଣି କରି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ରେଡକ୍ରସ ପାଣ୍ଠିରୁ ଚିକିତ୍ସା ସହାୟତା ନିମନ୍ତେ କେନ୍ଦ୍ରାପଡା ଦିଲାରପୁରର ସେଖ କଲିମୁଲ୍ଲାଙ୍କୁ ୩ହଜାର ଟଙ୍କା, ମହାକାଳପଡା ବ୍ଲକ ଘୋଡାବନ୍ଧ ଗ୍ରାମର ରୀନା ଦାସଙ୍କୁ ୪ହଜାର ଟଙ୍କା, ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପଳଶପୁର ଗ୍ରାମର ଭିନ୍ନକ୍ଷମ ବିପିନ ମଲିକଙ୍କୁ ୫ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ ବିପିନ ମଲିକଙ୍କ ପୁତ୍ର ଭେଷଜ ବିଜ୍ଞାନ(ଏମବିବିଏସ)ପାଠ ପଢୁଥିବାରୁ ପୁତ୍ରର ପାଠପଢା ଖର୍ଚ୍ଚ ବାବଦକୁ ଶୁନ ପ୍ରତିଶତ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ମାର୍ଶାଘାଇ ବିଡିଓଙ୍କୁ ନିର୍ଦେଶ ଦିଆଯିବା ସହ ବିପିନ ମଲିକଙ୍କୁ ବାର୍ଷିକ ୫୦ହଜାର ଟଙ୍କା ଭିନ୍ନକ୍ଷମ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ