କୋଭିଡ କଟକଣା ମଧ୍ୟରେ ଶାରଦୀୟ ପୂଜା ପ୍ରସ୍ତୁତି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବିଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଜନ ସମାଜକୁ କବଳିତ କରିଥିବା ବେଳେ ବିଭିନ୍ନ ପୂଜା ଉତ୍ସବ ପ୍ରାୟତଃ ଫିକା ପଡିଯାଇଛି । ପୂର୍ବବର୍ଷ କୋଭିଡ କଟକଣା ମଧ୍ୟରେ ଦୁର୍ଗା ପୂଜା ପାଳିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ ପୂଜା ଉତ୍ସବ ଆୟୋଜନ ହେବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ ପକ୍ଷରୁ ପ୍ରଶାସନର ନିର୍ଦେଶ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ବିଭିନ୍ନ ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡ କଟକଣା ଆଧାରରେ ବ୍ଲକର ନିର୍ଗୁଣ୍ଡି ପଂଚାୟତ ଅଧିନ ନାଗାପାଳ, ହାଟସାହି, କୁଣ୍ଡ ସାହି ପ୍ରମୁଖ ୫ଗୋଟି ସ୍ଥାନରେ ମାଆଙ୍କ ଆବାହନ ପାଇଁ ଏବେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୂଜା ମଣ୍ଡପ ଗୁଡିକରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ସହିତ ପାର୍ଶ୍ୱ ମୂର୍ତ୍ତି ଗୁଡିକ ଶିଳ୍ପୀର ଶେଷ ସ୍ପର୍ଶ ପାଇଁ ଅପେକ୍ଷା କରିଥିବା ବେଳେ କମିଟି ପକ୍ଷରୁ ନିରାଡ଼ମ୍ବର ସାଜସଜ୍ଜା ପାଇଁ ତୋରଣ ବନ୍ଧା କାର୍ଯ୍ୟ ଚାଲିଛି । ଆସନ୍ତା ସୋମବାର ବେଲବରଣୀ ଠାରୁ ମା ଦଶଭୁଜାଙ୍କ ପୂଜା ବିଧି ବୈଦିକ ବିଧି ମତେ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ସେହିଭଳି ପାଟୁଳି, ଜୋରାଗଡ଼ିଆ, ମଞ୍ଜୁରୀରୋଡ଼, ଭଣ୍ଡାରିପୋଖରୀ ବଜାର ସମେତ ସରସଦା ଠାରେ ପୂଜା କମିଟି ତରଫରୁ ମା ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତି ସରିଥିବା ଜଣାଯାଇଛି ।


