କୋଣାର୍କରୁ ଭିତରକନିକାକୁ ବଞ୍ଚାଅ ଆହ୍ଵାନ କଲେ ପରିବେଶପ୍ରେମୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଭିତରକନିକା ଅଭୟାରଣ୍ୟ ଓ ଖରସ୍ରୋତା ନଦୀ ସୁରକ୍ଷା ପାଇଁ ଅର୍କକ୍ଷେତ୍ର କୋଣାର୍କରୁ ପରିବେଶ ପ୍ରେମୀ ମାନଙ୍କ ଦ୍ଵାରା କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ଦୀପ ଦାନ ପୂର୍ବକ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଅନୁରୋଧ ବାର୍ତା ଦିଆଯାଇଛି। ଓଡ଼ିଶାର ଜାତୀୟ ଉଦ୍ୟାନ ତଥା ପୃଥିବୀର ଦିତୀୟ ବୃହତ୍ ହେନ୍ତାଳବଣ ଭିତରକନିକା ଏବେ ବିପଦରେ ସମ୍ମୁଖୀନ ହେବାକୁ ଯାଉଛି। ରାଜ୍ୟ ସରକାର ଖରସ୍ରୋତା ନଦୀରେ ଏକି ବୃହତ୍ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଯାହାଦ୍ବାରା ଭିତରକନିକାର ମଧୁର ଜଳ ବ୍ୟବହାର ହେବ। ଏହାଦ୍ୱାରା ନଦୀରେ ମଧୁର ଜଳ ପରିମାଣ କମିବ ଓ ଲୁଣା ପାଣି ମାଡି ଆସିବ। ଯାହା ଫଳରେ ପରିବେଶ ଉପରେ ସାଙ୍ଘାତିକ ପ୍ରଭାବ ପକାଇବ। ଅଧିକ ଲୁଣା ପାଣି ଦ୍ଵାରା ଲକ୍ଷ ଲକ୍ଷ ଜୀବଜନ୍ତୁ ଓ ପ୍ରାକୃତିକ ହେନ୍ତାଳ ବଣ ଲୋପ ପାଇବ। ଏହାର ସିଧାସଳଖ ପ୍ରଭାଵ ନିକଟ ଅଞ୍ଚଳର ବସତି ସ୍ଥାପନ କରୁଥିବା ଲୋକ ଓ ପଶୁପକ୍ଷୀ ମାନଙ୍କ ଉପରେ ପଡ଼ିବ। ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବିଦେଶୀ ପକ୍ଷୀ ଓ ୬୭୨ ବର୍ଗ କିମି ଜଙ୍ଗଲ ନଷ୍ଟ ହେବାର ଆଶଙ୍କା ରହିଛି। ଯେଉଁ ଜଙ୍ଗଲ ତଥା ହେନ୍ତାଳ ବଣ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଓ ମହାବାତ୍ୟା ସହ ଲଢି ଆମକୁ ସୁରକ୍ଷା ଦେଉଛି ତାହା ଆଉ ନଥିବ। ଲକ୍ଷ ଲକ୍ଷ ବୃକ୍ଷ ପରିବେଶକୁ ଯେଉଁ ଅମୂଲ୍ୟ ଦାନ ଦେଉଛି ତାହା ସ୍ଵପ୍ନ ହେଇଯିବ। ଲକ୍ଷ ଲକ୍ଷ ଲୋକ ବାସହରା ହେବେ। ସମୁଦ୍ରର ମାଡ଼ି ଆସି ଜନବସତି, ଜନ, ଧନ ସବୁ ଖାଇଯିବ ବୋଲି ଆଶଙ୍କା ନେଇ ପରିବେଶ ପ୍ରେମୀ ମାନେ ଏହି ପ୍ରଦୀପ ପ୍ରଜ୍ବଳନ ଦ୍ୱାରା ରାଜ୍ୟ ସରକାରଙ୍କୁ ବୃହତ୍ ଜଳ ପ୍ରକଳ୍ପ ଉପରେ ପୁନଃ ବିଚାର କରିବାକୁ ଶାନ୍ତିପୂର୍ଣ୍ଣ ଭାବେ ନିବେଦନ କରିଛନ୍ତି। ଭିତରକନିକା ବଞ୍ଚାଅ ଓ ଖରସ୍ରୋତା ବଞ୍ଚାଅ ସ୍ଳୋଗାନ ନେଇ ସ୍ଵେଚ୍ଛାସେବୀ ସୁବ୍ରତ କୁମାର ସ୍ୱାଇଁ, ପରିବେଶବିତ୍ ସରୋଜ ଜେନା, ବୃକ୍ଷପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳ, ସ୍ଵେଚ୍ଛାସେବୀ ମିଥୁନ ଛୋଟରାୟ, ଗଣେଶ ବେହେରା, ଅଭିରାମ ନାୟକ କୁନାଲ ବିଶ୍ଵାଳ, ସୁଶାନ୍ତ କଣ୍ଡି, ସମ୍ବିତ ମିଶ୍ର, ପିଣ୍ଟୁ ଦାସ ଓ ରେଣୁ ରାଓ ପ୍ରମୁଖ ଦୀପ ଜଳାଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଶାନ୍ତିପୂର୍ଣ୍ଣ ବାର୍ତ୍ତା ଆହ୍ବାନ ଦେଇଛନ୍ତି ।


