କେନ୍ଦ୍ରୀୟ ଅର୍ଥ ଦଳୀୟ ଆଧାରରେ ହରିଲୁଟ୍ କରୁଛନ୍ତି ରାଜ୍ୟ ସରକାର: ବିଜେପି
ଭୁବନେଶ୍ୱର, (ୱାଇଏନ୍ଏସ୍): ପଂଚାୟତରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡିଶା ପ୍ରଦେଶରେ ଏହି ବ୍ୟବସ୍ଥାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ । ରାଜ୍ୟ ସରକାର ପଂଚାୟତରାଜ ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ଜଳାଞ୍ଜଳୀ ଦେଇ ଗ୍ରାମାଂଚଳ ବିକାଶରେ ବାଧକ ସାଜିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ରାଜ୍ୟ ପଂଚାୟତରାଜ ସମିତିର ରାଜ୍ୟ ସଂଯୋଜକ ଶଙ୍କର ପରିଡା କହିଛନ୍ତି ।ଶନିବାର ରାଜ୍ୟ କାର୍ଯ୍ୟାଳୟରେ ପଂଚାୟତରାଜ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ପଂଚାୟତରାଜ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପଂଚାୟତରାଜ ସମିତିି ବୈଠକ ପ୍ରସଙ୍ଗରେ ସୁଚନା ଦେଇ ଶ୍ରୀ ପରିଡା କହିଛନ୍ତି ଯେ, ମୋଦି ସରକାର ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ପଂଚାୟତ ବ୍ୟବସ୍ଥାର ସୁଫଳକୁ ତୃଣମୁଳ ସ୍ତରରେ ପହଂଚାଇବା ପାଇଁ ପଂଚାୟତରାଜ କ୍ଷମତାକୁ ବିକେନ୍ଦ୍ରୀକରଣ କରିଥିଲେ । ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ପଂଚାୟତ ତଥା ଗ୍ରାମାଂଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ପଂଚାୟତମାନଙ୍କୁ ସିଧାସଳଖ ଆର୍ଥିକ ଅନୁଦାନ ଦିଆଗଲା । ଓଡିଶାକୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ୧୬୫ ପ୍ରତିଶତ ବୃଦ୍ଧି କରାଯାଇ ୧.୮୪ ଲକ୍ଷ କୋଟି ଟଙ୍କା ଅନୁଦାନ ଆସିଥିବାବେଳେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଏହି ଅନୁଦାନକୁ ୨.୨୨ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।ପଂଚାୟତଗୁଡିକରେ ଅମଲାତନ୍ତ୍ରଙ୍କ ସିଧାସଳଖ ହସ୍ତକ୍ଷେପ କାରଣରୁ ଆଜି ପଂଚାୟତ ତଥା ଗ୍ରାମଂଚଳରେ ବିକାଶମୁଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଲୋକଙ୍କୁ କ୍ଷମତା ଦେବା ପରିବର୍ତେ ଶାସକ ବିଜେଡି ପଂଚାୟତରାଜ ବ୍ୟବସ୍ଥାର କ୍ଷମତାକୁ ଅପହରଣ କରି ପଙ୍ଗୁ ଓ ଅଚଳ କରିଦେଇଛି । ରାଜ୍ୟ ସରକାର ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ସଂକୁଚିତ କରିଦେଇ ସମସ୍ତ କ୍ଷମତା ଅମଲାତନ୍ତ୍ରକୁ ପ୍ରଦାନ କରିଦେଇଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ଶ୍ରୀ ପରିଡା କହିଛନ୍ତି । ଗ୍ରାମାଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ କୈାଣସି ନିର୍ଦ୍ଧିଷ୍ଟ ଯୋଜନା ନାହିଁ । ସମସ୍ତ କେନ୍ଦ୍ରୀୟ ଓ ଜନକଲ୍ୟାଣ ଯୋଜନାକୁ ଅପହରଣ କରି ପଂଚାୟତରାଜ ବ୍ୟବସ୍ଥାକୁ ଦୁର୍ବଳ କରିବା ସହ ସାଧାରଣ ଗ୍ରାମାଂଚଳବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗରୁ ବଂଚିତ ରଖୁଛନ୍ତି । ଗ୍ରାମଂଚଳରେ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଦଳୀୟ ଭିତିରେ ବଂଟନ କରି ବ୍ୟାପକ ଘୋଟାଲା କରୁଛନ୍ତି । ସେହିପରି ଗ୍ରାମଂଚଳର ବିକାଶ ଓ ଭିତିଭୂମିକୁ ସୁଦୃଢ କରିବା ପାଇଁ ଆସୁଥିବା ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଅନୁଦାନକୁ ସଠିକ୍ ବିନିଯୋଗ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।ଆଗାମୀ ଦିନରେ ଗ୍ରାମାଂଚଳରେ ବସବାସ କରୁଥିବା ଲୋକଙ୍କ ସମସ୍ୟାକୁ ଉଠାଇବା ସହ ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ମଜବୁତ୍ କରିବା ହେଉଛି ଆଜିର ବୈଠକର ମୂଳ ଲକ୍ଷ୍ୟ । କେନ୍ଦ୍ର ସରକାରଙ୍କ ପଂଚାୟତବ୍ୟବସ୍ଥାକୁ ବିକନ୍ଦ୍ରୀକରଣ କରାଯାଇ ଗ୍ରାମାଂଚଳର ବିକାଶମୂଳକ ଯୋଜନାକୁ ସାଧାରଣ ଜନତାଙ୍କୁ ଅବଗତ କରାଯିବା ସହ ଅନ୍ୟ ପଟେ ଜନପ୍ରତିନିଧିଙ୍କ କ୍ଷମତାକୁ ସଂକୁଚିତ କରି ବିଭିନ୍ନ ଜନ ଓ ଗରୀବକଲ୍ୟାଣକୁ ଅପହରଣ କରୁଥିବା ଜନବିରୋଧୀ, ଜନପ୍ରତିନିଧି ବିରୋଧୀ, ଅମଲାତନ୍ତ୍ର ନିର୍ଭରଶୀଳ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଜନଆନ୍ଦୋଳନ କରାଯିବ । ପଲ୍ଲୀସଭା, ଗ୍ରାମସଭାକୁ ଶକ୍ତିଶାଳୀ କରିବା, ପଂଚାୟତ ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଆଜିର ଏହି ବୈଠକରେ ବିଜେପିର ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କ ସହ ଆଲୋଚନା ହୋଇଛି ବୋଲି ଶ୍ରୀ ପରିଡା ସୁଚନା ଦେଇ କହିଛନ୍ତି ।
ପ୍ରତିକୂଳ ପରିସ୍ଥିତିରେ ପଂଚାୟତ ନିର୍ବାଚନ ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ । ପଂଚାୟତ ନିର୍ବାଚନ ପାଇଁ ସ୍ଥାନୀୟ ନେତୃବୃନ୍ଦ ଆଗକୁ ଆସି ବିଭିନ୍ନ ଦାୟିତ୍ୱ ନେଇ କାର୍ଯ୍ୟ କରିବେ । ପ୍ରତ୍ୟେକ ଗାଁ ଗାଁ ବୁଲି ପଦଯାତ୍ରା କରି ଲୋକଙ୍କ ସହ ଯୋଡି ହେବା ଓ ‘ସେବା ହିଁ ସଙ୍ଗଠନ’କୁ ଆଧାର କରି ଲୋକଙ୍କ ପାଖରେ ପହଂଚି ସେମାନଙ୍କ ସମସ୍ୟାକୁ ଉଠାଇବା ପାଇଁ ପଂଚାୟତରାଜ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ପଂଚାୟତରାଜ ମନ୍ତ୍ରୀ ରଘୁନାଥ ମହାନ୍ତି ଆହ୍ୱାନ ଦେଇଛନ୍ତି । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ, ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ରଂଜନ ପଟେଲ, ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।