କୋଣାର୍କରେ ଅଗ୍ନିକାଣ୍ଡରେ ଜଳିଗଲା ୧୩ ବ୍ଯବସାୟୀଙ୍କ ଦୋକାନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ରାସ୍ତାର ବାମ ପାର୍ଶ୍ଵରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ଠାରୁ ପର୍ଯ୍ଯଟନ ଉନ୍ନୟନ ନିଗମ ଦ୍ଵାରା ପରିଚାଳିତ ଗୀତାଞ୍ଜଳି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଥିବା ୧୩ଜଣ ବ୍ଯବସାୟୀଙ୍କ ଦୋକାନରେ ରବିବାର ରାତ୍ର ୧ଘ ୩୦ ମିନିଟ ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ରାସ୍ତାର ବାମପଟେ ଅସ୍ଥାୟୀ ହସ୍ତଶିଳ୍ପ ସାମଗ୍ରୀ ଓ ଅନ୍ୟାନ୍ୟ ଦୋକାନ କରି କୋଣାର୍କ ଅଞ୍ଚଳର ଅଶୋକ ବେହୁରା, ଦିଲ୍ଲିପ ସେଠୀ, ଦୀପିକ ମାଣିକ, ମାଧବ ବେହେରା, ବିଜୟ କୁମାର ସେଠୀ, ସୌମ୍ୟ ରଞ୍ଜନ ଲେଙ୍କା, ମୁନା କାଣ୍ଡି, ଜଗନ ପ୍ରସାଦ ନାୟକ, ଚନ୍ଦନ ପ୍ରସାଦ ନାୟକ, ଶିବନାଥ ମଲ୍ଲିକ, ଚିତ୍ରସେନ ସାହୁ, ପ୍ରଫୁଲ୍ଲ କୁମାର ବିଶ୍ବାଳ ଓ ମଧୁସୂଦନ ମାଣିକ ପ୍ରମୁଖ ୧୩ ଜଣ ବ୍ଯବସାୟୀଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ତୁଷାର ପରିଜାଙ୍କ ନେତୃତ୍ବରେ ୨୬ଜଣ ଆଗ୍ନିକ ଓ ୨୦ ଜଣ ଲାଇଫଗାର୍ଡ ନେଇ ଗଠିତ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ଭୟାନକ ଅଗ୍ନିକାଣ୍ଡରେ ବ୍ଯବସାୟୀ ମାନଙ୍କ ହସ୍ତଶିଳ୍ପ ସାମଗ୍ରୀ ସହ ଅନ୍ୟ ଦୋକାନ ମାନଙ୍କର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ କିପରି ଘଟିଲା କେଉଁ କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କ୍ଷତିଗ୍ରସ୍ତ ବ୍ଯବସାୟୀ ମାନଙ୍କ ପକ୍ଷରୁ ଦାବି କରାଯାଇଛି। ତୁରନ୍ତ କ୍ଷତିଗ୍ରସ୍ତ ବ୍ଯବସାୟୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ବ୍ଯବସାୟୀ ସଂଘ ଓ ଜନସାଧାରଣ ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ମନ୍ତ୍ରୀ, ବିଭାଗୀୟ ସଚିବ, ରାଜସ୍ବ ବିଭାଗ ମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳ ପ୍ରମୁଖଙ୍କୁ ନିବେଦନ କରିଛନ୍ତି।