କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦ୍ଦେଶ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ଅଧ୍ୟକ୍ଷ ନିଯୁକ୍ତି ଉପରେ ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସ୍ଥଗିତାଦ୍ଦେଶ ଜାରି କରାଯାଇଛି । ଚଳିତମାସ ୩୦ତାରିଖରେ କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଅବସରଗ୍ରହଣ କରୁଥିବାରୁ ଆସନ୍ତା ଡିସେମ୍ବର ୧ତାରିଖରୁ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ରିଡର ଡଃ. ଜ୍ଞାନୀନ୍ଦ୍ର ଦାଶଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଭାବରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ନଂ- ୪୯୦୫୩ ତା ୯.୧୧.୨୦୨୩ରିଖରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତିଙ୍କ ସୁପାରିଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଯୁକ୍ତି ପ୍ରଦାନ କରାଯାଇଥିଲା । ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦେଶନାମାକୁ ମହାବିଦ୍ୟାଳୟ ଗଣିତ ବିଭାଗ ମୁଖ୍ୟ ଅଶୋକ କୁମାର ମିଶ୍ର ଚ୍ୟାଲେଞ୍ଜ କରି ଓଡିଶା ଉଚ୍ଚ ନ୍ୟାୟାଳୟରେ ଡବ୍ଲୁପିସି ନଂ- ୩୮୩୯୧/୨୦୨୩ରେ ଏକ ରିଟ ପିଟିସନ ଦାୟର କରିଥିଲେ । ସେହି ରିଟପିଟିସନରେ ଆବେଦନକାରୀ ରିଡର ଶ୍ରୀ ମିଶ୍ର ଦର୍ଶାଇଥିଲେ ଯେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ଡଃ. ଜ୍ଞାନୀନ୍ଦ୍ର ଦାଶ ନିକିରାଇସ୍ଥିତ ବୀର ହନୁମାନଜୀଉ ମହାବିଦ୍ୟାଳୟ ଭଳି ଏକ +୨ କଲେଜରୁ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ବଦଳି ହୋଇ ଆସିଥିବାରୁ ତାଙ୍କୁ କେନ୍ଦ୍ରାପଡା ମହାବିଦ୍ୟାଳୟ ଭଳି ଏକ +୩ କଲେଜର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇପାରିବ ନାହିଁ । ଏକ ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ପ୍ରଦାନ କରିଥିବା ନିର୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମା ନଂ- ୩୩୦୪୭ ତା ୪.୮.୨୦୨୩ରିଖ ଅନୁଯାୟୀ ଏକ +୨ କଲେଜରେ ଚାକିରୀ ଆରମ୍ଭ କରିଥିବା ଜଣେ ଅଧ୍ୟାପକ ପରେ ବଦଳି ହୋଇ ଆସି ଏକ +୩ କଲେଜର ଅଧ୍ୟକ୍ଷ ହୋଇପାରିବେ ନାହିଁ । ସେହି ମାମଲାର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟ ଅପରପକ୍ଷଙ୍କୁ ନୋଟିସ ଜାରି କରିବା ସହ ଆସନ୍ତା ଡିସେମ୍ବରମାସ ୭ତାରିଖକୁ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷ ନିଯୁକ୍ତି ପ୍ରଦାନ ଉପରେ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତାଦ୍ଦେଶ ଜାରି କରିଛନ୍ତି । ଆସନ୍ତା ୩୦ରେ କଲେଜ ଅଧ୍ୟକ୍ଷ ଶ୍ରୀ ବେହେରା ଅବସର ଗ୍ରହଣ କରୁଥିବାରୁ ସେ କାହାକୁ ଦାୟୀତ୍ୱ ହସ୍ତାନ୍ତର କରିବେ ତାହା ଅମୀମାଂସୀତ ହୋଇ ରହିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଏ କ୍ଷେତ୍ରରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ରିଡର ଡଃ. ଦାଶ ଆଇ.ଡି.ପି. ପ୍ରକଳ୍ପ ଦାୟୀତ୍ୱରେ ଥିବା ବେଳେ ସେ କଲେଜକୁ ମିଳିଥିବା ସରକାରୀ ଅନୁଦାନର ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ନେଇ ଉଚ୍ଚଶିକ୍ଷା ବିଭାଗର ବିତ୍ତ ଅଧିକାରୀ ଉଚ୍ଚଶିକ୍ଷା ବିଭାଗକୁ ଏକ ରିପୋର୍ଟ ପ୍ରଦାନ କରିଥିଲେ । ସେହି ରିପୋର୍ଟ ଉପରେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦେଶକଙ୍କୁ ତଦନ୍ତ କରି ତୁରନ୍ତ ରିପୋର୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ପ୍ରଦାନ କରିଥିଲେ ବି ଏପର୍ଯ୍ୟନ୍ତ ଆଞ୍ଚଳିକ ନିର୍ଦେଶକ ତାଙ୍କର ତଦନ୍ତ ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିନଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ କେନ୍ଦ୍ରାପଡା ମହାବିଦ୍ୟାଳୟ ମହାଦୁର୍ନୀତିର ତୁରନ୍ତ ତଦନ୍ତ କରାନଗଲେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଦେବେ ବୋଲି ପୁରାତନ ଛାତ୍ରମାନଙ୍କ ପକ୍ଷରୁ ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ପ୍ରଦିପ ସାହୁ, ଦୈତାରୀ ସେଠୀ, ବିଶ୍ୱଜିତ ଦାସ,ପ୍ରତାପ ମହାନ୍ତି, ଶରତ ସିଂ, ଚିନ୍ମୟ ବଳ, ସତ୍ୟରଞ୍ଜନ ସେନାପତି, ବରଦାପ୍ରସନ୍ନ ମହାନ୍ତି, ମନୋରଞ୍ଜନ ପାତ୍ର ପ୍ରମୁଖ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।