କୋଭିଡ-୧୯ ଟିକାକରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ କୋଭିଡ-୧୯ ଟିକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଏହି ବୈଠକରେ ଅଧ୍ୟକ୍ଷତା କରି ଆସନ୍ତା ଜାନୁଆରୀ ୧୬ତାରିଖରୁ ଆରମ୍ଭ ହେବାକୁ ଥିବା କୋଭିଡ୍-୧୯ ଟିକାକରଣ ସମ୍ପର୍କରେ ସମୀକ୍ଷା କରିଥିଲେ । ଟିକାକରଣ ପାଇଁ ହୋଇଥିବା ସମସ୍ତ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିବା ସହିତ ସମସ୍ତ ବ୍ୟବସ୍ଥାକୁ ଆଉ ଥରେ ତନ୍ନ ତନ୍ନ କରି ଯାଂଚ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୧୬ତାରିଖ ଦିନ ଜିଲ୍ଲାର ୫ଟି ସ୍ଥାନ ଯଥା- ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ, ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରୂପସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଆରମ୍ଭ କରାଯିବ । ସେହି ଦିନ ଏହି ୫ଟି କେନ୍ଦ୍ରରେ ୧୦୦(ଶହେ) ଲେଖାଏଁ ବ୍ୟକ୍ତିଙ୍କୁ ଟିକାଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ,କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଟିକାଦାନ କରାଯିବ । ଆସନ୍ତା ଜାନୁଆରୀ ୧୩ତାରିଖ ଦିନ ବାଲେଶ୍ୱରରେ ଟିକା ପହଂଚିବ ବୋଲି ସୂଚନା ମିଳିଛି । ଟିକାକରଣ ପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି ସରିଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷଣ ଟିମ ପ୍ରତ୍ୟେକ ଟିକାଦାନ କେନ୍ଦ୍ରକୁ ଯାଇ ସେଠାକାର ପ୍ରକୃତ ସ୍ଥିତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଡାକ୍ତର, ନର୍ସଙ୍କ ସମେତ ସମସ୍ତ ଆଗଧାଡିର କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ବିଶେଷକରି ଟିକାକରଣ ପ୍ରକ୍ରିୟା, ଟିକାଦାନ ପରବର୍ତୀ ପାଶ୍ୱର୍ ପ୍ରତିକ୍ରିୟାର ନିରାକରଣ ଓ ପରିଚାଳନା ଇତ୍ୟାଦି ସମ୍ପର୍କରେ ସମସ୍ତଙ୍କୁ ତାଲିମ ଦିଆଯାଇଛି । ଏଥିପାଇଁ ଆକ୍ସନ ପ୍ଲାନ ଓ ରୁଟ୍ ଚାର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାପିଡ ରେସପନ୍ସ ଟିମ୍ ଗଠନ କରାଯିବା ସହିତ ୨୪ଘଂଟିଆ କଂଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟବେକ୍ଷଣ ଅଧିକାରୀ ଓ ତାଲିମପ୍ରାପ୍ତ ଡାକ୍ତରଙ୍କ ତତ୍ୱାବଧାନରେ ଟିକାକରଣ କରାଯିବ । ଟିକାକରଣ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦ୍ଦେବ, ଏ.ଡି.ପିଏଚ.ଓ.(ପରିବାର କଲ୍ୟାଣ) ଏବଂ ନୋଡାଲ ଅଧିକାରୀ ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଏଡିଏମଓ(ମେଡିକାଲ) ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡା. ଅର୍ଚ୍ଚନା ଗାଏନ ଉପସ୍ଥିତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ଅଧିକ୍ଷକ ପ୍ରଫେସର(ଡା) ସୁଜାତା ମିଶ୍ର, ଏଡିଏମଓ(ମେଡିକାଲ) ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଏ.ଡି.ପିଏଚ.ଓ.(ଭିବିଡି) ଡା. ଶଶାଙ୍କ ଶେଖର ଚୌଧୁରୀ, ଡିପିଏଚଓ ଡା. ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ବିଭାଗର ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି ଓ ଡିଏମଆରସିଏଚ ଏଲିନା ସାମଲ ଟିକାକରଣ ଅଭିଯାନ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।