କୋଭିଡ ମୁକାବିଲା ପଦକ୍ଷେପ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଏକ ବିସ୍ତୃତ ବୈଠକରେ କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ଦେଶ ଗ୍ରହଣ କରିଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି। ଏହି ବୈଠକରେ ମହାମାରୀର ଜାତୀୟ ସ୍ତରର ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ବୈଠକରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଗୃହ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ, ଆଇସିଏମଆରର ମହାନିର୍ଦ୍ଦେଶକ ଏବଂ କ୍ଷମତାପ୍ରାପ୍ତ ଗୋଷ୍ଠୀର ସଂଯୋଜକମାନେ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ ତଥା ଚିକିତ୍ସା ଜରୁରିକାଳିନ ସ୍ଥିତି ପରିଚାଳନା ଯୋଜନା ସଂକ୍ରାନ୍ତ କ୍ଷମତାପ୍ରାପ୍ତ ଗୋଷ୍ଠୀର ସଂଯୋଜକ ଡ. ବିନୋଦ ପଲ କୋଭିଡର ବର୍ତ୍ତମାନର ସ୍ଥିତି ଏବଂ ମଧ୍ୟାବଧିରେ ଏହା ସହିତ ଜଡ଼ିତ ସମ୍ଭାବ୍ୟ ପରିଦୃଶ୍ୟ ସଂକ୍ରାନ୍ତରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ କୋଭିଡର ମୋଟ ସଂକ୍ରମଣ ମାମଲା ମଧ୍ୟରୁ ଦୁଇ ତୃତୀୟାଂଶ ମାମଲା ପାଞ୍ଚଟି ରାଜ୍ୟରେ ରହିଛି ଏବଂ ବଡ଼ ସହରଗୁଡ଼ିକରେ ଅଧିକ ସଂଖ୍ୟକ ସଂକ୍ରମିତ ରହିଛନ୍ତି । ଆଗକୁ ଆସୁଥିବା ସମସ୍ତ ଆହ୍ବାନର ମୁକାବିଲା, ବିଶେଷ କରି ବଡ଼ ସହର ସମ୍ମୁଖରେ ଉତ୍ପନ୍ନ ହେଉଥିବା ସ୍ଥିତିକୁ ଦୃଷ୍ଟିରେ ରଖି ନମୁନା ପରୀକ୍ଷା ବୃଦ୍ଧି ସହିତ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସେହିପରି ଦୈନିକ ମାମଲା ବୃଦ୍ଧି ହେବା ସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସେବା ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡାକ୍ତରଖାନାରେ ଶଯ୍ୟା/ଆଇସୋଲେସନ ଶଯ୍ୟା ବ୍ୟବସ୍ଥା କରିବା ଲାଗି ସହର ଏବଂ ଜିଲ୍ଲାଓ୍ବାରୀ ଆବଶ୍ୟକତାର ଅନୁଧ୍ୟାନ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀର ସୁପାରିସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୌସୁମୀ ଋତୁ ଆରମ୍ଭ ହୋଇଥିବାର ସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ପ୍ରସ୍ତୁତି କରିବା ନିମନ୍ତେ ମଧ୍ୟ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲେ। ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ର ବର୍ତ୍ତମାନ ଏବଂ ସମ୍ଭାବ୍ୟ ପରିଦୃଶ୍ୟ ଉପରେ ଆଲୋଚନା କରାଯାଇଥିଲା ଏବଂ ଆସନ୍ତା ଦୁଇ ମାସର ଅନୁମାନ ଉପରେ ବିଚାର-ବିମର୍ଷ କରାଯାଇଥିଲା। ପ୍ରଧାନମନ୍ତ୍ରୀ କୋଭିଡ-୧୯ ମାମଲା ବୃଦ୍ଧି ପାଇବା କାରଣରୁ ଉତ୍ପନ୍ନ ସ୍ଥିତିର ମୁକାବିଲା ଲାଗି ସମନ୍ବିତ ଏବଂ ସାମଗ୍ରିକ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହିତ ଭାରତ ସରକାର ଓ ଦିଲ୍ଲୀ ସରକାରଙ୍କ ସମସ୍ତ ବରିଷ୍ଠ ଅଧିକାରୀ, ଦିଲ୍ଲୀ ମହାନଗର ନିଗମର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ବୈଠକ ଆୟୋଜନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଏବଂ ଏହା ଉପରେ ସଫଳତାପୂର୍ବକ ନିୟନ୍ତ୍ରଣ ଲାଗି ଅନେକ ରାଜ୍ୟ, ଜିଲ୍ଲା ଓ ସହରଗୁଡ଼ିକ ପକ୍ଷରୁ ନିଆଯାଇଥିବା ଉଲ୍ଲେଖନୀୟ ପଦକ୍ଷେପ ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ସେଗୁଡ଼ିକର ପ୍ରଶଂସା କରାଯାଇଥିଲା। ଅନ୍ୟ ଲୋକମାନଙ୍କୁ ପ୍ରେରଣା ତଥା ଅଭିନବ ବିଚାର ଦେବା ଲାଗି ଏସବୁ ସଫଳତାର କାହାଣୀ ଏବଂ ଉତ୍କୃଷ୍ଟ ପଦ୍ଧତିକୁ ବ୍ୟାପକ ଭାବେ ପ୍ରସାରିତ କରିବା ଉପରେ ଜୋର ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ