କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ ଓ ମନ୍ଦିରରେ ବାଲିକଢ଼ା କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ ପାରିପାର୍ଶ୍ବିକ ଉନ୍ନୟନ ଓ ମନ୍ଦିର ଗର୍ଭ ଗୃହରୁ ବାଲିକଢ଼ା କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। କୋଣାର୍କ ସୋନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ନେଇ ଆରମ୍ଭ ହୋଇଥିବା ପ୍ରକଳ୍ପ ଅଗ୍ରଗତି ଓ ଅନ୍ୟାନ୍ୟ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି। ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ କୋଣାର୍କ ସହର ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆରଂଭ ହୋଇଥିବା ଛ ଲେନ୍ ବିଶିଷ୍ଟ ରିଙ୍ଗ ରୋଡ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ଠାରୁ ବୁଝିବା ସହିତ କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ପରାମର୍ଶ ଦେଇଥିଲେ। ରିଙ୍ଗ ରୋଡ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଆଶ୍ରମ ସ୍କୁଲ ପାଇଁ ସ୍ଵତନ୍ତ୍ର ଭାବେ ବୁଲି ଦେଖିବା ସହିତ ପିଲା ମାନଙ୍କ ପାଇଁ ସ୍କୁଲ୍ ଓ ହଷ୍ଟେଲ ନିର୍ମାଣ କରାଯାଇ ଉଚ୍ଛେଦ କରାଯିବ ବୋଲି ନିର୍ଦେଶ ଦେଇଥିଲେ। ଏଥି ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ପାରିପାର୍ଶ୍ବିକ ଉନ୍ନୟନ ପ୍ରକଳ୍ପ ଉପରେ କାର୍ଯ୍ଯ କରୁଥିବା ସଂସ୍ଥା ଓବିସିସି ଅଧିକାରୀ ମାନଙ୍କଠୁ ପଚାରି ବୁଝି କିପରି ଶୀଘ୍ର କାର୍ଯ୍ୟ ଅଗ୍ରଗ୍ରତି ହେବ ବୁଝାସୁଝା କରିଥିଲେ। ରିଙ୍ଗ ରୋଡ ଭିତରେ ଥିବା ସମସ୍ତ ସରକାରି ପ୍ରକଳ୍ପକୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ହଟା ଯାଇ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ଯ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରୁ ବାଲି ବାହାରିବା ନେଇ ପୁରାତ୍ୱତ ସର୍ବେକ୍ଷଣ ସଂସ୍ଥାର କର୍ମଚାରୀଙ୍କ ଠାରୁ ପଚାରି ବୁଝିଥିଲେ ଓ ଏହି କାର୍ଯ୍ୟପାଇଁ ମନ୍ଦିର ପାର୍ଶ୍ୱରେ ହେଉଥିବା ଖୋଦେଇ କୁ ବୁଲି ଦେଖିଥିଲେ।କିନ୍ତୁ ବାଳିକଢା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନଥିଲେ।ଏଥି ସହିତ ଚନ୍ଦ୍ରଭାଗା ବେଳାଭୂମି ଉନ୍ନୟନ ପ୍ରକଳ୍ପ ଓ ରାମଚଣ୍ଡି ମନ୍ଦିର ଉନ୍ନୟନ ପ୍ରକଳ୍ପ ବୁଲି ଦେଖିବା ସହିତ ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ସ୍ଥାନୀୟ ତହସିଲଦାର ଶେଖ୍ ସଗିର୍, କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଈଙ୍କା, ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶ୍ କୁମାର୍ ରାଉତରାୟ, ପୂର୍ତ୍ତ ବିଭାଗ ଅଧିକାରୀ, ଓବିସିସି ଅଧିକାରୀ, ରାଜ୍ବସ ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ ଠିକା ସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।