କେରଳୀ ଯୁବକ ହତ୍ୟାକାଣ୍ଡରେ ୫ ଗିରଫ : ଜିଲାର ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ସକ୍ରିୟ ଅଛି : ଆଇଜି

ବାଲେଶ୍ୱର, (ସରୋଜ ପଣ୍ଡା) :-କେରଳର ଏର୍ଣ୍ଣାକୁଲମ ଜିଲା ଅଙ୍ଗମାଲି ଗାଁର ସେମିଟି ଦେଭାସି (୨୯) ନାମକ ଯୁବକଙ୍କୁ ଚାନ୍ଦିପୁର ଥାନା ଅନ୍ତର୍ଗତ ତୁଳସୀପଦା ଅଞ୍ଚଳରେ ଗତ ମଇ ମାସ ୩୦ ତାରିଖରେ ସଂଘବଦ୍ଧ ଆକ୍ରମଣ ସହ ଦୁର୍ବୃତ୍ତ ଲୁଟ କରି ଥିବା ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥାଇ ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଏହି ମାମଲାର ଦୁଇଜଣ ନାବାଳକଙ୍କ ସମେତ ଗିରଫ ହୋଇଥିବା ୫ ଜଣ ଜଣ ହେଲେ ପୁରୁଣା ବାଲେଶ୍ୱର ତୁଳସୀପଦା ଅଞ୍ଚଳର ସିକୁନ ଓରଫ ସୁଧୀର ରଞ୍ଜନ ମାଝୀ (୩୫), ଟାଉନ ଥାନା ଅନ୍ତର୍ଗତ ପୁରୁଣା ବାଲେଶ୍ୱର ଅଞ୍ଚଳର ବାଙ୍କୁ ଓରଫ ଅଭିଜିତ ସିଂ (୩୫), ରୂପସା, କଶିପଦା ଅଞ୍ଚଳର ସଦା ଓରଫ ସଦାଶିବ ବଢ଼େଇ (୨୭), ଦୁଇ ନାବାଳକ ରଞ୍ଜନ ମଲ୍ଲିକ (୧୬) ଓ ମଣିଶଙ୍କର ବେହେରା (୧୭) । ଅର୍ଥ ପାଇଁ ଏହି ଅଭିଯୁକ୍ତମାନେ କେରଳୀ ଯୁବକଙ୍କୁ ଆକ୍ରମଣ କରିଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ଆଇଜି ହିମାଂଶୁ ଲାଲ ଓ ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ମଇ ମାସ ୨୯ ତାରିଖରେ କେରଳୀ ଯୁବକ ସେମିଟ ଦେଭାସୀ ନିଜର ସାଙ୍ଗ ପ୍ରବୀଣ ମିସ୍ତ୍ରୀଙ୍କ ସହ ବାଲେଶ୍ୱର ସହରକୁ ଟ୍ରେନ ଯୋଗେ ଆସିଥିଲେ । ବସଷ୍ଟାଣ୍ଡ ନିକଟରେ ଥିବା ମହାରାଜ ଲଜରେ ରହିଥିଲେ । ୩୦ ତାରିଖ ସକାଳେ ଲଜରୁ ବାହାରି ନୂଆ ବଜାର ଅଞ୍ଚଳକୁ କାମରେ ଯାଇଥିଲେ । ନୂଆ ବଜାରରେ ଅଭିଯୁକ୍ତ ସୁଧୀର ରଞ୍ଜନ ମାଝୀଙ୍କ ସହିତ ସାକ୍ଷାତ ହୋଇଥିଲା । ବହୁତ ଭଲ ପିକନିକ ସ୍ପଟ ଦେଖାଇଦେବାର ପ୍ରତିଶ୍ରୁତି ଦେଇ ବୁଢ଼ାବଳଙ୍ଗ ନଦୀ, ତୁଳସୀ ପଦା ଅଞ୍ଚଳକୁ ନେଇ ଆସିଥିଲେ । ଏହି ସମୟରେ ସିକୁନ ନିଜର ଅନ୍ୟ ସାଙ୍ଗମାନଙ୍କୁ ଡାକିଥିଲା । ସମସ୍ତେ ପହଞ୍ଚିଯିବା ପରେ ଦୁଇଜଣ କେରଳୀ ଯୁବକଙ୍କୁ ଆକ୍ରମଣ କରିଥିଲେ । ମାଡ଼ଖାଇ ପ୍ରବୀଣ ଦୌଡ଼ି ପଳାଇ ଯାଇଥିଲା ବେଳେ ସେମିଟିକୁ ସମସ୍ତେ ମିଶି ଲୁଟିବା ଉଦ୍ଦେଶ୍ୟରେ ମାଡ଼ ମାରିଥିଲେ । ତାଙ୍କର ମେରୁଦଣ୍ଡରେ ଜୋର ଆଘାତ ଲାଗିବା ପରେ ସେ ଉଠି ପାରି ନଥିଲେ । ସେହିଠାରେ ତାଙ୍କୁ ପକାଇ ଦେଇ ତାଙ୍କଠାରୁ ୧୫ ହଜାର ଟଙ୍କା, ମୋବାଇଲ ଫୋନ ଲୁଟି ନେଇ ପଳାଇଥିଲେ । ପରିତ୍ୟକ୍ତ ସ୍ଥାନରେ ଅଜଣା ବ୍ୟକ୍ତିଙ୍କୁ ଦେଖି ସ୍ଥାନୀୟ କାଉନସିଲର ପୁଲିସକୁ ଖବର ଦେଇ ଥିଲେ । ପୁଲିସ ସେମିତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ବେଳେ ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ସହର ସମେତ ଜିଲାରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୁଲିସ ଉଦ୍ୟମ ଜାରି ରଖିଥିବା ବେଳେ ସଫଳତା ପାଇ ଚାଲିଛି ବୋଲି ଅଧିକାରୀ ଦ୍ୱୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ୨୦୨୧ ମସିହା ଜୁନ ୧ ତାରିଖରୁ ୧ ଜୁନ ୨୦୨୨ ମଧ୍ୟରେ ପୁଲିସ ବିଭିନ୍ନ ମାମଲାରେ ୨୯୩ ଜଣଙ୍କୁ ଗିରଫ କରିଛି । ରୁଜୁ ହୋଇଥିବା ୬୯ଟି ମର୍ଡ଼ର କେସରେ ୧୪୭ ଜଣଙ୍କୁ ଗିରଫ କରାଯାଇଛି । ତନ୍ମଧ୍ୟରୁ ୧୦ ଜଣଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଥିଲା । ତେବେ ବର୍ଷକ ମଧ୍ୟରେ ୬୭ଟି ମୋଟର ସାଇକେଲ, ୩୩୮ଟି ମୋବାଇଲ ଫୋନ, ଦୁଇଟି ଡମ୍ପର, ଗୋଟିଏ ସ୍କୋର୍ପିଓ ଓ ଗୋଟିଏ ବୋଲେରୋ ଜବତ କରିଛି । ଏହା ସହିତ ୨ଟି ଲାପଟପ, ୯୫ଟି ଟାୱାର ବ୍ୟାଟେରୀ, ୧୧୦ଟି ଅନ୍ୟ ବ୍ୟାଟେରୀ, ୨ଟି ଏସି କମ୍ପ୍ରେସର, ୧୧ଟି ପାଣି ପମ୍ପ, ୨ଟି ହାତବନ୍ଧା ଘଣ୍ଟା, ୧୫ଲକ୍ଷ ୪୦ ହଜାର ଟଙ୍କାର ସୁନା ଅଳଙ୍କାର, ୨ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ରୂପା ଅଳଙ୍କାର ଓ ନଗଦ ୯ଲକ୍ଷ, ୪୯ ହଜାର, ୧୩୦ ଟଙ୍କା ଜବତ ହୋଇଛି । ୩ଟି ଦେଶୀ ପିସ୍ତଲ, ୩୭ଟି ତେଲେଙ୍ଗା କଟୁରୀ ଓ ୭ଟି ଭୁଜାଲି ଜବତ ହୋଇଥିବା ଏସପି ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ