କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ
କୋରାପୁଟ-ଫେବୃଆରୀ ୪ରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଭାରତ ଶ୍ରେଷ୍ଠ ଭାରତ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଦେଶର ବିଭିନ୍ନ ରାଜ୍ୟର ବିବିଧ ସଂସ୍କୃତିର ଲୋକମାନଙ୍କୁ ଏକତ୍ରିତ କରିବା ଏବଂ ପାରସ୍ପରିକ ଭାବବିନିମୟକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଦିବସ ପାଳନ ଲାଗି ମହାରାଷ୍ଟ୍ର ୱାର୍ଦ୍ଧାସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ୫୬ଜଣ ସଦସ୍ୟ ଏକ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନ୍ତର୍ଗତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପହଁଚିଥିଲେ । ମଙ୍ଗଳବାର ଏହି ୫ ଦିନିଆ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେ ୱାର୍ଦ୍ଧା ଏମଜିଏଏଚଭିରୁ ଆସିଥିବା ଛାତ୍ରଛାତ୍ରୀ, ଅଧ୍ୟାପକମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅସିସ୍ତ କୁମାର ଦାସ, ୱାର୍ଦ୍ଧା ଏମଜିଏଏଚଭିର ଏକ ଭାରତ ଶ୍ରେଷ୍ଠ ଭାରତ ନୋଡାଲ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅତିଥି ପ୍ରାଧ୍ୟାପକ ପ୍ରଫେସର ହେମରାଜ ମୀନା, ଏକ ଭାରତ ଶ୍ରେଷ୍ଠ ଭାରତ ନୋଡାଲ ଅଧିକାରୀ ଡ. ସୌରଭ ଗୁପ୍ତା ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ କୁଳପତି ଭାରତର ଅଭିନବ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ବିବିଧତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ । ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଫଳରେ ଓଡ଼ିଶା ଓ ମହାରାଷ୍ଟ୍ର ଭଳି ଦୁଇଟି ରାଜ୍ୟ ମଧ୍ୟରେ ସଂସ୍କୃତି, ବିଚାର ଓ ପରମ୍ପରା ବିନିମୟ ଲାଗି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଡ଼ାଲ କହିଥିଲେ ଯେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟରେ ପ୍ରତିଷ୍ଠା ହେବା ଫଳରେ ଏହା ସ୍ଥାନୀୟ ଅଂଚଳରେ ଶିକ୍ଷାର ବିକାଶ ହୋଇପାରିବ । ପ୍ରଫେସର ମୀନା ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ମହାପୁରୁଷମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକ ଛାତ୍ର ତଥା ଅଧ୍ୟାପକ ପ୍ରତିନିଧି ଦଳ ୱାର୍ଦ୍ଧାସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ଗସ୍ତରେ ଯାଇଥିଲେ । ୨୦ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିଥିବା ଏହି ଗସ୍ତରେ ୪୮ ଜଣ ଛାତ୍ରଛାତ୍ରୀ, ୨ ଜଣ ଅଧ୍ୟାପକ ଓ ୩ ଜଣ କଳାକାର ଯୋଗ ଦେଇଥିଲେ ।


