କେନ୍ଦ୍ରାପଡ଼ା ପୈାରସଂସ୍ଥା ପାଇଁ ୩ ଦଳର ନଗରପାଳ ପ୍ରାର୍ଥୀଙ୍କ ନାମ ଚୁଡ଼ାନ୍ତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ନଗରପାଳ ପ୍ରାର୍ଥୀଭାବେ କେଉଁ ଦଳ କାହାକୁ ଟିକଟ ଦେବ ସେ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜୁ ଜନତା ଦଳରୁ ସରିତା ସାହୁ, କଂଗ୍ରେସରୁ ଲକ୍ଷ୍ମୀପ୍ରିୟା ବାରିକ ଓ ବିଜେପିରୁ ମିନାକ୍ଷୀ ଦାସଙ୍କ ନାମ ନଗରପାଳ ପ୍ରାର୍ଥୀ ଭାବେ ଚୁଡ଼ାନ୍ତ ହୋଇଛି । ବିଜେଡି ପ୍ରାର୍ଥୀଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇନାହିଁ । ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ବିଜେଡି ନଗରପାଳ ପ୍ରାର୍ଥୀନୀ ସରିତା ସାହୁ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି । ଏ ନେଇ ଦଳ ପକ୍ଷରୁ ତାଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ସରିତାଙ୍କ ସ୍ୱାମୀ ରଞ୍ଜିତ ସାହୁ । ବିଜେପି ନଗରପାଳ ପ୍ରାର୍ଥୀନୀ ଭାବେ ମିନାକ୍ଷୀ ଦାସଙ୍କ ନାମ ଚୁଡ଼ାନ୍ତ ବୋଲି ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ ଲକ୍ଷ୍ମୀପ୍ରିୟା ବାରିକଙ୍କ ନାମ ଚୁଡ଼ାନ୍ତ ବୋଲି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି । ସମସ୍ତ ନଗରପାଳ ପ୍ରାର୍ଥୀନୀ ନାମାଙ୍କନ ଦାଖଲର ଶେଷ ଦିବସ ଅର୍ଥାତ ୭ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିିଛି । ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି ମିନାକ୍ଷୀ ମଙ୍ଗଳବାର ନାମାଙ୍କନ ଦାଖଲ କରିବେ । ବିଜେଡି ପ୍ରାର୍ଥୀନୀ ସରିତା ସାହୁ ହେଉଛନ୍ତି ପୂର୍ବତନ କାଉନସିଲର ତଥା ବିଜେଡି ନେତା ରଞ୍ଜିତ ସାହୁଙ୍କ ପତ୍ନୀ । ବିଜେପି ପ୍ରାର୍ଥୀନୀ ମିନାକ୍ଷୀ ଦାସ ହେଉଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ବର୍ତ୍ତମାନର ରାଜ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ସାହୁଙ୍କ ପତ୍ନୀ । କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ହେଉଛନ୍ତି ପୂର୍ବତନ କାଉନସିଲର ଗୋପିନାଥ ବାରିକଙ୍କ ପତ୍ନୀ । ଲକ୍ଷ୍ମୀପ୍ରିୟା ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଲକ୍ଷ୍ମୀପ୍ରିୟା ୨୦୧୧ ମସିହାରେ ବିଜେଡିର ଦକ୍ଷ ନାରୀ ନେତ୍ରୀ ରୋସ୍ନା ସାହୁଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇ ଚର୍ଚ୍ଚାରେ ରହିଥିଲେ ।