କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମହାଦୁର୍ନୀତିର ସ୍ୱତନ୍ତ୍ର ଅର୍ଡିଟ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ହୋଇଥିବା ମହାଦୁର୍ନୀତିର ସ୍ୱତନ୍ତ୍ର ଅର୍ଡିଟ କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲୋକାଲ ଫଣ୍ଡ ଅର୍ଡିଟ ର ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି । ମହାବିଦ୍ୟାଳୟର ପୁରାତନ ଛାତ୍ର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଅଭିଯୋଗ ଉପରେ ଉଚ୍ଚଶିକ୍ଷା ବିଭାଗର ଫାଇନାନସିଆଲ ଆଡଭାଇଜର -କମ୍‌- ସ୍ପେଶାଲ ସେକ୍ରେଟାରୀ ଲୋକାଲ ଫଣ୍ଡ ଅର୍ଡିଟ୍‌ର ନିର୍ଦେଶକଙ୍କୁ ପତ୍ର ସଂଖ୍ୟା- ୪୭୨୭୬ ତା ୧.୧୧.୨୦୨୩ରିଖରେ ନିର୍ଦେଶ ଦେଇଥିବା ଜଣାପଡିଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମିଳିଥିବା ରୁସା, ୟୁଜିସି,ଇଗ୍ନୋ ପ୍ରଭୃତି ଅନୁଦାନ ସମେତ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଠାରୁ ପ୍ରତ୍ୟେକ ବର୍ଷ ଆଦାୟ କରାଯାଉଥିବା ଟ୍ୟୁସନ ଫି, ଛାତ୍ରୀନିବାସ ପାଇଁ ଆଦାୟ କରାଯାଉଥିବା ଫି ଓ ଅନ୍ୟାନ୍ୟ ଫିସ ବାବଦରେ ଆଦାୟ କରାଯାଉଥିବା କୋଟି କୋଟି ଟଙ୍କାକୁ ବିଭିନ୍ନ ବାବଦରେ ଖର୍ଚ୍ଚ କରାଯାଇଥିବାର ଦର୍ଶାଇ ମିଥ୍ୟା ବିଲ ପ୍ରସ୍ତୁତ କରି କଲେଜ ଷ୍ଟାଫଙ୍କ ଦ୍ୱାରା ହରିଲୁଟ କରାଯାଇଥିବା ପୁରାତନ ଛାତ୍ର ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଏତଦଭିନ୍ନ କମ୍ପ୍ୟୁଟର ଆସେସରିଜ ଓ ସ୍ପୋର୍ଟସ ଆଇଟମ କିଣାଯିବା, ସି.ସି. ଟିଭି ମରାମତି ପ୍ରଭୃତିରେ ବହୁ ଅର୍ଥ ତୋଷରପାତ ଏବଂ ବାଟମାରଣା କରାଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ନାକ ଟିମର ପ୍ରାକ୍ ପ୍ରସ୍ତୁତି ନାମରେ କଲେଜର ରାସ୍ତା ନିର୍ମାଣ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷପତ୍ର କିଣାଯିବା ଆଳରେ କୋଟି କୋଟି ଟଙ୍କା କଲେଜ ଷ୍ଟାଫଙ୍କ ଦ୍ୱାରା ତୋଷରପାତ କରାଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଏସବୁ କୋଟି କୋଟି ଟଙ୍କାର କାର୍ଯ୍ୟ ଏବଂ ଜିନିଷପତ୍ର କିଣାଯିବା ପାଇଁ କୈାଣସି ଟେଣ୍ଡର କରାନଯାଇ ବେଆଇନ୍ ଏବଂ ନିୟମ ବହିର୍ଭୁତ ଭାବରେ ଅର୍ଥ ତୋଷରପାତ ଉଦେଶ୍ୟରେ ଏଭଳି କରାଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ସରକାରୀ ନୀତି ନିୟମକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇ ବିଭିନ୍ନ ସ୍କିମରେ କଲେଜକୁ ମିଳିଥିବା ସରକାରୀ ଅନୁଦାନ ଏବଂ କଲେଜ ଫଣ୍ଡର ଏକଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ କରାଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ତେଣୁ ଏହିସବୁ ଖର୍ଚ୍ଚର ଏକ ସ୍ୱତନ୍ତ୍ର ସମୀକ୍ଷା କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବାକୁ ଶ୍ରୀ ମହାନ୍ତି ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅର୍ଥ ପରାମର୍ଶଦାତ୍ତା ତଥା ସ୍ୱତନ୍ତ୍ ଶାସନ ସଚିବ ମନୋରଞ୍ଜନ ନାୟକ ଲୋକାଲ ଫଣ୍ଡ ଅଡିଟର ନିର୍ଦେଶକଙ୍କୁ ଏକ ସ୍ୱାତନ୍ତ୍ର ସମୀକ୍ଷା କରାଯିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । କେନ୍ଦ୍ରାପଡା ମହାବିଦ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କା ଘୋଟାଲାର ସ୍ୱତନ୍ତ୍ର ଅର୍ଡିଟ ହେଲେ ଅନେକ ନୂତନ ତଥ୍ୟ ଲୋକ ଲୋଚନକୁ ଆସି ପାରିବ ବୋଲି ଅଭିଯୋଗକାରୀ ଶ୍ରୀ ମହାନ୍ତି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଚାଲିଥିବା କୋଟି କୋଟି ଟଙ୍କା ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଯିବା ଭୟରେ ଦୁର୍ନୀତିରେ ସଂପୃକ୍ତ ଥିବା ଅଧ୍ୟାପକ ଜଣଙ୍କ ନିଜେ ଅନ୍ୟ ନାମରେ ଜାଲ ସ୍ୱାକ୍ଷର କରି ଉଚ୍ଚଶିକ୍ଷା ବିଭାଗକୁ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡଃ.ସଞ୍ଜୀବ କୁମାର ମହାନ୍ତିଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ପଠାଇ ଏଠାରୁ ତାଙ୍କୁ ବଦଳି କରିଦେବାକୁ ସଫଳ ହୋଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ