କେନ୍ଦ୍ର ସଂଚାର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଏକତା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ର ସଂଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମହାନ ଜନନାୟକ ସର୍ଦ୍ଦାର ବଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସୋମବାର ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି ।ଏନେଇ ସହର ଉପକଣ୍ଠ ସମଲପୁର ଛକଠାରୁ ଗଣଦୌଡ ବାହାରି ସରସ୍ୱତୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ଗଣଦୌଡ଼କୁ ଉଦ୍ଘାଟନ କରିଥିଲେ । ପରେ ବିଦ୍ୟାଳୟରେ ଅନୁଷ୍ଠିତ ସାଧାରଣ ସଭାରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ ଏକତ୍ରୀକରଣରେ ଲୌହମାନବଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଅଧ୍ୟାପକ ଘନଶ୍ୟାମ ଗିରି, ଜିଲ୍ଲା ସ୍ୱଛତା ପରାମର୍ଶଦାତା ସ୍ୱର୍ଣ୍ଣଲତା ମହାନ୍ତି, ସରସ୍ୱତୀପୁର ସରପଞ୍ଚ କୈଳାସ ଚନ୍ଦ୍ର ସ୍ୱାଇଁ, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଆଭିମୁଖ୍ୟ ଓ ରାଷ୍ଟ୍ର ନିର୍ମାଣରେ ଲୌହମାନବଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କେନ୍ଦ୍ରୀୟ ସଂଚାର ବ୍ୟୁରୋ ବାଲେଶ୍ୱର ଜୋନ ଅଧିକାରୀ ନିର୍ମାଲ୍ୟ ବେହେରା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ପାଳିତ ହେଉଥିବା ରାଷ୍ଟ୍ରୀୟ ଏକତା ଦିବସର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ସରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଫୋଟଚିତ୍ର ପ୍ରଦର୍ଶନୀ ଓ ଡାକ ବିଭାଗର ଷ୍ଟଲକୁ ଅତିଥିମାନେ ଉଦଘାଟନ କରିଥିଲେ ।


