କୋରୋନା ଦାଉରୁ ରକ୍ଷା ପାଇବା ପାଇଁ ଡାଏଟ୍
ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର କୋରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଭାଇରସରେ ପୀଡ଼ିତ ରୋଗୀଙ୍କୁ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯାଇଛି। ସେହିପରି ତେଲଙ୍ଗାନାରେ ମଧ୍ୟ ଏକ ନୂଆ ମାମଲା ଦେଖିବାକୁ ମିଳିଛି। ଭାରତରେ କୋରୋନା ଭାଇରସର ମୋଟ୍ ୫ଟି ମାମଲା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଏହି ଘାତକ ମହାମାରୀରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ। ଚୀନର ବୈଜ୍ଞାନିକମାନେ କିଛି ଦିନ ପୂର୍ବରୁ କହିଥିଲେ ଯେ ଏହି ଭାଇରସ ଦୁର୍ବଳ କିମ୍ବା ବୟସ୍କ ଲୋକଙ୍କୁ ଶୀଘ୍ର ନିଜ ଶିକାର କରିଥାଏ। ଏଥିରୁ ବଞ୍ଚିବା ଲାଗି ହାଇ ଆଣ୍ଟି ଭାଇରାଲ ଫୁଡ୍କୁ ନିଜ ଡାଏଟ୍ରେ ସାମିଲ୍ କରିବା ଉଚିତ। ଏସବୁ ଖାଦ୍ୟ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ ସହିତ ଭାଇରସରୁ ଆପଣଙ୍କୁ ସୁରକ୍ଷା ଦେଇଥାଏ।
ନଡ଼ିଆ ତେଲ
ଘରେ ଖାଦ୍ୟ ତିଆରି କରିବା ସମୟରେ ସୋରିଷ କିମ୍ବା ରିଫାଇନ୍ ତେଲ ବଦଳରେ ପଡ଼ିଆ ତେଲ ବ୍ୟବହାର କରିବା ଅଧିକ ଉତ୍ତମ। ଏଥିରେ ଲରିକ୍ ଏସିଡ୍ ଓ କ୍ୟାପ୍ରିଲିକ୍ ଏସିଡ୍ ହୋଇଥାଏ। ଯାହା ଆପଣଙ୍କ ରୋକପ୍ରତିରୋଧକ ଶକ୍ତିକୁ ବୁଷ୍ଟ କରି ଭାଇରସରୁ ସୁରକ୍ଷା ଦେଇଥାଏ।
ଭିଟାମିନ୍ ସି
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଭିଟାମିନ୍ ସି’ ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା କାମ କରିଥାଏ। ଏଥିପାଇଁ ଆପଣ ନିଜ ନିୟମିତ ଡାଏଟ୍ର ଅଁଳା, ଲାଲ୍ କିମ୍ବା ହଳଦିଆ କ୍ୟାପ୍ସିକମ୍, କମଳା, ପିଜୁଳି, ଅମୃତ ଭଣ୍ଡା ଭଳି ଜିନିଷ ସାମିଲ୍ କରିବା ଉଚିତ।
ବେରିଜ୍
ଅଙ୍ଗୁର, ବ୍ଲୁବେରୀ, କ୍ୟାନ୍ବେରୀ, ଷ୍ଟ୍ରବେରୀ, କୋକୋ, ଡାର୍କ ଚକୋଲେଟ୍ ଭଳି ଖାଦ୍ୟ କେବଳ ଅତିବାଇଗଣୀ ରଶ୍ମୀ ଓ ଫଙ୍ଗାଲ ଇନ୍ଫେକ୍ସନ୍ ପାଇଁ ଲାଭଦାୟକ ନୁହେଁ ବରଂ ଏହା ସବୁ ପ୍ରକାରର ଭାଇରସରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।
ଷ୍ଟାର୍ ପାନମଧୁରୀ
ଖାଦ୍ୟର ସ୍ବାଦ ବଢ଼ାଇବା ଲାଗି ଷ୍ଟାର୍ ପାନମଧୁରୀ ମଧ୍ୟ ଆଣ୍ଟି ଭାଇରାଲ ଔଷଧ ଭାବେ ବ୍ୟବହାର କରାଯାଇପାରିବ। ଏଥିରେ ସିକିମିକ୍ ଏସିଡ୍ ମିଳିଥାଏ। ଯାହା ଇନ୍ଫ୍ଲୁଏଞ୍ଜା ଭାଇରସରେ ପୀଡ଼ିତ ରୋଗୀଙ୍କୁ ମଧ୍ୟ ଦିଆଯାଇଥାଏ।
ଅଦା
ଅଦାରେ ମଧ୍ୟ ଅନେକ ପ୍ରକାରର ଆଣ୍ଟିଭାଇରାଲ ତତ୍ତ୍ବ ମିଳିଥାଏ। ତେଣୁ ନିଜ ଖାଦ୍ୟପେୟରେ ଏହାକୁ ନିହାତି ଭାବେ ସାମିଲ୍ କରନ୍ତୁ। ପାନମଧୁରୀ କିମ୍ବା ମହୁ ସହିତ ଏହାର ସେବନ କରିବା ଦ୍ବାରା ଭଲ ଫଳାଫଳ ମିଳିଥାଏ। ଦିନରେ ୩ରୁ ୪ ଥର ଅଦା ସେବନ କରିବା ଦ୍ବାରା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ଭଲ ହୋଇଥାଏ।
ତୁଳସୀ
ରୋଗପ୍ରତିରୋଧକ ଶକ୍ତିକୁ ଉତ୍ତମ କରୁଥିବା ତତ୍ତ୍ବରେ ଭରପୂର ତୁଳସୀ ବହୁତ ଗୁଣକାରୀ ହୋଇଥାଏ। ପ୍ରତ୍ୟେକ ଦିନ ସକାଳେ ଏକ ଚାମଚ ତୁଳସୀ ସେବନ କରିବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ୩ରୁ ୪ଟି ଗୋଲମରିଚ ଓ ଏକ ଚାମଚ ମହୁ ସହିତ ଏହାକୁ ସେବନ କରିବା ଦ୍ବାରା ଆପଣଙ୍କ ଶରୀରକୁ ରୋଗ ସହିତ ଲଢ଼ିବାକୁ ଶକ୍ତି ମିଳିଥାଏ।
ରସୁଣ
ରସୁଣରେ ମଧ୍ୟ ଅନେକ ପ୍ରକାରର ଆଣ୍ଟି ଭାଇରାଲ ତତ୍ତ୍ବ ମିଳିଥାଏ। ସୁପ୍ କିମ୍ବା ସାଲାଡ଼ ବ୍ୟତୀତ ଆପଣ ଏହାକୁ କଞ୍ଚା ଖାଇପାରିବେ। ଏକ ଚାମଚ ମହୁ ସହିତ ରସୁଣ ସେବନ କରିବା ଦ୍ବାରା ମଧ୍ୟ ରୋଗପ୍ରତିରୋଧକ ଶକ୍ତିକୁ ବୁଷ୍ଟ କରିବାରେ ସାହାଯ୍ୟ ମିଳିଥାଏ।
କ’ଣ ଖାଇବେ ନାହିଁ
କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ଲାଗି କିଛି ଖାଦ୍ୟ ଜିନିଷଠାରୁ ଦୂରେଇ ରହିବା ଉଚିତ। ଡାକ୍ତରଙ୍କ କହିବାନୁସାରେ ଏବେ କିଛି ଜିନିଷ କଞ୍ଚା ଖାଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ। ତେଣୁ କଞ୍ଚା ମାଂସ ଖାଆନ୍ତୁ ନାହିଁ। ମାଂସକୁ ଭଲ ଭାବେ ଧୋଇ ସିଝାଇ ଏହାପରେ ଯାଇ ଖାଆନ୍ତୁ। କଞ୍ଚା ଅଣ୍ଡା ଖାଇବା ମଧ୍ୟ ବିପଦପୂର୍ଣ୍ଣ ଅଟେ। ବିଶେଷକରି ଜିମ୍ ଯାଉଥିବା ଲୋକେ ଡାଏଟ୍ରେ କଞ୍ଚା ଅଣ୍ଡା ସାମିଲ୍ କରନ୍ତି। ଏହାବ୍ୟତୀତ ବଜାରରେ ମିଳୁଥିବା ସବୁଜ ପନିପରିବାକୁ କଞ୍ଚା ଖାଆନ୍ତୁ ନାହିଁ। ପନିପରିବାକୁ ଭଲ ଭାବେ ଧୋଇ, କାଟି, ସିଝାଇବା ପରେ ସେବନ କରନ୍ତୁ।