କେବେ ଗଠନ ହେବ ପାଇକ ଏକାଡ଼େମୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ସମର କଳା ଲୋକକଳା ନୁହେଁ, ଏହା ସ୍ୱତନ୍ତ୍ର ଓ ଭିନ୍ନ । ଏହାକୁ ସମର ଶିକ୍ଷା ବୋଲି କୁହାଯାଏ । ଏହି ସମର ଶିକ୍ଷା ବୀର ବାଦ୍ୟ ସହିତ ସଂଶ୍ଲିଷ୍ଟ । ଏହାକୁ ପରବର୍ତ୍ତୀ ସମୟରେ ପାଇକ ଆଖଡ଼ା ବୋଲି ଅଭିହିତ କରାଗଲା । ପାଇକମାନଙ୍କ ଯେଉଁ ଆଖଡ଼ା ଶାଳାରେ ସମର ଅଭ୍ୟାସ କରନ୍ତି ତାହାକୁ ପାଇକ ଆଖଡ଼ା କୁହାଯାଏ । ପରନ୍ତୁ ରାଜ୍ୟ ସରକାର ଏହି ସମର ଶିକ୍ଷା ବା ପାଇକ ଆଖଡ଼ାର ଗୁରୁତ୍ୱ ନବୁଝି ଏହାର ପୃଷ୍ଠଭୂମି ଓ ଇତିିହାସ ଉପରେ ତର୍ଜମା ନ କରି ଏହାକୁ ଲୋକ କଳାର ମାନ୍ୟତା ଦେବାକୁ ଯେଉଁ ପ୍ରୟାସ ଓ ଅପଚେଷ୍ଟା କରୁଛନ୍ତି ଏହା ନିନ୍ଦନୀୟ ବରଂ ଏହାର ଉଚିତ୍ ଜବାବ ଦିଆଯିବ ବୋଲି ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । କଳିଙ୍ଗ ଯୁଦ୍ଧଠାରୁ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ କଳିଙ୍ଗର ବୀର ପାଇକମାନେ ସେମାନଙ୍କର ବୀରତ୍ୱର ପରିଚୟ ପ୍ରଦର୍ଶନ କରିଛନ୍ତି । ଏହି ସମର ଶିକ୍ଷାର ରଣକୌଶଳକୁ ରାଜ ରାଜୁଡ଼ା ସମୟରେ ରାଜପରିବାରର ସଦସ୍ୟ ଓ ରାଜ୍ୟକୁ ବାହ୍ୟଶତ୍ରୁ ଠାରୁ ରକ୍ଷା କରିବାକୁ ରାଜାଙ୍କ ସେନ୍ୟବାହିନୀମାନେ ଶିକ୍ଷା କରୁଥିଲେ ଯାହା ଇତିହାସରେ ବିଦିତ । ବୀର ବାଦ୍ୟର ତାଳେ ତାଳେ ନିଜର ଖଣ୍ଡା, ତରବାରୀ, ଢାଲ, ବର୍ଚ୍ଛା, ଧନୁ, କୁନ୍ତ, ଭାଲି ଓ ଗଦା ଇତ୍ୟାଦି ଆଖଡାଶାଳାରେ ନିଜର ଗୁରୁଙ୍କ ଠାରୁ ଶିକ୍ଷା କରୁଥିଲେ । କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ଏହି ପାଇକ ଆଖଡ଼ାର ପୁନରୁଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଏବଂ ପାଇକ ଏକାଡ଼େମୀ ଗଠନ କରିବା ପାଇଁ ଚେଷ୍ଟା କରିଥିଲେ । ପାଇକ ଆଖଡ଼ା କ୍ରୀଡ଼ା ବିଭାଗରେ ଥିଲା । ପରନ୍ତୁ ଦୁଃଖର ବିଷୟ ପାଇକ ବିଦ୍ରୋହର ଦୁଇଶହ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ନିଜର ଦୂରଦୃଷ୍ଟି ବିହୀନ, ଖାମଖିଆଲ ନୀତି ଅର୍ଥାତ୍ ପାଇକ ବିରୋଧୀ ମନୋଭାବ ନେଇ ଏହାକୁ କ୍ରୀଡ଼ା ବିଭାଗରୁ ଆଣି ସଂସ୍କୃତି ବିଭାଗରେ ସାମିଲ୍ କରିବା ଏହା ଏକ ଦୁର୍ଭାଗ୍ୟର ବିଷୟ । ପାଇକ ଆଖଡ଼ା ମାଟିରେ ମିଶିଗଲାଣି ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ପାଇକ ଆଖଡ଼ାକୁ ପୁନରାୟ କ୍ରୀଡ଼ା ବିଭାଗରେ ସାମିଲ୍ କରିବା ଏବଂ ପାଇକ ଏକାଡ଼େମୀ ଗଠନ କରିବାକୁ ପାଇକ ମହାସଂଘ ଦାବୀ କରିଛି । ପାଇକ୍ ଜିନ ଗବେଷକ ପ୍ରଫେସର ଗାୟନ ସାମଲ, ଅବାହକ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, ରାଜ୍ୟ ଉପଦେଷ୍ଟା ଭୀମସେନ ବିଶ୍ୱାଳ ଓ ବିଭୂତି ଭୂଷଣ ସ୍ୱାଇଁ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ବିଶାରଦ କେଦାର ଦାସ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ପୁରୀ ଗଡ଼ଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ ପ୍ରମୁଖ ଦୃଢ ଦାବୀ କରିଛନ୍ତି ।\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ