କୋଭିଡ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା ବଢ଼ିଲା

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମଜିକେପି) କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନାର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ନିର୍ଭରଶୀଳ ଆତ୍ମୀୟ ସ୍ବଜନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ଯୋଜନାର ଅବଧି ସମ୍ପ୍ରସାରଣ ଲାଗି ନିଷ୍ପତ୍ତି ନିଆଯାଇଛି । ଏ ସଂକ୍ରାନ୍ତରେ ୧୯ ଏପ୍ରିଲ ୨୦୨୨ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ପ୍ରମୁଖ ସଚିବ ସ୍ବାସ୍ଥ୍ୟ ସଚିବ ସ୍ବାସ୍ଥ୍ୟମାନଙ୍କୁ ଏକ ପତ୍ର ଲେଖାଯାଇଛି । ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ବୀମା ଯୋଜନାର ଅବଧି ସମ୍ପ୍ରସାରଣ ସମ୍ପର୍କରେ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଏହି ପତ୍ରରେ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିଏମଜିକେପି ବୀମା ଯୋଜନା ୩୦ ମାର୍ଚ୍ଚ ୨୦୨୦ରେ ଆରମ୍ଭ କରାଯାଇଥିଲା। କୋଭିଡ-୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କୁ ଚିକିତ୍ସା କରୁଥିବା ସରକାରୀ ସ୍ବାସ୍ଥ୍ୟ କର୍ମୀ ଏବଂ ଘରୋଇ ସ୍ବାସ୍ଥ୍ୟ କର୍ମୀ ଏହି ରୋଗ ଦ୍ବାରା ପ୍ରଭାବିତ ହେଲେ ସେମାନଙ୍କୁ ବୀମା ଯୋଜନାର ଲାଭ ମିଳିପାରିବ । ଦେଶର ୨୨.୧୨ ଲକ୍ଷ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଯୋଜନାରେ ୫୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଆହୁରି, ବିଶେଷ ପରିସ୍ଥିତିରେ, ରାଜ୍ୟ, କେନ୍ଦ୍ର ସରକାରଙ୍କ ଡାକ୍ତରଖାନା, ରାଜ୍ୟ, କେନ୍ଦ୍ର, କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସ୍ବୟଂଶାସିତ ଡାକ୍ତରଖାନା ଏମ୍ସ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ସଂସ୍ଥାନ ଆଇଏନଆଇ କେନ୍ଦ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଡାକ୍ତରଖାନା ଦ୍ବାରା କୋଭିଡ-୧୯ ଚିକିତ୍ସା ପାଇଁ ଆବଶ୍ୟକତା ଅନୁଯାୟୀ ନିୟୋଜିତ ହୋଇଥିବା ଘରୋଇ ଡାକ୍ତରଖାନାର କର୍ମଚାରୀ, ଅବସରପ୍ରାପ୍ତ, ସ୍ବେଚ୍ଛାସେବୀ, ସ୍ଥାନୀୟ ସହରାଞ୍ଚଳ ପ୍ରଶାସନ, ଚୁକ୍ତିଭିତ୍ତିକ, ଦିନ ମଜୁରି, ଆଡହକ, ଆଉଟସୋର୍ସରେ ରହିଥିବା କର୍ମଚାରୀଙ୍କୁ ମଧ୍ୟ ପିଏମଜିକେପି ବୀମା ଯୋଜନାର ଲାଭ ମିଳିପାରିବ । ଏହି ଯୋଜନା ଆରମ୍ଭ ହେବା ପରଠାରୁ, ଏବେ ସୁଦ୍ଧା ୧୯୦୫ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ବୀମା ସହାୟତା ଯୋଗାଇ ଦିଆଯାଇଛି । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ପ୍ରାଣ ହରାଇଥିବା ଏହିସବୁ ସ୍ବାସ୍ଥ୍ୟକର୍ମୀଙ୍କ ପରିବାରଜନଙ୍କୁ ବୀମା ସୁରକ୍ଷା ଅର୍ଥ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ