କୋଭିଡ୍‍ ଡ୍ୟୁଟିକୁ ନେଇ ବଢୁଛି ଚିନ୍ତା

 ଜିଲାପାଳଙ୍କ ନିର୍ଦେଶନାମାକୁ ମାନୁ ନାହାନ୍ତି ବିଇଓ ଏବଂ ବିଆର୍‍ସିସି ; ଶିକ୍ଷକ ମହଲରେ ଅସନ୍ତୋଷ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ);କୋଭିଡ୍‍ ଡ୍ୟୁଟିକୁ ନେଇ ଚିନ୍ତାର ପଡ଼ିଯାଇଛନ୍ତି ଶିକ୍ଷକମାନେ। ବିଇଓ ଏବଂ ବିଆର୍‍ସିସି ନିଜ ପସନ୍ଦର ଶିକ୍ଷକଙ୍କୁ କୋଭିଡ୍‍ ଡ୍ୟୁଟି ପାଇଁ ନିୟୋଜିତ କରୁଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ବିଇଓ ଏବଂ ବିଆର୍‍ସିସି ଜିଲାପାଳଙ୍କ ନିର୍ଦେଶନାମାକୁ ନ ମାନି ମନ ଇଚ୍ଛା ଶିକ୍ଷକଙ୍କୁ କୋଭିଡ୍‍ ଡ୍ୟୁଟି ପକାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର କନ୍ଧମାଳ ଜିଲାରେ ଚର୍ଚ୍ଚା ଜୋର୍‍ ଧରିଛି। କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀକୁ ପ୍ରତିହତ କରିବା ଓ ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ଆଭିମୁଖ୍ୟ ନେଇ କନ୍ଧମାଳ ଜିଲାରେ କୋଭିଡ୍‍-୧୯ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଛି, ଯେଉଁଥିରେ ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଛି। ଅଗଷ୍ଟ ୧୯ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ୍‍ ରୁମ୍‍ରେ ଡ୍ୟୁଟି କରିବା ପାଇଁ ୧୮ଜଣ ଶିକ୍ଷକଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଏବଂ ବିଆର୍‍ସିସି ଜିଲାପାଳଙ୍କ ନିର୍ଦେଶନାମାକୁ ନ ମାନି ତାହାର ୩ଟି ନକଲ ବାହାର କରିଛନ୍ତି। ନିଜ ମନୋନୀତ ଶିକ୍ଷକଙ୍କ ପାଇଁ ସେମାନେ ସ୍ୱତନ୍ତ୍ର ଭାବେ ଏହି ୩ଟି ନିର୍ଦେଶନାମା ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ଏପରିକି କୋଭିଡ୍‍ କଣ୍ଟ୍ରୋଲ୍‍ ରୁମ୍‍ ଡ୍ୟୁଟି ପାଇଁ କିଛି ଅର୍ଥ କାରବାର ହୋଇଥିବା କନ୍ଧମାଳ ଜିଲାର କିଛି ଶିକ୍ଷକ ଅଭିଯୋଗ କରିଛନ୍ତି। ଗୋଟିଏ ଦିନରେ ୩ଟି ଚିଠି ବାହାର କରି ସେମାନଙ୍କ ମଧ୍ୟରୁ ପ୍ରାୟ ୮ଜଣଙ୍କ ଡ୍ୟୁଟିକୁ ପରିବର୍ତ୍ତନ କରି ସେହିସ୍ଥାନରେ ନିଜ ପସନ୍ଦର ଅନ୍ୟ ଶିକ୍ଷକମାନଙ୍କୁ ନିୟୋଜିତ କରିଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ ଫୁଲବାଣୀ  ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବିଆର୍‍ସିସି ଡ୍ୟୁଟି ରଦ୍ଦ କରିବା ପାଇଁ ମୋଟା ଆକାରର ଅର୍ଥ ଆଦାୟ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଗୋଷ୍ଠୀ  ଶିକ୍ଷା ଅଧିକାରୀ(ବିଇଓ) ଏବଂ ବିଆର୍‍ସିସିଙ୍କ ଏଭଳି କାର୍ଯ୍ୟକଳାପକୁ ଶିକ୍ଷକମାନେ ନାପସନ୍ଦ କରିଛନ୍ତି ଏବଂ ଏହାର ପ୍ରତିବାଦରେ ସେମାନେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
କିଛି ଜିଲା ବାହାର ଶିକ୍ଷକମାନେ ଗତ ମାର୍ଚ୍ଚ ମାସଠାରୁ କନ୍ଧମାଳ ଜିଲାରେ ଅନୁପସ୍ଥିତ ଅଛନ୍ତି। ଆଉ ସେମାନଙ୍କର କୌଣସି ଡ୍ୟୁଟି ପଡୁନାହିଁ କିମ୍ବା ସେମାନଙ୍କ ଉପରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନାହିଁ। ସ୍ଥାନୀୟ ଶିକ୍ଷକମାନେ ନାକାଡ୍ୟୁଟି ତଥା କଣ୍ଟ୍ରୋଲ୍‍ ରୁମ୍‍ ଡ୍ୟୁଟି ବାରମ୍ବାର କରୁଛନ୍ତି। ବିଇଓ ଏବଂ ବିଆର୍‍ସିସିଙ୍କ ଏଭଳି ପାତରଅନ୍ତର ନୀତିକୁ ଶିକ୍ଷକମାନେ ପ୍ରତିବାଦ କରିବା ସହ ସେମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଶିକ୍ଷକମାନେ ଅଭିଯୋଗ କହିଛନ୍ତି ଯେ କନ୍ଧମାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ସମସ୍ତଙ୍କୁ ଡ୍ୟୁଟି ପଡୁ, ତା’ପରେ ସେମାନଙ୍କ ପୁନରାବୃତ୍ତି କରାଯାଉ। କିଛି ନିର୍ଦିଷ୍ଟ ଶିକ୍ଷକଙ୍କୁ ବିଇଓ ଏବଂ ବିଆର୍‍ସିସି ସମର୍ଥନ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଫଳରେ ବିଇଓ ଏବଂ ବିଆର୍‍ସିସିଙ୍କ କାର୍ଯ୍ୟକଳାପ ଉପରେ ସମସ୍ତ ଶିକ୍ଷକ ତଥା ଜନସାଧାରଣଙ୍କ ସନ୍ଦେହ ସୃଷ୍ଟି ହେଉଛି। ତେବେ ଏଭଳି ଅଭିଯୋଗକୁ ଉଭୟ ବିଇଓ ଏବଂ ବିଆର୍‍ସିସି ଖଣ୍ଡନ କରିଛନ୍ତି। ଜିଲାପାଳଙ୍କ ନିର୍ଦେଶ ଓ ସରକାରୀ ନିୟମାନୁସାରେ ସେମାନେ ଶିକ୍ଷକଙ୍କୁ କଣ୍ଟ୍ରୋଲ୍‍ ଡ୍ୟୁଟିରେ ନିୟୋଜିତ ପାଇଁ ଚିଠି କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ