କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ଦେଶରେ କୋଭିଡ-19ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକ ସହିତ ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।  ଲକଡାଉନ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ସୁନିଶ୍ଚିତ କରିବା ସମୟରେ ପ୍ରବାସୀ ଶ୍ରମିକଙ୍କ ଅସୁବିଧା ପ୍ରତି ଧ୍ୟାନ ଦେବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ କଲ୍ୟାଣ ପାଇଁ ରିଲିଫ କ୍ୟାମ୍ପ ତଥା ସଙ୍ଗରୋଧ ସୁବିଧା କେନ୍ଦ୍ରରେ ଖାଦ୍ୟ, ପାଣି, ଚିକିତ୍ସା ସୁବିଧା ଓ ସ୍ବଚ୍ଛତା ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯଥେଷ୍ଟ ସଙ୍ଗରୋଧ ଏବଂ ମାନସିକ-ସାମାଜିକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକ ଜାରି କରାଯାଇଥିଲା ଯାହାକି  https://www.mohfw.gov.in /pdf/RevisedPsychosocialissuesofmigrantsCOVID19.pdf. ରେ ଉପଲବ୍ଧ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରିଲିଫ କ୍ୟାମ୍ପରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମାନସିକ-ସାମାଜିକ ସହାୟତା ଯୋଗାଇ ଦେବା ଲାଗି ତାଲିମପ୍ରାପ୍ତ ମାର୍ଗଦର୍ଶକ, ଧାର୍ମିକ ନେତାମାନଙ୍କୁ ନିୟୋଜିତ କରିବା ଲାଗି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ବୈଷୟିକ ସୂଚନା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଇମେଲ ଆଇଡି (technicalquery.covid19@gov.in) ଜାରି କରାଯାଇଛି। ଯାହା ଜରିଆରେ ନୂଆଦିଲ୍ଲୀ ଏମ୍ସ ଭଳି ପ୍ରତିଷ୍ଠାନକୁ ଆସୁଥିବା ବୈଷୟିକ ପ୍ରଶ୍ନର ସମାଧାନ କରାଯିବ। ସମସ୍ତ ବୈଷୟିକ ଗାଇଡଲାଇନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ  https://www.mohfw.gov.in/ ୱେବସାଇଟରେ ଉପଲବ୍ଧ ରହିଛି।. କିଛିଦିନ ହେବା କୋଭିଡ-19 ସମ୍ପର୍କିତ ସୂଚନା ପାଇଁ ଟୋଲ ଫ୍ରି ନମ୍ବର (1075) ଏବଂ ହେଲ୍ପଲାଇନ ଇମେଲ ଆଇଡି (ncov2019@gov.in) କାର୍ଯ୍ୟକ୍ଷମ କରାଯାଇଛି। ଏହାବ୍ୟତୀତ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) 24ଟି ଶ୍ରେଣୀର ଚିକିତ୍ସା ସରଞ୍ଜାମକୁ ବିଜ୍ଞପିତ କରିଛନ୍ତି। ଫଳରେ ଏଗୁଡ଼ିକୁ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଔଷଧ ଭାବେ ବିନିୟମିତ କରାଯିବ ଏବଂ 1 ଏପ୍ରିଲ 2020 ଠାରୁ ଔଷଧ ବ୍ୟବସ୍ଥା (ମୂଲ୍ୟ ନିୟନ୍ତ୍ରଣ) ଆଦେଶ 2013 ଅଧୀନରେ ଏଗୁଡ଼ିକର ମୂଲ୍ୟ ଅନୁଧ୍ୟାନ କରାଯିବ। ଯାହାଫଳରେ ବିଗତ 12 ମାସ ମଧ୍ୟରେ କୌଣସି ଉତ୍ପାଦନକାରୀ ଏସବୁ ସାମଗ୍ରୀର ଏମଆରପିରେ 10 ପ୍ରତିଶତରୁ ଅଧିକ ବୃଦ୍ଧି କରିପାରିବେ ନାହିଁ। କୋଭିଡ-19 ସଂକଟ ସମୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ବିଶେଷ କରି ଶ୍ବାସକ୍ରିୟାକୁ ସୁସ୍ଥ ରଖିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆତ୍ମ ଯତ୍ନ ଗାଇଡଲାଇନ ଜାରି କରାଯାଇଛି। ଲକଡାଉନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା, ସାମାଜିକ ଦୂରତା ପଦକ୍ଷେପ ଜାରି ରଖିବା ଏବଂ ଧାର୍ମିକ ସମାରୋହରେ ବହୁସଂଖ୍ୟାରେ ଏକତ୍ରିତ ନହେବା ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବର୍ତ୍ତମାନସୁଦ୍ଧା ଭାରତରେ  1637 କରୋନା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 38 ଜଣ ପ୍ରାଣ ହରାଇଛନ୍ତି। ବିଗତ 24 ଘଣ୍ଟା ମଧ୍ୟରେ 376 ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସ୍ଥଳେ 3 ଜଣ ପ୍ରାଣ ହରାଇଛନ୍ତି। 132 ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ