କେନ୍ଦ୍ର ସରକାରଙ୍କ ଚାଉଳ ନୀତିକୁ ନେଇ କୁରୁଡ଼ାରେ ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟର କୃଷକ ଓ ଗରିବଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଦର୍ଶାଇ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ । ଏହି ପରପ୍ରେକ୍ଷୀରେ କୁରୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମୀମାନେ ବୁଧବାର ବିକ୍ଷୋଭ ପ୍ରଦର୍ଶନ ସହ ଗଣ ଧାରଣା ଦେଇଥିଲେ । କୁରୁଡା ସରପଞ୍ଚ ତାପସ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ କେନ୍ଦ୍ର ସରକାରଙ୍କ ଚାଉଳ ଯୋଗାଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ପୂର୍ବରୁ ମିଳୁଥିବା ଚାଉଳ ପରିମାଣ କମାଇବା ସହ ଚାଉଳ ସଂଗ୍ରହରେ ଟାଳଟୁଳ ନୀତି ଯୋଗୁଁ କୃଷକମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଥିଲେ । ଚଳିତବର୍ଷ କେନ୍ଦ୍ର ସରକାର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ହଜାର କୋଟି ଟଙ୍କା ହ୍ରାସ ସହ ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ନେଇ କେନ୍ଦ୍ରର ନିଷ୍ପତ୍ତି ଓଡ଼ିଶା ପ୍ରତି ଘୋର ଅବହେଳାକୁ ପ୍ରମାଣିତ କରିଛି । ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଥିଲେ । ତୁରନ୍ତ କେନ୍ଦ୍ରର ମୋଦି ସରକାର ଅନ୍ୟାୟ ନୀତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସରପଞ୍ଚ ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।


