କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ ୨କୋଟି ଜରିମାନା
ନୂଆଦିଲ୍ଲୀ, (ଏଜେନ୍ସି): ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଘରୋଇ କ୍ଷେତ୍ରର ବୃହତ୍ତ ବ୍ୟାଙ୍କ୍ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ୍ ଉପରେ ୨କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଆର୍ବିଆଇ ନିର୍ଦ୍ଦେଶର ପାଳନ ନକରିବା ହେତୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଉପରେ ଏହି ଜରିମାନା ଲଗାଯାଇଛି । ଆର୍ବିଆଇ ମାର୍ଚ୍ଚରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍କୁ ଏହାର ପ୍ରମୋଟର୍ସଙ୍କ ଶେୟାରର ସବିଶେଷ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏଥିସହିତ ପ୍ରମୋଟର୍ସ କିପରି ଧାର୍ଯ୍ୟ ସମୟ ସୀମା ଭିତରେ ନିଜ ଅଂଶ ହ୍ରାସ୍ କରିବେ ସେ ସମ୍ବନ୍ଧରେ ବ୍ୟାଙ୍କ୍କୁ ଦର୍ଶାଇବାକୁ ଆର୍ବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ନିର୍ଦ୍ଦେଶ ନମାନିବା ଯୋଗୁଁ ଆର୍ବିଆଇ ଜରିମାନା ଲଗାଇଛନ୍ତି । କୋଟକ୍ ମହିନ୍ଦ୍ରା ବ୍ୟାଙ୍କ୍କୁ ଆର୍ବିଆଇ ବ୍ୟାଙ୍କିଂ ଲାଇସେନ୍ସ ଦେବା ସମୟରେ ପ୍ରମୋଟର୍ଙ୍କୁ ଏକ ନିଶ୍ଚିତ ସମୟ ଅବଧିରେ ନିଜ ଶେୟାର ହୋଲ୍ଡିଂ ହ୍ରାସ୍ କରିବା ଭଳି ସର୍ତ୍ତ ରଖାଯାଇଥିଲା । ଆର୍ବିଆଇ ପକ୍ଷରୁ ଅନେକ ଥର ଏହି ସମୟସୀମାରେ ବୃଦ୍ଧି କରାଯାଇଛି । ହେଲେ ଫେବ୍ରୁଆରୀ ୨୦୧୭ରେ ଆର୍ବିଆଇ ପକ୍ଷରୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍କୁ ଏକ ଟାଇମ୍ଲାଇନ୍ ଦିଆଯାଇଥିଲା, ଯେଉଁଥିରେ ପ୍ରମୋଟର୍ଙ୍କ ଶେୟାର ହୋଲ୍ଡିଂ ହ୍ରାସ୍ କରାଯିବ ବୋଲି ଉଲ୍ଲେଖ ହୋଇଥିଲା । ଏହା ଅଧିନରେ ଡିସେମ୍ବର ପର୍ଯ୍ୟନ୍ତ ଉଦୟ କୋଟାକ୍ଙ୍କୁ ନିଜ ଶେୟାର ହୋଲ୍ଡି ହ୍ରାସ୍ କରି ୨୦% କରିବାକୁ ହେବ । ଆର୍ବିଆଇ ପକ୍ଷରୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍କୁ ପ୍ରମୋଟରଙ୍କ ଶେୟାର ହୋଲ୍ଡିଂ ୨୦୧୮, ୩୧ଡିସେମ୍ବର ପର୍ଯ୍ୟନ୍ତ ହ୍ରାସ୍ କରି ପେଡ଼-ଅପ୍ କ୍ୟାପିଟାଲ୍ର ୨୦%କୁ ଆଣିବାକୁ ଓ ୨୦୨୦ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଏହାକୁ ୧୫% କରିବାକୁ କୁହାଯାଇଛି । ୩୧ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ କେଏମ୍ବିର ଭାଇସ୍ ଚେୟାର୍ମ୍ୟାନ୍ ଓ ଏମ୍ଡ଼ି ଉଦୟ କୋଟାକ୍ଙ୍କ ଏଥିରେ ଅଂଶ ୨୯.୭୨% ଥିଲା । ତେବେ ଉଦୟ କୋଟାକ୍ ବ୍ୟାଙ୍କ୍ର ପ୍ରମୋଟର ଅଟନ୍ତି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ମାର୍କେଟ୍ କ୍ୟାପିଟାଲାଇଜେସନ୍ ଦୃଷ୍ଟିରୁ ଦ୍ୱିତୀୟ ସର୍ବବୃହତ୍ତ ବ୍ୟାଙ୍କ୍ । ଅନ୍ୟପକ୍ଷରେ କୋଟାକ୍ ମହିନ୍ଦ୍ର ବ୍ୟାଙ୍କ୍ ଆର୍ବିଆଇକୁ ପ୍ରମୋଟର ହୋଲ୍ଡିଂ ହ୍ରାସ୍ କରି ୧୯.୭% କରିବାକୁ ପ୍ରସ୍ତାବ ଦେଇଥିଲା ।