କୋଟିଆ-ଓଡ଼ିଶା ପାଇଁ ଏକ ଆହ୍ୱାନ : ବିଧାନସଭା ଗୃହ କମିଟି ଗ୍ରସ୍ତ କରିଥିଲେ ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନ କରିନଥାନ୍ତା : ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): କୋଟିଆକୁ ନେଇ ଆନ୍ଧ୍ର ଓଡ଼ିଶା ସୀମା ବିବାଦ ଆଜି ନୁଆ ନୁହେଁ । ୧୯୬୮ ମସିହାରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ନେଇ ମୋକଦ୍ଦମା ଚାଲିଛି । ଓଡ଼ିଶା ସରକାର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସୁରକ୍ଷା ପାଇଁ ଯେଉଁଭଳି ପଦକ୍ଷେପ ନେବା କଥା ସେଥିରେ ଅବହେଳା କରିଥିବା ଯୋଗୁ ଆଜି ଆନ୍ଧ୍ର ସରକାର କୋଟିଆର ୩ଟି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିବାକୁ ସାହସ କରିପାରିଲେ ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ଅଭିଯୋଗ କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା କୋଟିଆ ବିବାଦ ଉପରେ ନିଜର ମତାମତ ଦେବାକୁ ଯାଇ କହିଛନ୍ତି ଯେ, ଗତ ନଭେମ୍ବର ତୃତୀୟ ସପ୍ତାହରେ ଯେତେବେଳେ ଆନ୍ଧ୍ର ସରକାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗ୍ରାମର ୬୦୦ ମିଟର ଭିତରକୁ ପଶି ରାସ୍ତା ଅବରୋଧ କଲେ, ସେତେବେଳେ ସମାଜବାଦୀ ପାର୍ଟି ପକ୍ଷରୁ ଓଡ଼ିଶା ସରକାର, ଆନ୍ଧ୍ର ରାଜ୍ୟପାଳଙ୍କୁ ଚିଠି ଲେଖାଯାଇ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରାଯାଇଥିଲା । ନଭେମ୍ବର ୨୨ ତାରିଖ ଦିନ ସମାଜବାଦୀ ପାର୍ଟି ପକ୍ଷରୁ ଏକ ବିକ୍ଷୋଭ କରାଯାଇ ବିଧାନସଭା ଗୃହକମିଟି କୋଟିଆ ଅଞ୍ଚଳ ଗ୍ରସ୍ତ କରି ସେଠାକାର ଜନସାଧାରଣଙ୍କ ସହିତ ଆପୋଷ ଆଲୋଚନା କରିବା ପାଇଁ ସମାଜବାଦୀ ପାର୍ଟି ମାନ୍ୟବର ବାଚସ୍ପତିଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଥିଲା । କିନ୍ତୁ ଦୁଃଖର କଥା ସୀମା ବିବାଦକୁ ନେଇ ଗଠିତ ବିଧାନସଭା ଗୃହ କମିଟି ଆଜିପର୍ଯ୍ୟନ୍ତ କୋଟିଆ ଗ୍ରସ୍ତ କଲେ ନାହିଁ । ଯାହାଫଳରେ କୋଟିଆ ବିବାଦ ଆଜି ଜଟିଳ ଆକାର ଧାରଣ କରିବାକୁ ଯାଇଛି ଏବଂ ଆନ୍ଧ୍ର ସରକାର ସେଠାରେ ପଞ୍ଚାୟତ ନିର୍ବାଚନ କରି କୋଟିଆ ଗ୍ରାମକୁ ନିଜ ଅଞ୍ଚଳ ବୋଲି ଦାବି କରିବାକୁ ବସିଛନ୍ତି । କୋଟିଆକୁ ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ୧୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଆହୁରି ୧୫୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ଏବଂ କୋଟିଆ ଅଞ୍ଚଳକୁ ଗ୍ରସ୍ତ କରିବା ପାଇଁ ଘୋଷଣା କରିଛନ୍ତି ତାହାକୁ ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛି । ଓଡ଼ିଶା ସରକାର କେବଳ କୋଟିଆକୁ ନୁହେଁ, ବିଭିନ୍ନ ପଡ଼ୋଶୀ ରାଜ୍ୟ ସହିତ ଓଡ଼ିଶାର ସୀମା ଓ ଜଳ, ଜମି ସମସ୍ୟାକୁ ନେଇ ଯେଉଁ ବିବାଦ ଲାଗି ରହିଛି, ତା ଉପେର ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡ଼ାକିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଉପରେ ଚାପ ପକାଇ କୋଟିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନକୁ ରଦ୍ଦ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରୁଛି । ବିଧାନସଭା ଗୃହ କମିଟି ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ବିବାଦୀୟ କୋଟିଆ ଅଞ୍ଚଳ ଗ୍ରସ୍ତ କରି ସେଠାକାର ଲୋକଙ୍କ ସହିତ ସମସ୍ୟା ସର୍ମ୍ପକରେ ଆଲୋଚନା କରିବା ସହିତ ଏକ ଭାବଗତ ସଂକଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ