କୋଣାର୍କ, ପୁରୀ ଏବଂ ଖିଚିଂରେ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ, ମହେନ୍ଦ୍ର ଏବଂ ବିଶ୍ୱେଶ୍ୱର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ମଙ୍ଗଳବାର ବିଶ୍ୱ ବ୍ୟାପୀ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି କ୍ରମରେ ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ମହାସମାରୋହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ତିନି ଜଣ କେନ୍ଦ୍ର ମନ୍ତ୍ରୀ ରାଜ୍ୟରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ନିୟମ ପାଳନ ପୂର୍ବକ ଯୋଗାଭ୍ୟାସ କରିଥିଲେ ।କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ ସଚେତନ ଜନସାଧାରଣ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ । ଅନୁରୂପ ଭାବେ ମୟୂରଭଞ୍ଜ ଜିଲ୍ଲାର ପ୍ରାଚୀନ ଐତିହ୍ୟ ସ୍ଥଳୀ ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ । ଖିଚିଂର ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିର ଠାରେ ଏହି ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା । ଓଡ଼ିଶାର ତିନୋଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା । କର୍ଣ୍ଣାଟକର ମହୀଶୂର ପାଲେସ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ । ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ବା ଆଜାଦୀ ଅମୃତ ମହୋତ୍ସବ ଅନ୍ତର୍ଗତ ଓଡ଼ିଶାର ତିନୋଟି ସ୍ଥାନ ସମେତ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥର ଯୋଗ ଦିବସର ବିଷୟବସ୍ତୁ ରହିଛି ‘ମାନବତା ପାଇଁ ଯୋଗ’। ଯୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କୋଣାର୍କ ଠାରେ ସମବେତ ଜନସାଧାରଣ ଯୋଗ ପ୍ରଦର୍ଶନ କରିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦବୋଧନ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଯୋଗକୁ ଜୀବନ ଧାରଣର ଏକ ମାର୍ଗ ଭାବେ ଅଭିହିତ କରିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କାରଣରୁ ଆଜି ଟୋକିଓ ଠାରୁ ଆମେରିକା ପର୍ଯ୍ୟନ୍ତ ଯୋଗ ଦିବସ ପାଳନ କରାଯାଉଛି । ବହୁ ପୂର୍ବରୁ ଯୋଗ ଭାରତୀୟମାନଙ୍କ ଜୀବନ ଶୈଳୀର ଅଂଶବିଶେଷ ହୋଇସାରିଛି । ପୁରୀ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ କହିଥିଲେ ଯେ, ଯୋଗ ହେଉଛି ଶରୀର ଓ ମନ, ବିଚାର ଓ କାର୍ଯ୍ୟ, ସଂଯମ ଓ ଉପଲବ୍ଧିର ସମାହାର । ଏହା ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟର ପ୍ରତୀକ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏହା ଏକ ସାମଗ୍ରିକ ଦୃଷ୍ଟିକୋଣ । ଯୋଗ କେବଳ ଏକ ବ୍ୟାୟମ ନୁହେଁ ବରଂ ଆତ୍ମା ସହିତ, ଜଗତ ଏବଂ ପ୍ରକୃତି ସହିତ ଯୋଡ଼ି ହେବା, ସମ୍ପର୍କ ସ୍ଥାପନ କରିବାର ଏକ ସାଧନ । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଯୋଗାଭ୍ୟାସ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଠାରେ କେନ୍ଦ୍ର ଜଳ ଶକ୍ତି ଓ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସମବେତ ଜନସାଧାରଣଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଏଠାରେ ସମସ୍ତଙ୍କ ସହ ମିଶି ବିଭିନ୍ନ ଯୋଗ ମୁଦ୍ରା ପ୍ରଦର୍ଶନ କରିଥିଲେ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ଉପରେ ଯୋଗର ବିଶେଷ ପ୍ରଭାବ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ କାରଣରୁ ସାରା ବିଶ୍ୱରେ ଆଜି ଯୋଗ ଅଧିକ ଲୋକପ୍ରିୟ ହୋଇପାରିଛି । ଅନ୍ୟପକ୍ଷରେ ଆଜି ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦେଶବାସୀ ସାମିଲ ହୋଇଥିଲେ । ବୟସ ନିର୍ବିଶେଷରେ ସମସ୍ତେ ଉତ୍ସାହର ସହିତ ଯୋଗାଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପାଳନ କରାଯାଇ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ୨୦୧୪ରେ ମିଳିତ ଜାତିସଂଘ ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୋଗ ଦିବସକୁ ମାନ୍ୟତା ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ