କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା
ନୂଆଦିଲ୍ଲୀ : ଦେଶରେ କୋଭିଡ ସଂକ୍ରମଣର ନିରାକରଣ, ପ୍ରତିରୋଧ ଏବଂ ମୁକାବିଲା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି । ଗତକାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟର ଲକଡାଉନ ଘୋଷଣା କରିଥିଲେ। ତଦନୁଯାୟୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଭିଡ-୧୯ ପରିଚାଳନା ଲାଗି ଦେଶର ପ୍ରତ୍ୟେକ ଜିଲ୍ଲାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ଯଥା, ୧. ହଟସ୍ପଟ ଜିଲ୍ଲା, ୨. ସଂକ୍ରମିତ ଥିବା ଅଣ ହଟସ୍ପଟ ଜିଲ୍ଲା, ୩. ସବୁଜ କ୍ଷେତ୍ର ଜିଲ୍ଲା, ହଟସ୍ପଟ ଜିଲ୍ଲାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଯେଉଁଠି ବର୍ତ୍ତମାନ ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି କିମ୍ବା ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣା ହାରରେ ବୃଦ୍ଧି ପାଉଛି । ଆଜି କ୍ୟାବିନେଟ ସଚିବ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଆୟୋଜନ କରିଥିଲେ। ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ଡିଜିପି, ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଏସପି, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ହଟସ୍ପଟ ଏବଂ ଅବରୋଧ ରଣନୀତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିବା ସମୟରେ ଅବରୋଧ ରଣନୀତି ଏବଂ କ୍ଲଷ୍ଟର ଅବରୋଧ ରଣନୀତି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଅବରୋଧ ଅଞ୍ଚଳ ଏବଂ ବଫର ଅଞ୍ଚଳକୁ କିଭଳି ଭାବେ ଚିହ୍ନିତ କରାଯିବ ସେ ସମ୍ପର୍କରେ ଏହି ଅବରୋଧ ରଣନୀତିରେ ବିସ୍ତୃତ ଭାବେ କୁହାଯାଇଥିଲା। ଏହି ଅବରୋଧ ଅଞ୍ଚଳରେ ଜରୁରି ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲାଗୁ ହେବ। ନମୁନା ସଂଗ୍ରହ ପଦ୍ଧତି ଅନୁଯାୟୀ ଅବରୋଧ ଅଞ୍ଚଳରେ ସ୍ବତନ୍ତ୍ର ଦଳ ମାମଲାଗୁଡ଼ିକର ଅନୁଧ୍ୟାନ ଏବଂ ସର୍ବକ୍ଷେଣ କରିବେ । ଏସବୁ ଜୋନରେ ନମୁନା ସଂଗ୍ରହ କରାଯିବ ଓ ପରୀକ୍ଷା କରାଯିବ। ଏହାବ୍ୟତୀତ ଥଣ୍ଡାସର୍ଦ୍ଦି ଏବଂ ଗୁରୁତର ଶ୍ବାସରୋଗର ଲକ୍ଷଣ ଥିବା ଯେକୌଣସି ମାମଲାର ପରୀକ୍ଷା କରାଯିବ। ଏଥିସହିତ ବଫର ଅଞ୍ଚଳରେ ଥିବା ସମସ୍ତ ସ୍ବାସ୍ଥ୍ୟସେବା ସୁବିଧାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯିବ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଘରକୁ ଘର ବୁଲି ସର୍ଭେ ମାଧ୍ୟମରେ ଠାବ କରାଯିବ। ଏହି ସର୍ବକ୍ଷେଣ ଦଳରେ ସ୍ବାସ୍ଥ୍ୟ କର୍ମଚାରୀ, ସ୍ଥାନୀୟ ରାଜସ୍ବ କର୍ମଚାରୀ, ମହାନଗର କର୍ମଚାରୀ, ରେଡକ୍ରସ, ଏନଏସଏସ, ଏନଓ୍ବାଇକେ ଏବଂ ଅନ୍ୟ ସ୍ବେଚ୍ଛାସେବୀମାନେ ରହିବେ। ଜିଲ୍ଲାଗୁଡ଼ିକୁ ମଧ୍ୟ ବିଭିନ୍ନ ବର୍ଗରେ ଡାକ୍ତରଖାନା ପ୍ରସ୍ତୁତ କରିବାକୁ କୁହାଯାଇଛି, ଯଥା : ୧. ସାମାନ୍ୟ ଏବଂ ଅତି ସାମାନ୍ୟ ମାମଲା ପାଇଁ କୋଭିଡ ଯତ୍ନ କେନ୍ଦ୍ର, ୨. ଅକ୍ସିଜେନ ସହାୟତା ଆବଶ୍ୟକ କରୁଥିବା କ୍ଲିନିକାଲ ମଧ୍ୟମ ମାମଲା, ୩. ଗୁରୁତର ଏବଂ ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କୁ ଭେଣ୍ଟିଲେଟର ସହାୟତା ସହିତ ସମର୍ପିତ କୋଭିଡ ହସ୍ପିଟାଲ । ସୁନିଶ୍ଚିତ କୋଭିଡ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରିବାକୁ ନିର୍ଦ୍ଦିଷ୍ଟ ଭାବେ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଏମ୍ସ କଲ ସେଣ୍ଟର ସହିତ ସହଭାଗିତାରେ ପ୍ରତ୍ୟେକ ରୋଗୀଙ୍କର ଦୈନିକ ଭିତ୍ତିରେ ସ୍ବାସ୍ଥ୍ୟ ଅନୁଧ୍ୟାନ ଜିଲ୍ଲାସ୍ତରରେ କରାଯିବ। ଚିକିତ୍ସାଜନିତ ପଦକ୍ଷେପ ବ୍ୟତୀତ ସାମାଜିକ ଦୂରତ୍ବ ବଜାୟ ରଖିବା, ନିୟମିତ ହାତ ସଫା କରିବା ଏବଂ ସ୍ବଚ୍ଛତା ଆଦି ଅଣଚିକିତ୍ସା ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ମାମଲା ନଥିବା ଜିଲ୍ଲାଗୁଡ଼ିକରେ କ୍ଲଷ୍ଟର ଅବରୋଧ ଯୋଜନା କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା, ଅନୁଧ୍ୟାନ ଓ ଚିକିତ୍ସା ପରିଚାଳନା ଉପରେ ଜୋର ଦେବାକୁ କୁହାଯାଇଛି । ସାରା ଦେଶର ପ୍ରତ୍ୟେକ ଜିଲ୍ଲାରେ ଅବରୋଧ ରଣନୀତିକୁ ସୁଚାରୁ ରୂପେ ସମ୍ପାଦକ କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି। ଆଇଗଟ ପ୍ଲାଟଫର୍ମରେ ଥିବା ଅନଲାଇନ ତାଲିମ ଉପାଦାନ କୋଭିଡ ମୁକାବିଲାରେ କାର୍ଯ୍ୟ କରୁଥିବା ପେସାଦାରଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ରାଜ୍ୟଗୁଡ଼ିକୁ ଏହାର ଲାଭ ନେବା ନିମନ୍ତେ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୭୪ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୪୩୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୩୭୭ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ୧୩୦୬ଜଣ ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଛାଡ଼ ପାଇସାରିଛନ୍ତି ।