କୋଣାର୍କରେ ସୂର୍ଯ୍ୟ ମନ୍ଦିର ଉଦଘାଟିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର କୋଣାର୍କ ଠାରେ ଶନିବାର ଦିନ ନବ ନିର୍ମିତ ସୂର୍ଯ୍ୟ ମନ୍ଦିର ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣି, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ ଯୋଗଦେଥିଲେ । ଅତିଥି ମାନେ ମନ୍ଦିର ଉଦଘାଟନ କରିବା ପରେ ମନ୍ଦିର ଭିତରେ ଆରମ୍ଭ ହୋଇଛି ସୂର୍ଯ୍ୟ ନାରାୟଣ ଙ୍କ ପୂଜା। ବହୁ ବର୍ଷ ପରେ ପୁଣି କୋଣାର୍କ ଏନ୍ଏସି ଅନ୍ତର୍ଗତ ବେଟିଆଗଦା ଠାରେ ଆଜି ଠାରୁ ଆରମ୍ଭ ହୋଇଛି ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା। ଆଜି ପ୍ରତ୍ୟୁଷରୁ ସମସ୍ତ ନିତିକାନ୍ତି ଅନୁଯାୟୀ ସୂର୍ଯ୍ୟ ନାରାୟଣଙ୍କ ବିଗ୍ରହ ପୂଜା ଓ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳାର ସଭାପତି ମୁକେଶ ଜେନ, ମନ୍ଦିର ପରିଚାଳକ ଯୁଧିଷ୍ଠିର ସ୍ବାଇଁ, ପୂଜକ ପ୍ରଦୀପ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବହୁ ସାଧୁ ସନ୍ଥ ଯୋଗ ଦେଇଥିଲେ। ଆଜି ଦିନ ତମାମ ସୂର୍ଯ୍ୟ ମନ୍ଦିର ପରିସର ଭଜନ କୀର୍ତ୍ତନ ଓ ହରିରାମ ସଂକୀର୍ତ୍ତନରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ଅଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିବା ବେଳେ ସମସ୍ତଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ବର୍ତ୍ତମାନ ଅସ୍ଥାୟୀ ଭାବେ ସୂର୍ଯ୍ୟ ନାରାୟଣଙ୍କ ବିଗ୍ରହ ନାଟମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବ । ପରବର୍ତ୍ତୀ ସମୟରେ ମୂଖ୍ୟ ମନ୍ଦିର ର ଗର୍ଭ ଗୃହ କୁ ନେଇ ସ୍ଥାପନା କରାଯିବ ବୋଲି କୁହାଯାଇଛି। କୋଣାର୍କ କୁ ଦେଶ ବିଦେଶ ରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରୁଥିଲେ ସିନା କିନ୍ତୁ ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା ଓ ଦର୍ଶନ କରି ପାରୁ ନ ଥିଲେ। ଏହି ମନ୍ଦିର ସ୍ଥାପନା ଦ୍ଵାରା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟ ଦେବତା ଙ୍କୁ ପୂଜା ଓ ଦର୍ଶନ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ