କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ଅଙ୍ଗନୱାଡ଼ି କର୍ମୀସଂଘ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି , ନିଯୁକ୍ତି ହ୍ରାସ ସହ କର୍ମଚାରୀ ଛଟେଇ , ବ୍ୟାଙ୍କ ମିଶ୍ରଣ ସହ ଘରୋଇକରଣ , ଲାଭଜନକ ସରକାରୀ ଉଦ୍ୟୋଗ ବିକ୍ରୀ , ଶିଳ୍ପ ବିରୋଧି ଆଭିମୁଖ୍ୟ ସହ ନିତ୍ୟ ବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିୟନର ମିଳିତ ଡାକରାରେ ଆଜି ହୋଇଥିବା ଭାରତ ବନ୍ଦ ସାନଖେମୁଣ୍ଡ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଲ୍ ଇଣ୍ଡିଆ ତ୍ରେଡ ୟୁନିୟନ୍ କଂଗ୍ରେସ (ଏଆଇତିୟୁସି ) ଅନୁବନ୍ଧିତ ଅଙ୍ଗନୱାଡ଼ି କର୍ମୀ , ସହାୟିକା , ନିର୍ମାଣ ଶ୍ରମିକ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ଏଆଇଟିୟୁସି ର ସାଥୀ ଅଳକନାଥ ମିଶ୍ର , ତପନ କୁମାର ମିଶ୍ର ,ମନୋଜ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ । କର୍ମୀ ସଂଘ ସଭାନେତ୍ରୀ ମିତା ମିଶ୍ରଙ୍କ ନେତୃତ୍ବରେ ପାଟପୁର ଗାନ୍ଧିଛକ , ବ୍ଲକ୍ ଛକ ଦେଇ ବ୍ଲକ୍ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ବିରୋଧୀ ନୀତିର ଦୃଢ଼ ବିରୋଧ କରିବା ସହ ଉଭୟ ସରକାରଙ୍କୁ ସଂଘ ନିର୍ଦ୍ଧାରିତ ଦାବି ପୂରଣ କରିବାକୁ ଆହ୍ବାନ ଦେଇଥିଲେ । ସରକାର ବିରୋଧୀ ସ୍ଲୋଗାନ ସହ ପ୍ଲାକାର୍ଡ ପ୍ରଦର୍ଶନ କରି ସାଧାରଣରେ ଦାବି ସଚେତନା କରିଛନ୍ତି ।ମିଳିତ ପଦଯାତ୍ରା କରି ରାସ୍ତା ବନ୍ଦ କରିବା ସହ ପିକେଟିଙ୍ଗ କରି ସରକାରୀ କାର୍ଯ୍ୟାଳୟ , ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣାରେ ବସିଥିଲେ । କର୍ମୀ ସଂଘ ସମ୍ପାଦିକା ସୁଷମା ପ୍ରଧାନ ,ବେଦମତି ରଥ , ବନିତା କୁମାରୀ ରଥ , ରଶ୍ମିତା ସାହୁ ପ୍ରମୁଖ କର୍ମୀଙ୍କ ସହ ସମସ୍ତ କର୍ମୀ ଓ ସହାୟିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନିର୍ମାଣ ଶ୍ରମିକ ସଂଘ ର ସନ୍ତୋଷ ଜେନା ଙ୍କ ସହ ସମସ୍ତ କାର୍ଯ୍ୟକାରୀ କମିଟିର ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।