କୋଇଲା ଖଣି ନିଲାମ ପ୍ରକୃତି ଓ ସଂଘୀୟ ବ୍ୟବସ୍ଥା ବିରୋଧୀ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଲକଡ଼ାଉନ୍ ସମୟରେ କୌଣସି ପ୍ରକାର ଆଲୋଚନା ପରାମର୍ଶ ଓ ପ୍ରତିବାଦ ପାଇଁ ସୁଯୋଗ ନଥିବା ବେଳେ ପ୍ରଧାନମନ୍ତ୍ରୀ ଜଳବାୟୁ ନୀତି, ଆଦିବାସୀ ଅଞ୍ଚଳର ଗ୍ରାମସଭା ଓ ସୀମିତ ପ୍ରାକୃତିକ ସମ୍ପଦର ସରଂକ୍ଷଣକୁ ହେୟ କରି ରାଷ୍ଟ୍ରୀୟ ସମ୍ପଦ ରୂପେ ଗଚ୍ଛିତ ଥିବା ୪୧ଗୋଟି କୋଇଲା ଖଣିକୁ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ମାଲିକାନରେ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ ନିଲାମ ଘୋଷଣା ଅଗଣତାନ୍ତ୍ରିକ, ଜନ ବିରୋଧୀ ଓ ରାଜ୍ୟ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶୀୟ ଅପୂରଣୀୟ କ୍ଷତି ହେବ ଏବଂ ଦେଶରେ ଲକ୍ଷାଧିକ ପରିବାର ବିସ୍ଥାପିତ ହେବା ସହ ୧୦ ଲକ୍ଷ ବ୍ୟକ୍ତି ଜୀବିକା ହରାଇବେ । ଓଡ଼ିଶାରେ ଅତି କମ୍ରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମରନ୍ତା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହି ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ ନିଲାମ ଦ୍ୱାରା ହେବ । ଏଥିମଧ୍ୟରୁ ଅନେକ ପ୍ରଧାନମନ୍ତ୍ରୀଙ୍କ ଅନୁଗ୍ରହରେ ଥିବା ଆଦାନୀ କମ୍ପାନୀକୁ ଦେବା ବ୍ୟବସ୍ଥା ହେବ । କୋଲ ବ୍ଲକଗୁଡ଼ିକ ମଧ୍ୟରୁ ଅଧିକାଂଶ ଘଞ୍ଚ ସବୁଜ ଜନାନୀ ମଧ୍ୟରେ ରହିଛି । ଓଡ଼ିଶାର ଛେଣ୍ଡିପଦା ଅଞ୍ଚଳରେ ୩ଟିରୁ ୨ଟିରେ (ମାଛକୁଟ) ଉର୍ବର କୃଷି ଜମି ତଳେ ରହିଛି । ଏହି ଖଣିଖନନ ଦ୍ୱାରା ପ୍ରାଚୀନ ଜଙ୍ଗଲ ଧ୍ୱଂସ ହେବ । ପରିବେଶ ପ୍ରଦୂଷିତ ହେବ ଏବଂ କୋଭିଡ଼ ପରି ସ୍ୱାସ୍ଥ୍ୟ ଜନିତ ବିପଦବେଳେ ସାଂଘାତିକ ଭାବେ ବିପତ୍ତି ବହୁଗୁଣିତ ହୋଇଯିବ । ଏହା ଦ୍ୱାରା ଆଦିବାସୀ ଓ ବନ୍ୟପ୍ରାଣୀଙ୍କ ପାଇଁ ବିନାଶ ହେବ । କେନ୍ଦ୍ରର ଏହି ଏକଛତ୍ରବାଦୀ ନିଷ୍ପତ୍ତି ଦ୍ୱାରା ଆତ୍ମନିର୍ଭର ଭାରତ ଯୋଜନା ପ୍ରତି ଏକ ଛଳନା । “୪୭ ବର୍ଷର କୋଲ-ଇଣ୍ଡିଆ ଲିମିଟେଡ଼’ର ଅଧୀନସ୍ଥ ରାଷ୍ଟ୍ରର ଅତି ସଂମ୍ବେଦନଶୀଳ ପ୍ରାକୃତିକ ସମ୍ପଦ, ପ୍ରବେଶ ନିଷଧ ଘଞ୍ଚ ଜଙ୍ଗଲ ସହ ସମୃଦ୍ଧ କୋଇଲା କ୍ଷେତ୍ରକୁ ଦେଶୀ-ବିଦେଶୀ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିଦେବା ଅତି ଚିନ୍ତାଜନକ ନିଷ୍ପତ୍ତି । ଏହାର ପରିଣାମ ଅମାପ ପରିବେଶୀୟ କ୍ଷତି ସହ ପ୍ରାକୃତିକ ବିପର୍ଯ୍ୟୟ ସହ ଲକ୍ଷାଧିକ ଆଦିବାସୀ ପରିବାରର ଜୀବିକା ଛଡ଼ାଇ ନେବ ।ଖଣିଜ ଆଇନ (ସଂଶୋଧନ) ଅଧିନିୟମ ୨୦୨୦ ଦ୍ୱାରା କୋଇଲା ଖନନ (ବିଶେଷ ପ୍ରାବଧାନ) ଅଧିନିୟମ ୨୦୧୫ ଏବଂ ୧୯୧୭ର ଖଣିଜ (ବିକାଶ ଏବଂ ନିୟମ) ଅଧିନିୟମର ସଂଶୋଧନର ଉଦ୍ଦେଶ୍ୟ ଥିଲା ନୀତିଗତଭାବେ ସଂଶୋଧନର ଶେଷ ପର୍ଯ୍ୟନ୍ତ ଉପଯୋଗ ଉପରେ ଥିବା ନିଷେଧକୁ କମାଇ ଦେବା ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ନିଲାମ ଭାଗଦେବାକୁ ଅନୁମତି ପ୍ରଦାନ । ଏହାଦ୍ୱାରା ସମ୍ବିଧାନର ୫ମ ଅନୁଚ୍ଛେଦରେ ଦିଆଯାଇଥିବା ଆଦିବାସୀ ସମାଜ ସାମ୍ବିଧାନିକ ଅଧିକାରକୁ ଉଲଂଘନ କରାଯାଇଛି । ୨୦୦୬ ଜଙ୍ଗଲ ଅଧିକାର ଆଇନ, ୧୯୯୬ର ପେସା ଆଇନ, ପରିବେଶ ସୁରକ୍ଷା ୧୯୮୬ ଏବଂ ୨୦୦୬ର ପରିବେଶ ପ୍ରଭାବ ଆକଳନ ଅଧିସୂଚନା ଏବଂ ୨୦୧୩ର ଭୂ-ଅଧିଗ୍ରହଣ (ଉଚିତ୍ କ୍ଷତିପୂରଣ ଥଇଥାନ) ଆଇନରେ ଥିବା ବିଭିନ୍ନ ପ୍ରାବଧାନ ଗୁଡ଼ିକୁ ଅବମାନନା କରାଯାଇଛି ।କେନ୍ଦ୍ର ଦ୍ୱାରା ଏକ ତରଫା ବ୍ୟବସାୟିକ ନିଲାମ ନିଷ୍ପତ୍ତି ସୁପ୍ରିମକୋର୍ଟ ଦ୍ୱାରା ଅତୀତରେ କେତେକ ପ୍ରଦତ୍ତ ରାୟକୁ ଉଲଂଘନ କରୁଛି । ୧୧ ଜୁଲାଇ ୧୯୯୭ରେ ସମତା ବନାମ ଆନ୍ଧ୍ରପ୍ରଦେଶ ସରକାର ମାମଲାରେ ଅଣ-ଆଦିବାସୀ ସଂସ୍ଥାକୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଖଣି ଦିଆଯାଇ ପାରିବ ନାହିଁ । କେବଳ ଆଦିବାସୀଙ୍କ ଦ୍ୱାରା ପରିଚାଲିତ ସମବାୟ ସଂସ୍ଥାକୁ ଦିଆଯାଇପାରେ । ୧୮ ଏପ୍ରିଲ ୨୦୧୩ରେ ନିୟମଗିରିରେ ଖଣିଖନନ ପାଇଁ ହୋଇଥିବା ମାମଲା (ଓଡ଼ିଆ ମାଇନିଂ କର୍ପୋରେସନ ଲିଃ ବନାମ ପର୍ଯ୍ୟାବରଣ ଏବଂ ବନ ମନ୍ତ୍ରଳାୟ)ରେ ୩ଜଣାଆ ଖଣ୍ଡପୀଠ ରାୟ ଥିଲା ଗ୍ରାମସଭା ହିଁ ସର୍ବୋଚ୍ଚ ଅଧିକାରୀ ଖଣି ଖନନ ନିଷ୍ପତ୍ତି ପାଇଁ । ଜୁଲାଇ ୨୦୧୩ରେ କେରଳର ଥ୍ରେସିଆମ୍ମା ଜାକୋବ ଏବଂ ଅନ୍ୟ ବନାମ ଖଣିଜ ଖନନ ବିଭାଗ ମାମଲାରେ ତିନି ଜଣିଆ ଖଣ୍ଡପୀଠ ରାୟଦେଇ କହିଥିଲେ ଯେ ଖଣିର ମାଲିକାନା ଜମିମାଲିକର ଅଧୀନ । ୨୫ ଅଗଷ୍ଟ ୨୦୧୪ରେ କୋଲଗେଟ ମାମଲାରେ ସୁପ୍ରିମ କୋର୍ଟରାୟ ଦେଇ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ଦୁଇ ଜଣ ବିଚାରପତି କହିଥିଲେ ଯେ, କୋଇଲା ରାଷ୍ଟ୍ରୀୟ ସମ୍ପଦ ଯାହାକି ସାଧାରଣ ଜନତାଙ୍କ ପାଇଁ ସାର୍ବଜନୀନ ହିତ ପାଇଁ ଉପଯୋଗ କରାଯିବା ଉଚିତ୍ । ଏହି ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆମର ସାଂବିଧାନିକ ସଂଘୀୟ ବ୍ୟବସ୍ଥା ପ୍ରତି ଆଘାତ ଲାଗିଛି । ପ୍ରାକୃତିକ ସମ୍ପଦ ସହ ଥିବା ଜୀବିକା ପରିଚାଳନା ଓ ସୁରକ୍ଷା ରାଜ୍ୟ ସରକାରର ଦାୟିତ୍ୱ ଏବଂ ରାଜ୍ୟର ପରାମର୍ଶ ସହ କେନ୍ଦ୍ର ଖଣି ପ୍ରଦାନ କରିଥାଏ । ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ନିଜ ହାତକୁ ନେଇ ଯାଇଛି ଯାହାକି ରାଜ୍ୟର ପରିବେଶୀୟ ଓ ବନବାସୀଙ୍କ ଜୀବନ ଜୀବିକା କ୍ଷତି ଆକଳନ କରାନଯାଇ ନାହିଁ କି ରାଜ୍ୟ ସରକାରମାନଙ୍କ ପରାମର୍ଶ ନିଆଯାଇନାହିଁ ।ଛତିଶଗଡ଼ର ହସଦେଓ ଅରଣ୍ଡ ଦେଶର ସବୁଠାରୁ ବଡ଼ ଅଖଣ୍ଡିତ ଲମ୍ବା ବିସ୍ତାର ଜଙ୍ଗଲ ୧,୭୦,୦୦୦ ହେକ୍ଟର ଜମିରେ ରହିଛି । ହାତୀମାନଙ୍କର ଏହା ଏକ ପ୍ରଧାନ ସ୍ଥଳ । ଏଠି ୩ଟି ଖଣି ଖନନଚାଲିଛି, ୫ଟି ଖଣି ଖନନ ପାଇଁ ଅନୁମତି ଦିଆଯାଇଛି । ଏହା ବାହାରେ ୧୨ଟି ଖଣିଜ ଭଣ୍ଡାର ରହିଛି । ଏହି ରାଜ୍ୟରୁ ୯ ଗୋଟି ଖଣି ପୁଣି ନିଲାମ କରିବା ପାଇଁ ତାଲିକାଭୁକ୍ତ । ଛତିଶଗଡ଼ ବଞ୍ଚାଅ ଆନ୍ଦୋଳନ ଏହାର ବିରୋଧ କରୁଛି ଏବଂ ସେଠାର ଜଙ୍ଗଲମନ୍ତ୍ରୀ କେନ୍ଦ୍ରର ପରିବେଶ-ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖି ହସଦେଓ, ମାଣ୍ଡନଦୀ କୋଇଲା କ୍ଷେତ୍ର ଓ ଲେମୁରୁ ହାତୀ ସରଂକ୍ଷଣ କ୍ଷେତ୍ରକୁ ନିଲାମ ତାଲିକାରୁ ବାଦ ଦେବା ପାଇଁ ଦାବୀ କରିଛନ୍ତି । ଏହା ନ ହେଲେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ । ଝାରଖଣ୍ଡର ମଧ୍ୟ ୯ ଗୋଟି କୋଇଲା ଖଣି ନିଲାମ ହେବ । ଏଠାର ସରକାର ସୁପ୍ରିମ କୋର୍ଟକୁ ଯାଇ କହିଛନ୍ତି ଯେ-ଏହି ବିଧ୍ୱଂସକାରୀ ଖନନ ଆଦିବାସୀବହୁଳ ବନକ୍ଷେତ୍ରରେ ସାମାଜିକ ଓ ପରିବେଶୀୟ ନକାରାତ୍ମକ ପ୍ରଭାବର ଆକଳନ ହେବା ଆବଶ୍ୟକ । ଏହା ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି । ଓଡ଼ିଶାର ୯ଟି ମଧ୍ୟରୁ ୮ଟି ଅନୁଗୁଳ ଜିଲ୍ଲାର ଓ ଗୋଟିଏ ଝାରସୁଗୁଡା ଜିଲ୍ଲାର ୩୩ ହଜାର ହେକ୍ଟର ଜମିରେ କୋଇଲା ଖଣି ରହିଛି । ଏଥିରେ ଥିବା ଚାଷ ଜମି ଓ ଜଙ୍ଗଲ ଉପରେ ହଜାର ହଜାର ପରିବାର ଜୀବୀକା ପାଉଛନ୍ତି । ବହୁ ଜନବସତି ଗ୍ରାମ ରହିଛି । ଜଳାଶୟ ରହିଛି । ତାଲଚେର-ଅନୁଗୁଳ ଅଞ୍ଚଳ ଗତ ୩୦ବର୍ଷରୁ ସର୍ବାଧିକ ପ୍ରଦ୍ୟୁଷିତ ଅଞ୍ଚଳ ରୂପେ ଘୋଷିତ । ବ୍ରାହ୍ମଣୀ ନଦୀ ମଧ୍ୟ ପ୍ରଦୂଷିତ ଏବଂ ଜଳର ପରିମାଣ ହ୍ରାସ ହେଇଛି । ପୁଣି ଖଣି ଖନନ ଦ୍ୱାରା ଶତାଧିକ ଗ୍ରାମର ପ୍ରଦୂଷଣର ଶିକାର ହେବାସହ ହଜାର ହଜାର ପରିବାର ବିସ୍ଥାପିତ ହେବେ ଏବଂ ଜୀବିକା ହରାଇବେ । କୃଷି ବିପର୍ଯ୍ୟସ୍ତ ହେବ । ମହାରାଷ୍ଟ୍ରର ୩ଟି କୋଇଲା ଖଣି ଅଞ୍ଚଳ ବାଘ ସଂରକ୍ଷଣ କ୍ଷେତ୍ର ଏବଂ ଜୈବ ବିବିଧିତା ପୂର୍ଣ୍ଣ । ସେଠାର ଜଙ୍ଗଲମନ୍ତ୍ରୀ ଏହାର ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଛନ୍ତି ଯେ ଚନ୍ଦ୍ରପୁର ଜଙ୍ଗଲ ଧ୍ୱଂସ ହେଲେ ଜୈବବିଧତା ବିନାଶ ହେବା ସହ ମଣିଷ ଓ ପଶୁ ମଧ୍ୟରେ ସର୍ବଦା ସଂଘର୍ଷ ଲାଗି ରହିବ । ସେହିପରି ମଧ୍ୟପ୍ରଦେଶରେ ୧୧ଟି ଖଣି ନିଲାମ ହେବ । ଗୋଟି ତୋରିଆ ପୂର୍ବ କୋଇଲା କ୍ଷେତ୍ର ଯାହାକି ୮୦% ବନାଞ୍ଚଳ ଏହି କ୍ଷେତ୍ର ସୀତାରେବା ନଦୀର ଜଳର ଉତ୍ସ ।ବର୍ତ୍ତମାନ ଆମ ଦେଶରେ ନୂଆ ଥର୍ମାଲ ପାସ୍ୱାର ପ୍ଲାଣ୍ଟ ନିର୍ମାଣର ଆବଶ୍ୟକତା ନାହିଁ । କାରଣ ଥର୍ମାଲ, ଜଳ ବିଦ୍ୟୁତ, ସୌର ଓ ଅକ୍ଷୟ ଶକ୍ତି ଉତ୍ପାଦନ ଶକ୍ତି ୪ ଲକ୍ଷ ମେଗାୱାଟ ପାର୍ଯ୍ୟନ୍ତ ରହଛି । ସେଥିରେ ୭୦ ପ୍ରତିଶତ କୋଇଲା ଭିତ୍ତିକ । ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତି ଅନୁଯାୟୀ ଆମ ଦେଶରେ ୨୦୩୦ ସୁଧା ପ୍ରଚଳିତ ଜୀବାଶ୍ମ ଜାଳେଣି (ଫସିଲ ଫୁଏଲ) ହ୍ରାସ କରିବାକୁ ହେବ । ଏବଂ ସବୁଜ ଶକ୍ତି ଉତ୍ପାଦନ ପାଇଁ ଟାର୍ଗେଟ ରହିଛି । ଆମ ଦେଶର ମୋଟ ବ୍ୟବହାର ହେଉଛି ସର୍ବାଧିକ୧୯୦୦୦୦ ମେଗାୱାଟ । ଯାହା ଫଳରେ ୩୩ ପ୍ରତିଶତ ପ୍ଲାଣ୍ଟ ବନ୍ଦ ରହିଛି ଓ ଅନେକ ଉତ୍ପାଦନ କ୍ଷମତାରୁ କମ ଉତ୍ପାଦନ କରୁଛନ୍ତି । ମଧ୍ୟପ୍ରଦେଶ ବିଦ୍ୟୁତ ଉତ୍ପାଦନ ଅତ୍ୟଧିକ ବୋଲି ସେଠାର ଜଳବିଦ୍ୟୁତ ପ୍ରକଳ୍ପକୁ ବନ୍ଦ କରିଦିଆଯାଇଛି ଅଥଚ ଘରୋଇ କମ୍ପାନୀମାନଙ୍କୁ କୋଇଲା (ଥର୍ମାଲ ପ୍ଳାଣ୍ଟ ପାଇଁ) ଖଣି ପ୍ରଦାନ ବିକାଶ ନାମରେ ବିନାଶ ରାଜନୀତିର ଏକ ଉଦାହରଣ । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ନୂଆ ଥର୍ମାଲ ପାୱାର ପ୍ଲାଣ୍ଟର ଆବଶ୍ୟକତା ନଥିବା ସତ୍ତ୍ୱେ ତଲାବିରା ପରି ଘଞ୍ଚଜଙ୍ଗଲକୁ ଧ୍ୱଂସ କରି ଓ ମହାନଦୀର ଜଳକୁ ପ୍ରଦୂଷିତ କରି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେବା କର୍ପୋରେଟ ଦ୍ୱାରା ଲୁଟ ପାଇଁ ସରକାରୀ ପ୍ରୋତ୍ସାହନ । ୧୯୦୧ ରୁ ୨୦୧୮ ମଧ୍ୟରେ ସବୁଜଗୃହ ଗ୍ୟାସର ଅତ୍ୟଧିକ ନିଗିରଣ ଯୋଗୁଁ ଆମ ଦେଶରେ ତାପମାନ ୦.୭ଂ ସେଲସିୟସ ବୃଦ୍ଧି ହୋଇଛି ଏବଂ ଚଳିତ ଶତାବ୍ଦୀ ଶେଷ ସୁଧ ୪.୪ ପର୍ଯ୍ୟନ୍ତ ବଢ଼ିବ । ଏହି ତଥ୍ୟ ପୃଥିବୀ ବିଜ୍ଞାନର କେନ୍ଦ୍ର ମନ୍ତ୍ରାଳୟ ଦ୍ୱାରା ଦିଆଯାଇଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଲାମ ଘୋଷଣା ପରେ । ପ୍ୟାରିସଠାରେ ଭାରତର ଘୋଷଣା ଅନୁଯାୟୀ ୧୯୩୦ ସୁଦ୍ଧା ୨୦୦୫ ସ୍ତରକୁ ଉତ୍ତାପ ହ୍ରାସ କରିବା ପାଇଁ କାର୍ବନ ଡାଇଅକ୍ସାଇଡ଼୍ ବା ଗ୍ରୀନ୍ ହାଉସ୍ ନିଃସରଣକୁ ୩୩ ରୁ ୩୫ ପ୍ରତିଶତ ହ୍ରାସ କରିଯିବା ପାଇଁ ବିକଳ୍ପ ସବୁଜ ଶକ୍ତି ଉତ୍ପାଦନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ପ୍ରାଥମିକତା ହେବା ଏକାନ୍ତ ଜରୁରୀ । ଉପରୋକ୍ତ କାରଣ ଓ ପରିଣାମ ଦୃଷ୍ଟିରୁ ଓଡ଼ିଶାର ୯ଟି ସମେତ ଦେଶର ୪୧ ଗୋଟି କୋଇଲା କ୍ଷେତ୍ର ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସଂପଦ, କୃଷିକ୍ଷେତ୍ର ଓ ସାଧାରଣ ଜନତାଙ୍କ ଜୀବିକାର ସୁରକ୍ଷା ଦୃଷ୍ଟିରୁ ଏବଂ ରାଜ୍ୟର କ୍ଷମତା ତଥା ସଂଘୀୟ ବ୍ୟବସ୍ଥାର ସୁରକ୍ଷା ଦୃଷ୍ଟିରୁ ଏହି ନିଲାମକୁ ବିରୋଧ କରନ୍ତୁ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଝାଡ଼ଖଣ୍ଡ ସରକାର ପରି ସୁପ୍ରିମକୋର୍ଟରେ ରାଜ୍ୟର ସ୍ୱାର୍ଥ ପାଇଁ ମାମଲା ଦାୟର କରିବା ଏକାନ୍ତ କାମ୍ୟ । ସମସ୍ତ ବିରୋଧୀଦଳ ଗୁଡିକ ମଧ୍ୟ ରାଜ୍ୟର କ୍ଷମତାର ସୁରକ୍ଷାପାଇଁ କୋଇଲା ଖଣି ଗୁଡିକୁ ଘରୋଇ କମ୍ପାନୀକୁ ହସ୍ତାନ୍ତରର ପ୍ରତିରୋଧ କରି ପ୍ରାକୃତିକ ସମ୍ପଦ ଓ ତା ଉପରେ ନିର୍ଭରଶୀଳ ଜନତାଙ୍କ ଜୀବନ- ଜୀବିକାର ସୁରକ୍ଷା କରନ୍ତୁ । ବରିଷ୍ଟ ସାମ୍ବାଦିକ ରବି ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କୋଇଲାର ଘରୋଇକରଣ ଏବଂ ଆମ ରାଜ୍ୟର ୯ଟି ଖଣି ନିଲାମକୁ ବିରୋଧ କରି ଏହାର ପ୍ରତ୍ୟାହାର ପାଇଁ ଆହ୍ୱାନ କରିଛନ୍ତି ।