କୋଣାର୍କରେ ଜି୨୦ ପ୍ରତିନିଧି ମଣ୍ଡଳୀ ଙ୍କ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଭିନ୍ନ ଦେଶର ଜି୨୦ ପ୍ରତିନିଧି ମଣ୍ଡଳୀ କୋଣାର୍କ ଆଇ.ଓ.ଏଫ ବ୍ୟାଖ୍ୟାନ କେନ୍ଦ୍ର,ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ୨୦ଦେଶର ୮୫ ପ୍ରତିନିଧିମାନେ ଅପରାହ୍ନରେ ଏଠାରେ ପହଂଚିବା ପରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବ୍ୟାଖ୍ୟାନ କେନ୍ଦ୍ରରେ ଶାମୁକା ମାଳି ଉତ୍ତରୀୟ ପ୍ରଦାନ କରାଯାଇ ଭିତରକୁ ପାଛୋଟି ନିଆଯାଇଥିଲା । ଓଡ଼ିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ ଓ ଘୋଡ଼ାନାଚରେ ପ୍ରକମ୍ପିତ ହୋଇଉଠିଥିଲା ବ୍ୟାଖ୍ୟାନ କେନ୍ଦ୍ର ପରିସର। ପରେ ସମସ୍ତ ବିଦେଶୀ ପ୍ରତିନିଧି ସୂର୍ଯ୍ୟମନ୍ଦିର ବୁଲିଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ ବିଦେଶୀ ବିଦେଶିନୀମାନେ। ମନ୍ଦିର ବୁଲି ସାରିବା ପରେ ସଂଧ୍ୟାରେ ସୂର୍ଯ୍ୟମନ୍ଦିର ପରିସରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଉପଭୋଗ କରିଥିଲେ। ଶେଷରେ ପୁରୀ-କୋଣାର୍କ ବେଳାମାର୍ଗ ଲୋଟସ ରିସର୍ଟରେ ରାତ୍ରଭୋଜନ ସାରି ଭୁବନେଶ୍ୱର ଫେରିଥିଲେ। ଏହି କାର୍ଯ୍ୟକ୍ରମରେ ଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଟ ଦେବିଶିତା ବ୍ରଜସୁନ୍ଦର ଗଡ଼ନାୟକ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର,ଅତିରିକ୍ତ ଏସପି ପୂର୍ଣଚନ୍ଦ୍ର ପ୍ରଧାନ, ତହସିଲଦାର ଶେଖ ସାଗିର, ଏଏସଆଇ ସୁପରିଟେଣ୍ଡେଟ ଇଂଜିନିୟର ଚିତରଞ୍ଜନ ଦାଶ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କୋଣାର୍କ ଆଇଆଇସି ରଂଜନ କୁମାର ମଲ୍ଲିକ,ବିଭିନ୍ନ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।